ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ତହସିଲଦାର ଓ ଅତିରିକ୍ତ ତହସିଲଦାର ସସ୍ପେଣ୍ଡ। ଜମି କେଳେଙ୍କାରୀ ଘଟଣାରେ ତହସିଲଦାର ମଘବାନ୍ ବାଗ ଓ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଅନ୍ୟପଟେ ତହସିଲ କାର୍ଯ୍ୟାଳୟର ରେକର୍ଡ କିପର ମକରଧ୍ବଜ କାଲସାଏଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ଜମି କେଳେଙ୍କାରୀ ଘଟଣାରେ ଗିରଫ ସାଂଖ୍ୟ ୪କୁ ବୃଦ୍ଧି ପାଇଛି। ହେଲେ ଉପନିବନ୍ଧକ କାର୍ଯ୍ୟାଳୟର ତତ୍କାଳୀନ ମୁଖ୍ୟ କିରାଣୀଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଅଭିଯୋଗ ଅନୁସାରେ ବଲାଙ୍ଗିରର ବିଭିନ୍ନ ସ୍ଥାନରେ ପ୍ରକୃତ ଜମି ମାଲିକର ଅଜାଣତରେ ଜମି ବିକ୍ରୀ ନେଇ ସଙ୍ଗୀନ ଅଭିଯୋଗ ଆସିଥିଲା । ଏପରିକି ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ତାଙ୍କ ନାଁରେ ମଧ୍ୟ ଜମି ବିକ୍ରୀ ହୋଇଥିଲା । ୨୦୧୮ ରୁ ୨୦୨୦ ମସିହା ମଧ୍ୟରେ ହୋଇଥିବା ଜମି କେଲେଙ୍କାରୀରେ ସମ୍ପୃକ୍ତ ଥିବା ବଲାଙ୍ଗିର ଉପ ନିବନ୍ଧକ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଦୀପକ କୁମାର ବାଗଙ୍କୁ ଟାଉନ ପୋଲିସ୍ କଣ୍ଟାବାଞ୍ଜିରୁ ଉଠାଇ ଆଣି ତଦନ୍ତ କରୁଛି। ଅଭିଯୋଗ ଅନୁସାରେ ଜମିକିଣା ବିକାରେ ସେ ହିଁ ଲୋକଙ୍କ ପରିଚୟ ଓ ଜମିଜମା ରେକର୍ଡ ଠିକ ଥିବାର ରିପୋର୍ଟ ଦେଇଥିବାର ଜଣାପଡ଼ିଛି ।
ତେବେ ଏଥିରେ ଗୋଟିଏ ପଟେ ପୋଲିସ ତଦନ୍ତ କରୁଥିବା ବେଳେ ଅନ୍ୟପଟେ ଜିଲ୍ଲାପାଳ ଏହାର ତଦନ୍ତ କରି ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ନାଁରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଯାହାପରେ ଆଜି ରାଜ୍ୟ ସରକାର ଏହି ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। କେବଳ ଏହି ଘଟଣା ନୁହଁ, ଜିଲ୍ଲାରେ ଅନେକ ଜାଗାରେ ଜାଲିଆତି କରି ଜମି ବିକ୍ରି କରାଯାଇଛି। ଏହାର ସଠିକ ତଦନ୍ତ କରାଗଲେ ଆହୁରି ଅନେକ ଲୋକ ଏଥିରେ ଛନ୍ଦି ହେବା ଯଥେଷ୍ଟ ସମ୍ଭାବନା ରହିଛି।
