କଣ ପାଇଁ ବଦଳିଲେ ବଲାଙ୍ଗିର ବିଜେପି ଜିଲ୍ଲା ସଭାପତି, ପଢନ୍ତୁ ଏହି ଖବର

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ବିଜେପି ଜିଲ୍ଲା ସଭାପତି ନିର୍ବାଚନ ଫଳାଫଳ ପ୍ରକାଶ ସହ ନୂଆ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ସଂଗଠନ ସୁଦୃଢ଼ କରିବା ପାଇଁ ନୂଆ ଚେହେରାକୁ ସୁଯୋଗ ଦିଆଯାଇଛି। ତେବେ ଭଲ ପ୍ରଦର୍ଶନ ସତ୍ତ୍ଵେ କଣ ପାଇଁ ବଲାଙ୍ଗିର ସଭାପତି ଭକ୍ତବନ୍ଧୁ ନାଏକଙ୍କୁ ପଦ ହରାଇବାକୁ ପଡିଲା ତାହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ। ଏକା ସାଙ୍ଗରେ ବ୍ଲକ୍ ସହ ଜିଲ୍ଲା ସଭାପତି ଦାୟିତ୍ୱ ତୁଲା ଉଥିଲେ। ଜିଲ୍ଲା ସଭାପତି ପଦରୁ ହଟିବା ପରେ ଏବେ ବ୍ଲକ୍ ଅଧ୍ୟକ୍ଷ ପଦବୀରେ କାର୍ଯ୍ୟ କରୁଥିବା ଭକ୍ତ ଜଣେ ଭଲ ସଂଗଠକ ଭାବେ ଜଣାଶୁଣା। ଦୁଇ ଥର ଜିଲ୍ଲା ସଭାପତି ଥିବା ସମୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା ବିଜେପି। ଜିଲ୍ଲା ପରିଷଦ ଗଠନ ସହ ପାଟଣାଗଡ, ବେଲପଡା ଓ ଖପ୍ରାଖୋଲରେ ମଧ୍ୟ ବ୍ଲକ୍ ଅଧ୍ୟକ୍ଷ ଗଠନ କରିଥିଲା। ଜିଲ୍ଲାରେ ସଂଗଠନକୁ ମଜବୁତ୍ କରିବା ସହ ଏବେ ବିଜେପି ଯେଉଁ ସ୍ଥିତିରେ ପହଞ୍ଚିଛି ତାହା ଭକ୍ତଙ୍କ କଠିନ ପରିଶ୍ରମର ଫଳ ବୋଲି କୁହାଯାଉଛି।

ତେବେ ଗତ ସାଧାରଣ ନିର୍ବାଚନରେ ବିଜେପି ବିଜେଡ଼ିଠାରୁ ବଲାଙ୍ଗିର ଲୋକସଭା ଆସନ ଛଡାଇ ଆଣିବାରେ ସଫଳ ହୋଇଥିଲା। କ୍ରମାଗତ ଦ୍ବିତୀୟ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା କଳିକେଶ ନାରାୟଣ ସିହଦେଓଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ସଙ୍ଗୀତା କୁମାରୀ ସିଂହଦେଓ। ହେଲେ ବିଧାନସଭା ନିର୍ବାଚନରେ ବିଜେପି ସେତେଟା ଭଲ ପ୍ରଦର୍ଶନ କରିନଥିଲା। ୫ମ ଥର ବିଜୟୀ ହୋଇଥିବା କନକ ବର୍ଦ୍ଧନ ସିଂହଦେଓଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ତାହା ପୁଣି ବିଜେଡ଼ିର ଜଣେ ପ୍ରଭାବହୀନ ଯୁବ ନେତା ସରୋଜ ମେହେରଙ୍କ ଠାରୁ। ସରୋଜଙ୍କୁ ନ୍ୟୁନ ମନେ କରିବାରୁ ପରିଣାମ ଓଲଟା ହୋଇଗଲା।

ଭକ୍ତ ବଦଳିବାର କାରଣ

ପାଟଣାଗଡ ବିଧାନସଭା ନିର୍ବାଚନରେ ବିଜେପି ପରାସ୍ତ ହେବା ପଛରେ ଭକ୍ତଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲା। ବିଜେଡ଼ି ସହ ଭିତିରିଆ ଡ଼ିଲ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ନିର୍ବାଚନ ଫଳାଫଳରେ ପ୍ରତିଫଳିତ ହେଲା। ରାଜାଙ୍କ ଅାନୁଗତ୍ୟ ଓ ବିଶ୍ବାସୀ ଭାବେ ଜଣାଶୁଣା ଭକ୍ତ ବିଜେପିକୁ ବିଜୟୀ କରିବାରେ ଅସଫଳ ହେଲେ। ଲୋକସଭା ଆସନ ଅକ୍ତିଆର କରିଥିଲେ ବି ବିଧାନସଭା ନିର୍ବାଚନରେ ଫେଲ ମାରିଥିଲେ। ଦୀର୍ଘ ୨୫ ବର୍ଷର ବିଜେପି ଗଡ ପାଟଣାଗଡ ହାତରୁ ଖସି ଯାଇଥିବା ବେଳେ ବିଜେଡ଼ି ହାତରୁ ଲୋଇସିଂହା ଆସନ ଛଡାଇ ଆଣିଲା ବିଜେପି। କିନ୍ତୁ ଜିଲ୍ଲାର ୫ ବିଧାନସଭା ଆସନରୁ କେବଳ ଗୋଟିଏରେ ବିଜେପି ଜିତିବାରେ ସକ୍ଷମ ହେଲା। କଣ୍ଟାବାଞ୍ଜି ଆସନରୁ ଜିତୁ ଜିତୁ ହାରି ଯାଇଥିବା ବେଳେ ପାଟଣାଗଡ ଆସନ ହାତରୁ ଖସିବା ଭକ୍ତଙ୍କୁ ମହଙ୍ଗା ପଡ଼ିଥାଇ ପାରେ।

ଆହୁରି ପ୍ରମୁଖ କାରଣ ହେଲା, ବିଜେଡ଼ି ବିଧାୟକ ସରୋଜ ମେହେରଙ୍କ ସହ ମିଶି ବିଜେପି ବିରୋଧରେ ମେଳି କରିବା ଭିଡିଓ ଭାଇରାଲ ଘଟଣା ଭକ୍ତଙ୍କ ଅସଲ ମୁଖା ଖୋଲି ଦେଇଥିଲା। ପାଟଣାଗଡ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ଖପ୍ରାଖୋଲ ଓ ବେଲପଡା ଅଧ୍ୟକ୍ଷାଙ୍କ ସ୍ବାମୀ ସହ ବିଜେଡ଼ି ବିଧାୟକଙ୍କୁ ଭେଟି ରାଜ ପରିବାର ବିରୋଧରେ ବିଶୋଦଗାର କରିଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଏପରିକି ରାଜ ପରିବାର ସହ ରହିଲେ କିଛି ଫାଇଦା ନାହିଁ ବୋଲି ମଧ୍ୟ ସମସ୍ତେ ବିଧାୟକଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପଟେ ବିଜେଡ଼ି ବିଧାୟକ ସରୋଜ ମେହେର ଷଡ଼ଯନ୍ତ୍ର କରି ବିଜେପି ସଂଗଠନକୁ ଦୁର୍ବଳ କରିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ଏମାନଙ୍କୁ ମୋହରା କରି ବିଜେପି ବିରୋଧରେ ମେଳି ନେଇ ଜନସାଧାରଣଙ୍କ ନିକଟରେ ସନ୍ଦେଶ ପହଞ୍ଚାଇବାରେ ସଫଳ ହୋଇଥିଲେ। କିନ୍ତୁ ଏହି ମେଳିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ ବିଧାୟକ ସରୋଜ ମେହେରଙ୍କ ପିସି ଡ଼ିଲ କାରବାର। ବିଧାୟକ ଭାବେ ଜିତିବା ପରେ ପରେ ସରୋଜ ମେହେର ଆଉ ପିସି କାରବାର ବନ୍ଦ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଏପରିକି ନିମ୍ନମାନର ରାସ୍ତାକାମ ଲାଗି ବିଭାଗୀୟ ଜେଇଙ୍କୁ ସର୍ବ ସମ୍ମୁଖରେ ଉଠବସ କରାଇଥିଲେ। ୫ ମିନିଟରେ ଶହେ ଥର ଉଠ ବସ୍ ନ ହେଲେ ଜନ ସାଧାରଣଙ୍କୁ ମାଡ଼ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବିଧାୟକ ସରୋଜ ମେହେର। ଏ ଘଟଣାର ଏତେ ପ୍ରତିବାଦ ହେଲା ଯେ ଜେଇଙ୍କୁ ଉଠବସ କରିଥିବା ବିଧାୟକ ସରୋଜ ମେହେର ନିଜେ ଅଡୁଆ ପରିସ୍ଥିତିରେ ପଡିଗଲେ। ଶେଷରେ ଝାରପଡ଼ା ଜେଲ ଯାଇ ନୂଆ ଇତିହାସ ରଚିଲେ ସରୋଜ ମେହେର। ବିଧାୟକ ଭାବେ ଜିତୁ ଜିତୁ ପିସି କାରବାର ନେଇ କଠୋର ଓ ତା ପରେ କାରାବରଣ କରି ପାଟଣାଗଡରେ ନୂଆ ଇତିହାସ ସୃଷ୍ଟି କରିବାରେ ବୋଧେ ସେ ପ୍ରଥମ ବିଧାୟକ।

ଜାମିନରୁ ଜେଲରୁ ବାହାରିବା ପରେ କିନ୍ତୁ ବିଧାୟକଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଦେଖା ଦେଇଥିଲା। ପିସି କାରବାର ବନ୍ଦ ଲାଗି କଡ଼ା ପଦଷେପ ନେଉଥିବା ବିଧାୟକ ସରୋଜ ମେହେର ନିଜେ ବ୍ଲକ ଅଧ୍ୟକ୍ଷଙ୍କୁ ଡାକି ପିସି କାରବାର ପାଇଁ ଡିଲ କରୁଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଗୋଟିଏ ପଟେ ବିଜେପି ନେତା କେଭି ସିଂହଦେଓଙ୍କ ଆନୁଗତ୍ୟ, ଅନ୍ୟପଟେ ବିଜେଡ଼ି ବିଧାୟକଙ୍କ ସହ ସାକ୍ଷାତ୍ କରି ଦଳ ବିରୋଧରେ ମେଳି କରିବା ଭକ୍ତଙ୍କ ଦୋମୁହାଁ ନୀତି ପଦାରେ ପଡିଲା। ବୋଧହୁଏ ଏହିସବୁ କାରଣରୁ ଭକ୍ତବନ୍ଧୁ ନାଏକଙ୍କୁ ଜିଲ୍ଲା ବିଜେପି ସଭାପତି ପଦ ହରାଇବାକୁ ପଡ଼ିଥାଇ ପାରେ ବୋଲି ଜୋରସୋର୍ ଚର୍ଚ୍ଚା ଚାଲିଛି।

ନୂଆ ସଭାପତି ଶିବାଜୀ

ଭକ୍ତବନ୍ଧୁ ନାଏକଙ୍କ ଜାଗାରେ ନୂଆ ଜିଲ୍ଲା ସଭାପତି ହୋଇଛନ୍ତି ଶିବାଜୀ ମହାନ୍ତି। ବିଶେଷ ସାଂଗଠାନିକ ଦକ୍ଷତା ନ ଥିବା ଶିବାଜୀଙ୍କୁ ଦଳ ଗୁରୁ ଦାୟିତ୍ଵ ଦେଇଛି। ଜିଲ୍ଲାରେ ଅନେକ ଅନୁଭବି ନେତା ଥାଉ ଥାଉ ଦଳ ଶିବାଜୀଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଅର୍ପଣ କରିଛି। ବଡ଼ ବଡ଼ ରଥି ମହାରଥୀଙ୍କୁ ପଛରେ ପକାଇ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ହାତେଇଛନ୍ତି ଶିବାଜୀ। ତେବେ କେବଳ କୃଷକ ମୋର୍ଚ୍ଚା ନେତା ଭାବେ କାର୍ଯ୍ୟ କରିଥିବା ଶିବାଜୀ ଜିଲ୍ଲାର ସଂଗଠନକୁ ସଜାଡ଼ିବାରେ କେତେ ସଫଳ ହେଉଛନ୍ତି ନା ଏବେ ଯାହା ଅଛି ତାକୁ ଆହୁରି ତଳକୁ ଖସାଉଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ଜଣା ପଡ଼ିବ।