ହୁଗୁଳା ଶିକ୍ଷା ବ୍ୟବସ୍ଥା: ରୋଷେୟାଙ୍କ ନଣନ୍ଦଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ନ୍ୟୁଜ୍ I ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ। ଶିକ୍ଷୟତ୍ରୀଙ୍କ ବଦଳରେ ପାଠ ପଢ଼ାଉଛନ୍ତି ଜଣେ ମେଟ୍ରିକ୍ ଫେଲ ବାଳିକା। କିଭଳି ପାଠ ପଢା ଚାଲିଥିବ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି I ଅନ୍ୟପଟେ ଶିକ୍ଷୟତ୍ରୀଙ୍କ ଅନୁପସ୍ଥିତ ନେଇ ଶିକ୍ଷା ଅଧିକାରୀଙ୍କ ନିକଟରେ ଖବର ନଥିବା ସମସ୍ତଙ୍କୁ ଚକିତ କରି ଦେଇଛି I ଢ଼ିଲା ବ୍ୟବସ୍ଥା ଯୋଗୁଁ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ହୁଗୁଳି ଯାଇଛି I ଛକୋଡ଼ିମାଳ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷାଦାନ ହିଁ ବୟାନ କରୁଛି ଜିଲ୍ଲାରେ କେମିତି ଚାଲିଛି ଶିକ୍ଷା ବ୍ୟବସ୍ଥା I

ବଲାଙ୍ଗିର ଜିଲ୍ଲା ପୂଇନ୍ତଲା ବ୍ଲକ ଅନ୍ତର୍ଗତ ଛକୋଡ଼ିମାଳ ଗାଁର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ I ଏଠାରେ ଶିକ୍ଷୟତ୍ରୀ ଅନୁପସ୍ଥିତ ରହିଲେ ଛାତ୍ରଛାତ୍ରୀଙ୍କୁ ପାଠ ପଢାନ୍ତି ରୋଷେଇଆଙ୍କ ନଣନ୍ଦ I ଅନେକ ଦିନ ହେଲା ସେ ଏଭଳି ଶିକ୍ଷାଦାନ କରୁଛନ୍ତି I ଶିକ୍ଷକ ସାଜିଥିବା ରୋଷେୟାଙ୍କ ନଣନ୍ଦଙ୍କ ନା ଦେବକୀ ବାଗ I ସେ ମେଟ୍ରିକ୍ ପର୍ଯ୍ୟନ୍ତ ପଢ଼ିଥିବା ବେଳେ ଶିକ୍ଷୟତ୍ରୀଙ୍କୁ ଅନୁପସ୍ଥିତିରେ ନିୟମିତ ଭାବରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥିବା ସେ ସ୍ୱୀକାର କରିଛନ୍ତି। ତେବେ ମେଟ୍ରିକ୍ ଫେଳ ଯୁବତୀ କେମିତି ଓ କାହା ଅନୁମୋଦନରେ ପାଠ ପଢ଼ାଉଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି I କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ସଂପୃକ୍ତ ଶିକ୍ଷୟତ୍ରୀ ତଥା ବ୍ଲକ ଶିକ୍ଷା ବିଭାଗ ଖେଳୁ ଥିବା ନେଇ ଲୋକେ ଅଭିଯୋଗ ମଧ୍ୟ କରିଛନ୍ତି।

ସେପଟେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନାଙ୍କ ଖାମଖିଆଲି ଉତ୍ତର, ଏନେଇ ମୋ ନିକଟରେ କୌଣସି ଖବର ନାହିଁ I ତେବେ ଏନେଇ ସୂଚନା ପାଇବା ପରେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି ଲୋକନାଥ। ତେବେ ପ୍ରଶ୍ନ ଉଠୁଛି, ସଂପୃକ୍ତ ଶିକ୍ଷୟତ୍ରୀ କାହା ଅନୁମତିରେ ସ୍କୁଲରେ ଅନୁପସ୍ଥିତ ରହୁଛନ୍ତି I ଏପରକି ସ୍କୁଲକୁ ଜଣେ ନାବାଳିକାଙ୍କ ହାତରେ ଟେକି ଦେଇ ଅନୁପସ୍ଥିତ ରହିବା ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ଯ ନୁହଁ କି? ତେବେ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ଉପରେ ଶିକ୍ଷା ଅଧିକାରୀ କି ପଦକ୍ଷେପ ଗ୍ରହଣ କରୁଛନ୍ତି ସେ ଉପରେ ସମସ୍ତଙ୍କ ନଜର I ହେଲେ ଏନେଇ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ I