ଏନ୍ଏନ୍ ବ୍ୟୁରୋ l ବଲାଙ୍ଗିର ଜିଲ୍ଲା ପ୍ରଶାସନର ଦାଦନ ଶ୍ରମିକ ଚିନ୍ତା l ସ୍ଥାନୀୟ ଅଞ୍ଚଳରେ ରୋଜଗାର ବ୍ୟବସ୍ଥା, ଦାଦନ ସମସ୍ୟାର ସମାଧାନ ନେଇ ଦାଦନ ପ୍ରବଣ ଅଞ୍ଚଳରେ ପ୍ରବାସୀ ଶ୍ରମିକ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇଶଲୱାର, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ତରଣୀ ସୁନା, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରା, ବଙ୍ଗୋମୁଣ୍ଡା ବିଡିଓ ପୂର୍ଣ୍ଣାନନ୍ଦ ପଟେଲ ଯୋଗ ଦେଇ ପ୍ରବାସୀ ଶ୍ରମିକଙ୍କୁ ସଚେତନ କରିଥିଲେ l ନିଜ ଅଞ୍ଚଳରେ କିଭଳି ଭାବେ ସ୍ଥାୟୀ ରୋଜଗାର କରିବା ସହ ଦାଦନ ସମସ୍ୟାର ସମାଧାନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ l

କେବଳ ଏତିକି ନୁହେଁ, କର୍ମ ନିଯୁକ୍ତି ଶିକ୍ଷା ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ, ବସୁନ୍ଧରା ଯୋଜନାରେ ଗୃହ ଉପଯୋଗୀ ବାସଗୃହ, ସରକାରୀ ଯୋଜନାରେ ରହିଥିବା ରୁଣ ସୁଦ୍ଧ ଛାଡ ଓ ଜନ ମଙ୍ଗଳ ଯୋଜନାରେ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ l ଏଥିସହ ପଞ୍ଚାୟତିରାଜ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ମୃତ୍ତିକା ସଂରକ୍ଷଣ, ଜଳସେଚନ ଏବଂ ଜଙ୍ଗଲ ବିଭାଗର ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ବୁଝାଇଥିଲେ ଅତିଥିମାନେ l କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଉଠା ଜଳସେଚନ ସଂସ୍ଥାର କାର୍ଯ୍ୟନିର୍ବାହ ଅଧିକାରୀ, ଜିଲ୍ଲା ଶିଳ୍ପ ସଂସ୍ଥାର ଜିଏମଙ୍କ ସହ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହିଥିଲେ l
