ଏନ୍ଏନ୍ ବ୍ୟୁରୋ। ଏମିତି ବି ଆସେ ମୃତ୍ୟ। ପୋଖରୀକୁ ପଶିଗଲା କାର। ସ୍ବାମୀ ପହଁରି ଆସିଥିବା ବେଳେ ସ୍ତ୍ରୀର ମୃତ୍ୟୁ। ବଲାଙ୍ଗିର ସହର ଉପକଣ୍ଠ ଜାମସରଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୋମବାର ରାତି ପ୍ରାୟ ୧୦ ଟା ସମୟରେ ଦୁର୍ଘଟଣା ଘଟି ରାସ୍ତା କଡ଼ରେ ଥିବା ପୋଖରୀକୁ ପଶି କାର ବୁଡି ଯାଇଥିଲା। ଫଳରେ ସ୍ତ୍ରୀର ଜୀବନ ଚାଲି ଯାଇଥିବା ବେଳେ ସ୍ବାମୀ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି।
ସୂଚନା ଅନୁସାରେ, ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା ଗାଁର ସ୍ବାମୀସ୍ତ୍ରୀ ଚୈତନ୍ୟ ସାହୁ ଓ ପିଙ୍କି ସାହୁ ମେଡିକାଲ କାମରେ କାର ଯୋଗେ ବଲାଙ୍ଗିରକୁ ଆସିଥିଲେ। ହେଲେ କାମ ସାରି ଗାଁକୁ ଫେରିବା ବାଟରେ ଜାମସରଠାରେ ଦୁର୍ଘଟଣାର ଶିକାର ହେଲେ। ଏକ ଗାଡ଼ିକୁ ସାଇଡ ଦେବାକୁ ଯାଇ ତାଙ୍କ ମାରୁତି ଇକୋ କାର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପୋଖରୀକୁ ପଶିଗଲା। କାରରୁ ନିଜେ ସ୍ଵାମୀ କୌଣସି ମତେ ବାହାରି ଆସିଥିବା ବେଳେ ସ୍ତ୍ରୀ ଦୁଇଘଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡି ରହିଥିଲେ।
ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲା। ଏବଂ ଦୀର୍ଘ ଦୁଇ ଘଣ୍ଟା ପରେ ସ୍ତ୍ରୀ ପିଙ୍କି ସାହୁଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଡ଼ାକ୍ତର ପିଙ୍କି ସାହୁକୁ ମୃତ ଘୋଷଣା କରିଥିଲେ।
