ୟୁପିରେ ଝଡ଼ ବର୍ଷା ସହ ବଜ୍ରପାତ, ୫ ଜଣଙ୍କ ମୃତ୍ୟୁ, ବ୍ୟାପକ କ୍ଷୟକ୍ଷତି

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଗୁରୁବାର ରାତିରେ ୟୁପିରେ ଅଚାନକ ପାଗରେ ପରିବର୍ତ୍ତନ ହୋଇଗଲା। ଅନେକ ଜିଲ୍ଲାରେ ଝଡ଼ ବର୍ଷା ହେଲା। ଶୁକ୍ରବାର ବି ଦିନସାରା ଏଭଳି ସ୍ଥିତି ଜାରି ରହିଥିଲା। ତେବେ ଅବଧ ଅଞ୍ଚଳରେ ବଜ୍ରପାତ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ବର୍ଷା ପାଇଁ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ମୁଜାଫରନଗର, ମୁରାଦାବାଦ୍, ନଜିବାବାଦ୍, ଲଖିମପୁର, ଗୋରଖପୁର, ବାରାଣସୀ, ପ୍ରତାଗରାଜ, ଗାଜିପୁର ଓ ମେରଠରେ ମଧ୍ୟ ବର୍ଷା ହୋଇଛି।

ସୁଲତାନପୁର ହଲିଆପୁରରେ ବର୍ଷା ସହ ବିଜୁଳି ମାରିଥିଲା। ଏଥିରେ ଛତିଶଗଡ ନିବାସୀ ମଜପୁର ଗାଁର ବାପପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଦିଲୀପ ଓ ରାଜକୁମାର। ଘଟଣାରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ସେହିପରି ଦୁବେପୁର ଓ ଭଦେୟାରେ ସ୍ବାମୀ ସ୍ତ୍ରୀ ସହ ୫ ଜଣ ଦରପୋଡ଼ା ହୋଇ ଯାଇଛନ୍ତି। ସେପଟେ ଆମ୍ବେଦକରନଗର କେଭିଟିରେ ଚାଷ ଜମିକୁ ଯାଉଥିବା ବେଳେ ବଜ୍ରାଘାତରେ ଜଣେ ୧୨ ବର୍ଷର ଶିଶୁ ନିଧିର ମୃତ୍ୟୁ ଘଟିଛି। ସୀତାପୁର ରେୱସାରେ ବଜ୍ରପାତରେ ପ୍ରୀତି କ୍ରାନ୍ତିର ମୃତ୍ୟୁ ହୋଇଥିବା ବେଳେ ଗୋସାଇଁଗଞ୍ଜରେ ବଜ୍ରପାତରେ ସୁନିଲ ବର୍ମାଙ୍କ ମୃତ୍ୟୁ ଘଟିଛି।

ଶନିବାର ମଧ୍ୟ ଉତ୍ତର ପ୍ରଦେଶରେ ଝଡ଼ ବର୍ଷା ସମ୍ଭାବନା ରହିଛି। ତାସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା କରାଯାଉଛି।