ପାଣି ପାଇଁ ପଞ୍ଚାୟତରେ ତାଲା, 3 ଘଣ୍ଟା ପରେ ମୁକୁଳିଲେ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ l ପାଣି ପାଇଁ ତାତିଲେ ଲୋକେ l ଗୁହାରୀ ନ ଶୁଣିବାରୁ ପଞ୍ଚାୟତ ଅଫିସରେ ସରପଞ୍ଚ, ୱାର୍ଡ ମେମ୍ବର ଓ ପଞ୍ଚାୟତ ଅଧିକାରୀଙ୍କୁ ତାଲା ମାରିଲେ ଲୋକେ l ପଞ୍ଚାୟତ ଭିତରେ ମାସିକ ବୈଠକ ଚାଲିଥିବା ବେଳେ ଦେଓଗାଁ ପଞ୍ଚାୟତ କଲୋନୀ ପଡ଼ାବାସି ତାଲା ଦେଇଛନ୍ତି। ଫଳରେ ଅଫିସ ଭିତରେ ଦେଓଗାଁ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ଅଧିକାରୀ, ୭/୮ଜଣ ୱାର୍ଡ଼ ସଭ୍ୟଙ୍କ ସହ କର୍ମଚାରୀମାନେ ରହି ଥିଲେ l ଅଫିସ ଭିତରେ ପଞ୍ଚାୟତ ପ୍ରତିନିଧି ଓ ଅଧିକାରୀଙ୍କୁ ତାଲା ଦେଇଥିଲେ ବି ଦୀର୍ଘ ସମୟ ଯାଏ କୌଣସି ପ୍ରଶାସନିକ ଅଧିକାରୀ ଆସିନ ଥିଲେ l

ସୂଚନା ଅନୁସାରେ, ଦେଓଗାଁ ପଞ୍ଚାୟତର ଦେଓଗାଁ ଓ କଛାରପାଲି ଗାଁକୁ ସୋନଗଡ ନଦୀରୁ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି l ହେଲେ ଦେଓଗାଁ କଲୋନୀ ପଡ଼ାବାସୀଙ୍କୁ ଠିକ ଭାବରେ ଜଳ ଯୋଗାଣ ହେଉନି l ଫଳରେ ପାଣି ପାଇଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି I ଏନେଇ ବାରମ୍ୱାର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଙ୍କୁ ଜଣାଇବା ପରେ ବି କେହି ତାଙ୍କ କଥା ଶୁଣୁ ନଥିଲେ l ତେଣୁ ଲୋକେ ଉତ୍ତେଜିତ ହୋଇ ଆଜି ପଞ୍ଚାୟତ ଅଫିସରେ ମାସିକ ବୈଠକ ଚାଲିଥିବା ବେଳେ ପଡା ବାସୀ ତାଲା ମାରିଥିଲେ l ତିନି ଘଣ୍ଟା ପରେ ଦେଓଗାଁ ପୋଲିସ ଘଟଣାସ୍ଥଳକୁ ଆସି ଲୋକଙ୍କୁ ବୁଝାସୁଝା କରି ଅଟକ ଜନ ପ୍ରତିନିଧି ଓ ଅଧିକାରୀଙ୍କୁ ମୁକୁଳାଇ ଥିଲେ l