ଜମି ମାଲିକ ସାବଧାନ ! ଅସଲି ନାଁରେ ନକଲି ଫଟୋ ଲଗାଇ ଜମି ହଡ଼ପ

ଅପରାଧବଡ଼ ଖବରସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିରର ଜମି ମାଲିକ ସାବଧାନ ! ଆପଣଙ୍କ ଜମି ବି ହୋଇଯାଇ ଥାଇପାରେ ଉଭାନ ! କାରଣ ସହରରେ ଏମିତି ଜମି କେଳେଙ୍କାରୀ ଚାଲିଛି ଯେ, କିଛି ଟେର ବି ପାଇ ପାରିବେ ନାହିଁ। ଯଦି ଦୀର୍ଘ ବର୍ଷ ଧରି ସେମିତି ଜମି ପକାଇ ରଖିଛନ୍ତି ତାହେଲେ ସେହି ଜମି କେତେ ସୁରକ୍ଷିତ ତାହା କହିବା ମୁସ୍କିଲ। ଆପଣଙ୍କ ମାଲିକାନାରେ ଥିବା ଜମି ଅନ୍ୟ କେହି ବି ଅକ୍ଲେଶରେ ବିକି ଦେଇ ପାରିବ ଏଥିରେ କୌଣସି ସନ୍ଦେହ ନାହିଁ। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଜମି ମାଲିକ ଚେତାବନୀ ଭୁଏ। ତାଙ୍କ ନାମରେ ଅନ୍ୟ ଜଣେ ମହିଳାଙ୍କ ଫଟୋ ଲଗାଇ ସବୁ ଜମି ହଡ଼ପ କରାଯାଇଛି। ଯାହାର ଟେର ବି କେହି ପାଇ ପାରୁ ନାହାନ୍ତି।

ଧୁମାମରା ପରେ ବଲାଙ୍ଗିର ମେଡିକାଲ କଲେଜ ନିକଟରେ ଜମି କେଳେଙ୍କାରୀ ଘଟଣା ସାମ୍ନାକୁ ଆସିଛି। ଆଟଗାଁର ଚେତାବନୀ ଭୁଏ ମାଳିକାନାରେ ଥିବା ୧୦୨୨୦ ବର୍ଗ ଫୁଟ ଜମି ଜାଲିଆତି କରି ବିକ୍ରୀ କରାଯାଇଛି। ଅସଲି ମାଲିକ ନାରେ ନକଲି ଫଟୋ ଲଗାଇ ସବୁ ଜମି ବିକ୍ରି ହୋଇଛି। ଏନେଇ ଜମି ମାଲିକ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟକୁ ଅବଗତ କରାଇବା ସହ କୋର୍ଟଙ୍କ ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି। ସେପଟେ ଜାଲିଆତିରେ ଜମି ବିକ୍ରି ଖବର ଜାଣିବା ପରେ ଏନେଇ ଉପ ନିବନ୍ଧକ ମଧ୍ୟ ଟାଉନ ଥାନାରେ ଏକ ଏତଲା ଦେଇଛନ୍ତି।

ଅଭିଯୋଗ ଅନୁସାରେ ଗତ ମାସ ବାଡ କରିବା ପାଇଁ ଜମିକୁ ଯାଇଥିବା ବେଳେ ଅନ୍ୟ କେହି ଜଣେ ସେଠାରେ ନିର୍ମାଣ କାର୍ଯ୍ୟ ଚଳାଇଥିଲେ। ଏହା ଦେଖି ଜମି ମାଲିକର ହୋସ ଉଡ଼ି ଯାଇଥିଲା। ପରେ ଜମି ମାଲିକ ଜାଣିବାକୁ ପାଇଲେ ଯେ ଜାଲିଆତି କରି ତାଙ୍କ ଜମିକୁ କେହି ବିକ୍ରି କରି ଦେଇଛି। ତିନୋଟି ପର୍ଯ୍ୟାୟରେ ତାଙ୍କ ଜମି ବିକ୍ରି କରାଯାଇଛି। ପ୍ରଥମେ ୨୦୨୦ ସେପ୍ଟେମ୍ବର ୨୩ ତାରିଖରେ ପାଟଣାଗଡ ଉଲବା ଗାଁର ସରକାରୀ ଚାକିରିଆ ସୁନିଲ କୁମାର ନାଗଙ୍କୁ ୭୦ ଡିସିମିଲ ଓ ଦେଓଗାଁ କୁବୁରିମହୁଲ ଗାଁର ମୋତିଲାଲ ନାଗଙ୍କୁ ୬୯ ଡିସିମିଲ ଜମି ବିକ୍ରି କରାଯାଇଛି। ସେହିପରି ୨୦୨୦ ମସିହା ଅକ୍ଟୋବର ୫ ତାରିଖରେ ଖପ୍ରାଖୋଲ ଓଡ଼ିଆପାଲି ଗାଁର ବାସୁଦେବ ଭୁଏଙ୍କୁ ୪୬ ଡିସିମିଲ ଜମି ବିକ୍ରି କରାଯାଇଥିବା ବେଳେ ୨୦୨୦ ଡିସେମ୍ବର ୨୮ ତାରିଖରେ ଲୋଇସିଂହା ଦାନିପାଲି ଗାଁର ଗୋବିନ୍ଦ ଭୋଇକୁ ୩୩ ଡିସିମିଲ ଜମି ବିକ୍ରି କରାଯାଇଛି। ନକଲି ଭୋଟର ଆଇଡିରେ ଏହି ସବୁ କାରବାର ହୋଇଥିବା ଜଣା ପଡ଼ିଛି। ତେବେ ଅସଲି ଜମି ମାଲିକ ଚେତାବନୀ ଭୁଏ ନାମରେ ଅନ୍ୟ ଜଣେ ମହିଳାଙ୍କ ଫଟୋ ଲଗାଇ ସବୁ ଜମି ହଡ଼ପ ହୋଇଛି। ଏପରିକି ଚେତାବନୀ ଭୁଏ ଦସ୍ତଖତ ଦେଉଥିବା ବେଳେ ନକଲି ଟିପ ଚିହ୍ନ ମାରି ଜମି ବିକ୍ରି କରାଯାଇଛି।

ସୂଚନା ଅନୁସାରେ, ଗତ ୨୦୦୧ ମସିହା ସେପ୍ଟେମ୍ବର ୭ ତାରିଖରେ ଲର୍କିପାଲିର ଧଜାରାମ ବିଶିଙ୍କ ଠାରୁ ୧୦୨୨୦ ବର୍ଗଫୁଟ ଜମି କିଣିଥିଲେ ଚେତାବନୀ ଭୁଏ। ହେଲେ ଜମି କିଣିବାର ୨୦ ବର୍ଷ ପରେ ଜାଲିଆତି କରି ତାଙ୍କ ଜମିକୁ ଅନ୍ୟ ୪ ଜଣଙ୍କୁ ବିକ୍ରି କରା ଯିବା ସହ ପଟ୍ଟା ମଧ୍ୟ ହୋଇ ସାରିଛି। ଫଳରେ ଏବେ ଚେତାବନୀ ଭୁଏଙ୍କ ପଟ୍ଟାରେ ଇଞ୍ଚେ ବି ଜମି ଉପଲବ୍ଧ ନାହିଁ। ତେଣୁ ଜାଲିଆତି କରି ବିକ୍ରି ହୋଇଥିବା ଜମି ରଦ୍ଦ ହେବା ସହ ସବୁ ଜମି ତାଙ୍କ ମାଲିକାନାକୁ ଫେରାଇ ଆଣିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି। ତେବେ ଏହି ଜମି ଦୁର୍ନୀତିରେ ବିଭାଗୀୟ କର୍ମଚାରୀଙ୍କ ସହ ଜମି ମାଫିଆଙ୍କ ହାତ ଥିବା ସନ୍ଦେହ କରାଯାଉଛି।

ତେବେ ଜମି ଦଲାଲର ଚାଲାକି ମାନିବାକୁ ପଡ଼ିବ। ଯେମିତି କେଳେଙ୍କାରୀ ଧରା ନ ପଡିବ ସେଥିପାଇଁ ବ୍ୟାଙ୍କ ମାଧ୍ୟମରେ କାରବାର କରାଯାଇଥିବା ସୁରାକ ମିଳିଛି। ବ୍ୟାଙ୍କରେ ମଧ୍ୟ ନକଲି ଭୋଟର ପରିଚୟ ପତ୍ରରେ ଚେତାବନୀ ଭୋଇ ନାମରେ ଅନ୍ୟ ଜଣେ ମହିଳାଙ୍କ ଫଟୋ ଦେଇ ଆକାଉଣ୍ଟ ଖୋଲା ଯାଇଥିବା ଜଣା ପଡ଼ିଛି। ତେବେ ଏହି ଆକାଉଣ୍ଟରୁ କାହା ଆକାଉଣ୍ଟକୁ ଟଙ୍କା ପଠା ଯାଇଛି ତାର ସଠିକ ତଦନ୍ତ କରାଗଲେ ଅସଲ ଗୁମର ଖୋଲି ପାରନ୍ତା। ଏବଂ ଏହି ଜମି ଦୁର୍ନୀତିରେ କାହା କାହାର ସଂପୃକ୍ତି ରହିଛି ତାହା ସ୍ପଷ୍ଟ ହୋଇ ଯାଆନ୍ତା।