କଣ ପାଇଁ ବଦଳିଲେ ବଲାଙ୍ଗିର ଜିଲ୍ଲା ବିଜେଡ଼ି ସଭାପତି! ପଢନ୍ତୁ

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ
  • ବଲାଙ୍ଗିର ବିଜେଡ଼ିର ମୁଖିଆ ହେଲେ ମହିଳା ନେତ୍ରୀ
  • କଳିକେଶଙ୍କୁ ହଟାଇ ଟୁକୁନୀଙ୍କୁ ଦିଆଗଲା ଦାୟିତ୍ଵ
  • ରାଜନୈତିକ କ୍ଷମତାରୁ ଦୂରେଇ ଗଲେ କି ରାଜ ପରିବାର
  • ପ୍ରଥମ କରି ଜଣେ ମହିଳା ସମ୍ଭାଳିବେ ଜିଲ୍ଲା ଦାୟିତ୍ଵ
  • ରାଜ ପରିବାରକୁ ପ୍ରଭାବଶୂନ୍ୟ କରିବା ପଛରେ କାହାର ହାତ?

ନବନୀତା ବ୍ୟୁରୋ। ପୁଣି ଚର୍ଚ୍ଚାରେ ବଲାଙ୍ଗିର ଜିଲ୍ଲା ରାଜନୀତି। ଏଥର ଜଣେ ଯୁବ କିମ୍ବା ବରିଷ୍ଠ ଅଭିଜ୍ଞ ନେତାଙ୍କୁ ଜିଲ୍ଲା ବିଜେଡ଼ି ଦାୟିତ୍ଵ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଜିଲ୍ଲା ମୁଖିଆ ଦାୟିତ୍ଵ ଜଣେ ମହିଳାଙ୍କ ହାତରେ ଟେକି ଦେବା ପରେ ସମସ୍ତେ ଅବାକ୍ ହୋଇଯାଇଛନ୍ତି। ରାଜ୍ୟର ୩୩ ସାଂଗଠାନିକ ଜିଲ୍ଲା ପାଇଁ ବିଜେଡ଼ି ସଭାପତିଙ୍କ ନାମ ଘୋଷଣା କରାଯାଇଛି। କେବଳ ବଲାଙ୍ଗିରରେ ଜଣେ ମହିଳା ନେତ୍ରୀଙ୍କୁ ଏହି ଦାୟିତ୍ଵ ଦିଆଯାଇଥିବା ବେଳେ ବାକି ସାଂଗଠାନିକ ଜିଲ୍ଲାରେ ମନ୍ତ୍ରୀ, ନେତାଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଛି। ତେବେ ବଲାଙ୍ଗିର ଭଳି ଏକ ସମ୍ବେଦନଶୀଳ ଜାଗାରେ ଜଣେ ମହିଳାଙ୍କୁ ଦାୟିତ୍ଵ ଦେଇ ନବୀନ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି।

ପୂର୍ବତନ ସାଂସଦ ତଥା ବିଜେଡ଼ି ନେତା କଳିକେଶ ନାରାୟଣ ସିଂହଦେଓଙ୍କ ଜାଗାରେ ମହିଳା, ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ବଲାଙ୍ଗିର ଜିଲ୍ଲା ବିଜେଡ଼ି ସଭାପତି ଦାୟିତ୍ୱ ଦିଆଯାଇଛି। ଟିଟିଲାଗଡରୁ ଦୁଇ ଥର ବିଧାୟକ ହୋଇ ଏଥର ମନ୍ତ୍ରୀ ହୋଇଥିବା ଟୁକୁନୀଙ୍କ ହାତରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ। ମନ୍ତ୍ରୀ, ପର୍ଯ୍ୟବେକ୍ଷକ ସହ ଏବେ ବଲାଙ୍ଗିର ଜିଲ୍ଲା ମୁଖିଆ ଦାୟିତ୍ଵ ଦିଆଯାଇଛି। ତେବେ କଣ ପାଇଁ ଟୁକୁନୀଙ୍କୁ ଏହି ପଦବୀ ଦିଆଗଲା ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ଵାଭାବିକ। କାରଣ ଜିଲ୍ଲାରେ ଅନେକ ବରିଷ୍ଠ ନେତା ଅଛନ୍ତି। ଏହା ସତ୍ତ୍ଵେ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଜିଲ୍ଲା ଦାୟିତ୍ଵ ଦେବା ପଛର ରହସ୍ୟ କଣ ହୋଇପାରେ।

କଣ ପାଇଁ ହଟିଲେ କଳିକେଶ!

ଗତ ସାଧାରଣ ନିର୍ବାଚନରେ ବିଜେଡ଼ିର ନୈରାଶ୍ୟଜନକ ପ୍ରଦର୍ଶନ ପ୍ରମୁଖ କାରଣ ହୋଇପାରେ। ଜିଲ୍ଲାରେ ସେଭଳି ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ନିର୍ବାଚନରେ ନିଜେ ହାରି ଗଲେ କଳିକେଶ। ପୂର୍ବରୁ ଜିଲ୍ଲାରେ ୩ ବିଧାୟକ ଓ ଗୋଟିଏ ସାଂସଦ ପଦ ବିଜେଡ଼ି ହାତରେ ରହିଥିଲା। ହେଲେ ଗତ ନିର୍ବାଚନରେ ଗୋଟିଏ ବିଧାୟକ ସଂଖ୍ୟା ହ୍ରାସ ପାଇ ଦୁଇକୁ ଖସି ଆସିଲା। ସେହିପରି ବଲାଙ୍ଗିର ସାଂସଦ ପଦ ମଧ୍ୟ ବିଜେଡ଼ି ହାତରୁ ଛଡାଇ ନେଲା ବିଜେପି। ଲୋଇସିଂହା ଓ କଣ୍ଟାବାଞ୍ଜି ବିଧାୟକଙ୍କ ଟିକେଟ କାଟି ଅନ୍ୟ ନେତାଙ୍କୁ ନିର୍ବାଚନରେ ଓହ୍ଲାଇବାରୁ ଆସନ ହରାଇବା ସହ କଳିକେଶ ନିଜେ ଲୋକସଭା ନିର୍ବାଚନରେ ପରାଜୟବରଣ କଲେ। ଏଥିପାଇଁ କଳିକେଶଙ୍କୁ ଦାୟୀ କରାଯାଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବି ହୋଇଥିଲା। ତେବେ ବିଜେଡ଼ି ସଂଗଠନକୁ ସୁଦୃଢ କରିବାରେ ଅସଫଳ ହେବାରୁ କଳିକେଶଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି।

ଟୁକୁନୀଙ୍କୁ ଦାୟିତ୍ଵ ଦେବାର ରହସ୍ୟ!

ରାଜ୍ୟ ରାଜନୀତିରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଦବଦବା ବି କିଛି କମ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ଗୁଡ଼ବୁକରେ ଥିବା ସହ କିଛି ପ୍ରଭାବଶାଳୀ ମନ୍ତ୍ରୀଙ୍କ ସହ ଭଲ ସୁସମ୍ପର୍କ ବି ରହିଛି ତାଙ୍କର। ଏଇଥି ପାଇଁଁ ତ ବଡ଼ ବଡ଼ ନେତା ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ବେଳେ କେବଳ ୨ ଥରର ବିଧାୟିକା ଟୁକୁନୀ ସାହୁ ନବୀନଙ୍କ ୫.୦ ରେ ସାମିଲ୍ ହେଲେ। କେବଳ ଏତିକି ନୁହେଁ, ଭୁବନେଶ୍ୱରରୁ ବଲାଙ୍ଗିର ମୁଖ୍ୟମନ୍ତ୍ରୀଙ୍କ ଅଧିକାଂଶ କାର୍ଯ୍ୟକ୍ରମରେ ଟୁକୁନୀ ଉପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି।

ହେଲେ ବଲାଙ୍ଗିର ଜିଲ୍ଲାରେ ବିଜେଡ଼ିର ସ୍ଥିତି ଅତି ଦୁର୍ବଳ ରହିଛି। ଦଳୀୟ ନେତାଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଦଳର ସ୍ଥିତି ବିଗିଡିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଜିଲ୍ଲାର ମଙ୍ଗ କିଏ ଧରିବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। କୁହା ଯାଉଥିଲା ଜଣେ ଯୁବ କିମ୍ବା ବରିଷ୍ଠ ନେତାଙ୍କୁ ଏହି ଗୁରୁ ଦାୟିତ୍ଵ ମିଳିପାରେ। ହେଲେ ସବୁ ଭୁଲ୍ ପ୍ରମାଣିତ ହୋଇଛି। ଜଣେ ମହିଳା ନେତ୍ରୀଙ୍କୁ ବଲାଙ୍ଗିର ମୁଖିଆ କରି ଦଳ ଇତିହାସ ରଚିଛି।

ଦଳୀୟ କନ୍ଦଳ ଯୋଗୁଁ ବିଜେଡ଼ି ଗତ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କଲା। ଲୋଇସିଂହା ଓ କଣ୍ଟାବାଞ୍ଜିରେ ସିଟିଂ ଏମ୍ଏଲ୍ଏଙ୍କ ଟିକେଟ କାଟି ଦେବାରୁ ନିର୍ବାଚନ ଫଳାଫଳରେ ତାହା ପ୍ରତିଫଳିତ ହେଲା। ଉଭୟ ଆସନ ବିଜେଡ଼ି ହାତରୁ ଖସିବା ସହ ଲୋକସଭା ଆସନ ମଧ୍ୟ ହରାଇବାକୁ ପଡ଼ିଲା। ହେଲେ ବିଜେପିର ଗଡ କୁହାଯାଉଥିବା ପାଟଣାଗଡ ଆସନକୁ ଦଖଲ କରିବାରେ ସଫଳ ହେଲା ବିଜେଡ଼ି।

ବଲାଙ୍ଗିରରେ ପ୍ରଭାବଶୂନ୍ୟ ରାଜ ପରିବାର!

ପୂର୍ବରୁ ବଲାଙ୍ଗିରରେ ଦବଦବା ରଖି ଆସୁଥିବା ରାଜ ପରିବାର ଏବେ ପ୍ରଭାବଶୂନ୍ୟ। ଏମ୍ଏଲ୍ଏ, ଏମପି ସହ ଏବେ ଜିଲ୍ଲା ସଭାପତି ପଦ ମଧ୍ୟ ହାତରୁ ଚାଲିଗଲା। ଏୟୁ ରାଜ୍ୟ ଉପସଭାପତି ପଦବୀରେ ଥିବା ବେଳେ ଜିଲ୍ଲାରେ ପରିବାରର କେହି କୌଣସି ପଦ ପଦବୀରେ ନାହାନ୍ତି। ଜିଲ୍ଲାରେ ରାଜ ପରିବାର ପ୍ରଭାବଶୂନ୍ୟ କହିଲେ ଚଳେ। ପୂର୍ବରୁ ବାପା ମନ୍ତ୍ରୀ ଥିବା ବେଳେ ପୁଅ ବିଧାୟକ, ପରେ ବାପ ପୁଅ ଉଭୟେ ସାଂସଦ ବି ଥିଲେ। ତାସହ କଳିକେଶ ଜିଲ୍ଲା ସଭାପତି ଦାୟିତ୍ୱ ତୁଳାଉଥିଲେ। କିନ୍ତୁ ସ୍ଥିତି ଏବେ ସମ୍ପୂର୍ଣ ଅଲଗା।

ବଲାଙ୍ଗିର ଲୋକସଭା ନିର୍ବାଚନରେ କଳିକେଶଙ୍କୁ ହରାଇ ସଙ୍ଗୀତା ସିଂହଦେଓ ପାର୍ଲିଆମେଣ୍ଟକୁ ଯାଇଛନ୍ତି। ସେହିପରି ଅର୍କେଶ ନାରାୟଣ ସିଂହଦେଓ ବଲାଙ୍ଗିର ବିଧାନସଭା ନିର୍ବାଚନରେ ନରସିଂହ ମିଶ୍ରଙ୍କଠାରୁ ପରାଜୟବରଣ କରିଛନ୍ତି। ଏବେ ପୁଣି କଳିକେଶଙ୍କ ପାଖରେ ଥିବା ଜିଲ୍ଲା ସଭାପତି ପଦ ମଧ୍ୟ ଚାଲିଗଲା। ବର୍ତ୍ତମାନ ଜିଲ୍ଲାରେ ରାଜପରିବାର ପ୍ରଭାବଶୂନ୍ୟ ହୋଇ ଯାଇଥିବା କହିଲେ କିଛି ଅତ୍ୟୁକ୍ତି ହେବନାହିଁ।

ଟୁକୁନୀଙ୍କ ପଛରେ ଅଦୃଶ୍ୟ ହାତ!

ଟୁକୁନୀ ବିଧାନସଭା ନିର୍ବାଚନରେ ଜିତିବା ସହ ମନ୍ତ୍ରୀ ହେବା ପଛରେ ଜଣେ ପ୍ରଭାବଶାଳୀ ନେତାଙ୍କ ଅଦୃଶ୍ୟ ହାତ ଥିବା ଚର୍ଚ୍ଚା ହେଉଛି। କ୍ଷମତା କେନ୍ଦ୍ର ସହ ଘନିଷ୍ଠ ସଂପର୍କ ଥିବା ଏହି ଟାଣୁଆ ନେତା ନିର୍ବାଚନ ବେଳେ ରଣନୀତି ପ୍ରସ୍ତୁତ କରି ବିଧାୟକ ଭାବେ ଜିତାଇବାରେ ସଫଳ ହୋଇଥିଲେ। କେବଳ ଟୁକୁନୀ ନୁହଁ, ଗତ ନିର୍ବାଚନରେ ୬/୭ ଜଣଙ୍କୁ ନିର୍ବାଚିତ କରି ବିଧାନସଭାକୁ ପଠାଇଛନ୍ତି। ତାସହ କିଛି ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବା ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିବା ଚର୍ଚ୍ଚା ହେଉଛି।

ଏବେ ପୁଣି ଟୁକୁନୀଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଛି। ବଲାଙ୍ଗିର ଜିଲ୍ଲାରେ ବିଜେଡ଼ିର ସ୍ଥିତି ଦୁର୍ବଳ ଥିବା ସହ ଦଳୀୟ କନ୍ଦଳ କାହାକୁ ଅଛପା ନାହିଁ। ପୂର୍ବରୁ ରାଜ ପରିବାରକୁ ଅନେକ ପୁରୁଖା ନେତା ଖୁଲମଖୁଲା ବିରୋଧ କରିବା ନଜିର ବି ରହିଛି। ଜିଲ୍ଲାର ରାଜନୀତି ପାଣିପାଗ ଠିକ୍ ନଥିବା କହିଲେ ଚଳେ। କେହି କାହା କଥାରେ ଚାଲିବାକୁ ନାରାଜ। ଏଭଳି ପରିସ୍ଥିତିରେ ସମନ୍ୱୟ ରଖି ନେତାଙ୍କୁ ମନାଇବାରେ କେତେ ସଫଳ ହେବା ସହ ଦଳକୁ ସୁଦୃଢ କରିବାକୁ ଟୁକୁନୀ ପାଇଁ ଚ୍ୟାଲେଞ୍ଜ ରହିବ ନିଶ୍ଚିତ।