ଏନ୍ଏନ୍ ବ୍ୟୁରୋ I ଚିକିତ୍ସାରେ ଅବହେଳା ଲାଗି ରୋଗୀ ମୃତ୍ୟୁ ମାମଲା ନେଇ ଅଡୁଆରେ ସ୍ଵରାଜ ହସ୍ପିଟାଲ I ଜାଣି ଶୁଣି ମେଡିକାଲ ପକ୍ଷରୁ ରୋଗୀକୁ ମାରି ଦିଆଯାଇଥିବା ନେଇ ପୋଲିସ ମାମଲା ରୁଜୁ କରିଛି I ଏନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଘଟଣା ସମ୍ବନ୍ଧିତ ସମସ୍ତ କାଗଜପତ୍ର ମେଡିକାଲରୁ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି I ଏନେଇ ସଦର ଥାନାରେ ଦଫା 304 (A)ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା କହିଛନ୍ତି ସଦର ଏସଡିପିଓ ପ୍ରଦୀପ ସାହୁ I ତେବେ ଚିକିତ୍ସାରେ ଅବହେଳା ନେଇ ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ କହିଛନ୍ତି I
ଅନ୍ୟପଟେ ପୋଲିସ ତଦନ୍ତରେ ଅସନ୍ତୁଷ୍ଟ ହୋଇ ନ୍ୟାୟ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତ ପରିବାର I ହସ୍ପିଟାଲ ମାଲିକ ସୁଜ୍ଞାନୀ ମିଶ୍ରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିବା ସହ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି I ବିଭିନ୍ନ ପ୍ରକାର ଟେଷ୍ଟ କରାଇ ବେପରୁଆ ମନୋଭାବ ରଖି 2 ଲକ୍ଷ 40 ହଜାର ଟଙ୍କାର ବିଲ ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ I ଏପରିକି ସମୟ ସମୟରେ ଟଙ୍କା ନ ଦେଲେ ରୋଗୀର ମେଡ଼ିସିନ୍ ବନ୍ଦ କରି ଦେବାକୁ ଧମକ ମଧ୍ଯ ଦିଆ ଯାଇଥିଲା I ହେଲେ ରୋଗୀଙ୍କୁ ଡିସଚାର୍ଜ ପାଇଁ ପରିବାର ଲୋକେ ଅନୁରୋଧ କରିଥିଲେ ବି ମେଡିକାଲ କର୍ତ୍ତୃପକ୍ଷ ଶୁଣିନଥିଲେ I ଯଦ୍ୱାରା ରୋଗୀର ମୃତ୍ୟୁ ହୋଇଥିବାରୁ ମେଡିକାଲ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ I ଏବଂ ନ୍ୟାୟ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭେଟି ଗୁହାରି କରିଛନ୍ତି I ସେପଟେ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ I
ଅଭିଯୋଗ ଅନୁସାରେ, ଗତ 12 ତାରିଖ ରାତିରେ ପ୍ରସବ ଯନ୍ତ୍ରଣା ହେବାରୁ ଶ୍ରଦ୍ଧାଞ୍ଜଳି ମହାନନ୍ଦଙ୍କୁ ସ୍ଵରାଜ ମେଡିକାଲରେ ଭର୍ତ୍ତି କରାଯାଇଥିଲା I ସ୍ୱାସ୍ଥ୍ୟ ପରୀକ୍ଷା ପରେ ରାତିରେ ଡାକ୍ତର ସୁଜ୍ଞାନୀ ମିଶ୍ର ସିଏସ୍ କରିବା ପରେ ସେ ଚେତାଶୁନ୍ୟ ହୋଇ ପଡିଥିଲେ I ହେଲେ ତା ଆରଦିନ 13 ତାରିଖରେ ତାଙ୍କର ଚେତା ଫେରିଥିଲା I ହେଲେ ସେ ସମୟରେ ମେଡିକାଲ ଷ୍ଟାଫ୍ ଦଳିଆ ଖାଇବାକୁ ଦେଇଥିଲେ l ଏହାପରେ ପ୍ରସୂତିର ଦେହ ବିଗିଡିବା ସହ ରୋଗୀ ଗୁରୁତର ଥିବା କହି ବିଭିନ୍ନ ପରୀକ୍ଷା କରାଯାଇ 2 ଲକ୍ଷ 40 ହଜାର ଟଙ୍କା ବିଲ ଧରାଇ ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ I ଏପରିକି ଦୀର୍ଘ 5 ଦିନ ଧରି ପ୍ରସୂତିଙ୍କୁ ମେଡିକାଲରେ ରଖିବା ପରେ 17 ତାରିଖ ସକାଳେ ଜୋରଜବରଦସ୍ତ ଡିସଚାର୍ଜ କରି ଦେଇଥିଲେ I କିନ୍ତୁ ଯେତେବେଳେ ପରିବାର ଲୋକେ ଡିସଚାର୍ଜ କରିବା ପାଇଁ କହୁଥିଲେ ସେତେବେଳେ ମେଡିକାଲ କର୍ତ୍ତୃପକ୍ଷ କିଛି ଶୁଣିନଥିଲେ I ଫଳରେ ନିରୁପାୟ ହୋଇ ତାଙ୍କୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ I ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଏହାପରେ ମୃତଦେହ ଧରି ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ I ହେଲେ ଘଟଣାକୁ 6 ଦିନ ବିତି ଯାଇଥିଲେ ବି ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ I
