ଏନ୍ଏନ୍ ବ୍ୟୁରୋ I ଜିଲ୍ଲା ପ୍ରଶାସନ ତରଫରୁ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା,ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ପ୍ରମୁଖ ଉପସ୍ଥିତ ରହି ଅନ୍ୟମାନଙ୍କ ସହ ଯୋଗାସନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସରକାରୀ/ବେସରକାରୀ ସଂସ୍ଥାର କର୍ମଚାରୀ, ସାମ୍ବାଦିକ ତଥା ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ ।
ମନ୍ତ୍ର ଉଚ୍ଚାରଣ ପରେ ସ୍ଵାମୀ ତ୍ୟାଗରାଜ ଜୀ ମହାରାଜଙ୍କ ଦ୍ୱାରା ଯୋଗାଭ୍ୟାସ କରାଯାଇଥିଲା। ପଦ୍ମାସନ, ତାଡାସନ, ଭୁଜଙ୍ଗାସନ ଓ ଶବାସନ ଆଦି ଯୋଗାସନ କରାଯାଇ ତାର ଉପକାରିତା ସମ୍ପର୍କରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଘ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଅଫିସର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
