ଭୂତ ନାଁରେ ଟଙ୍କା ଚଳୁ ଘଟଣା: ବ୍ଲକରୁ ଫାଇଲ ଗାୟବ, କିଏ ଦାୟୀ !

ଓଡ଼ିଶାବଡ଼ ଖବରସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା ବିଲାଇସର୍ଡାରେ ଭୂତ ଆକାଉଣ୍ଟରେ ଆବାସ ଟଙ୍କା ଚଳୁ ଘଟଣା ନେଇ ବ୍ଲକ୍ ପ୍ରଶାସନ ପକ୍ଷରୁ ଖୋଲତାଡ଼ ଆରମ୍ଭ। ପଞ୍ଚାୟତର ଜିଆରଏସ, ଜିଓ ଟେକ୍ ସହ ପୂର୍ବତନ ଏଇ, ବିପିସିଙ୍କୁ ଡାକି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି ବର୍ତ୍ତମାନର ବିଡ଼ିଓ ଯୁଧିଷ୍ଠିର ନାୟକ। ହେଲେ ମୃତ ଭଗବାନ ବାଗଙ୍କ ନାଁରେ ଟଙ୍କା ଉଠାଯାଇଥିବା ଫାଇଲର ପତ୍ତା ମିଳୁନି। ଫାଇଲ୍ ସମ୍ପର୍କରେ ପୂର୍ବତନ ସମସ୍ତ କର୍ମଚାରୀଙ୍କୁ ପଚାରି ବୁଝିଥିଲେ ବି ବିଡ଼ିଓ ପାଖରେ କୌଣସି ତଥ୍ୟ ଲାଗି ନଥିବା ଜଣାପଡ଼ିଛି। ତେବେ ବ୍ଲକରୁ କିଏ ଫାଇଲ୍ ଗାୟବ କଲା ତାହା ଜଣା ପଡ଼ିନଥିଲେ ମଧ୍ୟ ସନ୍ଦେହ ଘେରରେ ଫାଇଲ୍ ଦାୟିତ୍ୱରେ ଥିବା କର୍ମଚାରୀ। କିନ୍ତୁ କେହି କିଛି ନଜାଣିବା ଭଳି ଚୁପ୍ ରହିଛନ୍ତି।

ଯେହେତୁ ଭୂତ ଆକାଉଣ୍ଟରେ ଆବାସ ଟଙ୍କା ଉଠା ଯାଇଛି। ଏଭଳି ଘୋଟାଲା ଜଣଙ୍କ ଦ୍ଵାରା କରାଯିବା ସମ୍ଭବପର ନୁହଁ। ପଞ୍ଚାୟତ କର୍ମଚାରୀଙ୍କଠାରୁ ଆରମ୍ଭ କରି ବ୍ଲକ୍ ଯାଏ ଏଥିରେ ସଂପୃକ୍ତ ରହିଥିବା ସନ୍ଦେହ କରାଯାଉଛି। ଏଥିପାଇଁ ଜିଓ ଟେକ୍, ଜିଆରଏସ, ଇଓ ଓ ବିପିସିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।ଏମାନଙ୍କ ବିନା ସହମତିରେ ଟଙ୍କା ଉଠାଣ କରିବା କାଠିକର ପାଠ। ତେଣୁ ଏମାନଙ୍କ ମଧ୍ୟରୁ ଯେକେହି ଫାଇଲ୍ ଗାୟବ କରିଥିବା ସ୍ଵାଭାବିକ। ହେଲେ ବ୍ଲକରୁ ଫାଇଲ ଉଭାନ ହେଲା କେମିତି ? କିଏ, କିଭଳି ଭାବରେ ଫାଇଲ୍ ଗାୟବ କଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ଫାଇଲକୁ ଦାୟିତ୍ୱରେ ରଖିବା କାମ ହେଉଛି ବିପିସିଙ୍କର। କିନ୍ତୁ ଫାଇଲ ବ୍ଲକ୍ କାର୍ଯ୍ୟାଳୟରେ ନଥିବା କହିଛନ୍ତି ପୂର୍ବତନ ବିପିସି ସୀତାକାନ୍ତ ପୋଢ଼। ଏପରିକି ବ୍ଲକରୁ ଫାଇଲ ଗାୟବ ହୋଇଥିବା କଥାକୁ ସେ ସ୍ବୀକାର ମଧ୍ୟ କରିଛନ୍ତି। ଏବଂ ଗାୟବ ହୋଇଥିବା ଫାଇଲ୍ ଖୁବ୍ ଶୀଘ୍ର ମିଳିଯିବ ବୋଲି ଆଶା ରଖିଛନ୍ତି। ଏବଂ ଏଠି ହଜାର ହଜାର ଫାଇଲ୍ ରହିଛି, ହେଲେ ସେମଧ୍ୟରୁ ଫାଇଲ କିଏ ନେଲା କେମିତି ଜାଣିବି ବୋଲି କହିଛନ୍ତି ପୂର୍ବତନ ଵିପିସି ସୀତାକାନ୍ତ ପୋଢ଼। ଏଠି ପ୍ରଶ୍ନ ଉଠୁଛି, ତାଙ୍କ ହେପାଜତରେ ଥିବା ଫାଇଲ୍ ଗାୟବ ହେଲା କେମିତି? ବିପିସିଙ୍କ ଦାୟିତ୍ଵହୀନତା ନା ଖଳ କର୍ମଚାରୀଙ୍କ ସହ ଭିତିରି ସଲାସୁତୁରା ଯୋଗୁଁ ଫାଇଲ ଏବେ ଉଭାନ ହୋଇ ଯାଇଛି। ଘଟଣାର ଏତେ ଦିନ ପରେ ବି ପ୍ରଶାସନ ପକ୍ଷରୁ ସେମିତି ପଦକ୍ଷେପ ନିଆଯାଇନ ଥିବା କହିଛନ୍ତି ଅଭିଯୋଗକାରୀ ସତ୍ୟବାନ ବାଗ। ତେଣୁ ଏହାର ସଠିକ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣାପଡ଼ିବ।