ସଂଗଠନକୁ କେତେ ସୁଦୃଢ କରି ପାରିବେ ପରାଜିତ ବିଜେଡ଼ି ନେତା!

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ବିଜେଡ଼ି ସଂଗଠନକୁ ସୁଦୃଢ କରିବା ପାଇଁ ନୂଆ ଜିଲ୍ଲା ସଭାପତି ଘୋଷଣା କରାଯାଇଛି। କିଛି ମନ୍ତ୍ରୀ, ଏମପି, ବିଧାୟକ ଓ ପରାଜିତ ନେତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ସଂଗଠନକୁ ମଜବୁତ୍ କରି ପାରିବାରେ କେତେ ସଫଳ ହେବେ ନିର୍ବାଚନରେ ପରାଜିତ ବିଜେଡ଼ି ନେତା!

ଗତ ସାଧାରଣ ନିର୍ବାଚନରେ ଉପକୂଳ ତଥା ପଶ୍ଚିମ ଓଡ଼ିଶାରେ ଅନେକ ନେତା ପରାଜିତ ହୋଇଛନ୍ତି। କିଛି ପରାଜିତ ନେତା ତଥା ଟିକେଟ କରାଯାଇଥିବା ନେତାଙ୍କୁ ବିଭିନ୍ନ ପଦ ପଦବୀରେ ଥଇଥାନ କରାଯାଇଛି। ଏହା ପରେ ବି ଆହୁରି କିଛି ପରାଜିତ ନେତା କୌଣସି ପଦ ପଦବୀରେ ଥଇଥାନ ହୋଇ ନାହାନ୍ତି। ଏବେ କିଛି ନେତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ବାଲେଶ୍ଵର ଲୋକସଭା ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ପରାଜିତ ହୋଇଥିଲେ ବିତ୍ତଶାଳୀ ନେତା ରବୀନ୍ଦ୍ର କୁମାର ଜେନା। ଅର୍ଥବଳ, ବାହୁବଳ, ପ୍ରଶାସନିକ କଳ, କୌଶଳ ସବୁ ନିର୍ବାଚନରେ ପ୍ରୟୋଗ ପରେ ବି ପ୍ରତାପଙ୍କ ଠାରୁ ହାରି ଯାଇଥିଲେ। ଚିଟ୍ ଫଣ୍ଡ ଦୁର୍ନୀତି ମାମଲାରେ ଛନ୍ଦି ହେବା କାରଣରୁ ଜନମତ ତାଙ୍କ ବିରୋଧରେ ଗଲା ବୋଲି ଚର୍ଚ୍ଚା ହେଉଛି। ସେହିପରି କଳାହାଣ୍ଡି ଲୋକସଭା ଆସନରୁ ବସନ୍ତ ପଣ୍ଡାଙ୍କ ଠାରୁ ହାରି ଯାଇଛନ୍ତି ପୁଷ୍ପେନ୍ଦ୍ର ସିଂହଦେଓ। ଜିଲ୍ଲାର ଅଧିକାଂଶ ବିଧାୟକ ବିଜୟୀ ହୋଇଥିବା ବେଳେ ଏମପି ଭୋଟରେ ଶୋଚନୀୟ ଭାବେ ହାରି ଯାଇଥିଲେ ପୁଷ୍ପେନ୍ଦ୍ର। ମୋଦୀ ଲହର ଆଗରେ ସବୁ ଫେଲ ମରିଗଲା।

ସେହିପରି ପୁରୀ ବିଧାନସଭାରେ ମହେଶ୍ୱର ମହାନ୍ତି, କଟକରେ ଦେବାଶିଷ ସାମନ୍ତରାୟ, ଜଟଣୀରେ ବିଭୂତି ବଳନ୍ତରାୟ, କେନ୍ଦୁଝରରେ ମାଧବ ସର୍ଦାର ଓ ଦେବଗଡ଼ରେ ରୋମାଞ୍ଚ ରଂଜନ ବିଶ୍ବାଳ ହାରି ଯାଇଥିଲେ। ନିର୍ବାଚନରେ ପରାଜୟ ପରେ କୌଣସି ପଦ ପଦବୀରେ ଏମାନଙ୍କୁ ଥଇଥାନ କରାଯାଇନଥିଲା। ମହେଶ୍ୱର, ରବୀନ୍ଦ୍ର, ପୁଷ୍ପେନ୍ଦ୍ର ରାଜ୍ୟସଭା ପାଇଁ ଲବି କରି ଫେଲ ମାରିଥିଲେ। ହେଲେ ଏବେ ଏମାନଙ୍କ ସହ ଅନେକ ପରାଜିତ ନେତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ପ୍ରଶ୍ନ ଉଠୁଛି, ଗତ ନିର୍ବାଚନରେ ଲୋକଙ୍କ ଦ୍ୱାରା ପ୍ରତ୍ୟାଖିତ ହୋଇଥିବା ନେତା ଏବେ ଲୋକଙ୍କୁ କେମିତି ନିଜ ପଟକୁ ଆକର୍ଷିତ କରିବେ। ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ, ଏହି ନେତାମାନେ ଦଳକୁ କେତେ ସୁଦୃଢ କରି ଆଗାମୀ ଦିନରେ ହେବାକୁ ଥିବା ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବେ।