ଏନ୍ଏନ୍ ବ୍ୟୁରୋ। ପୌରାଞ୍ଚଳରେ ପିଇବା ପାଣି ଚିନ୍ତା। ବଲାଙ୍ଗିର ସହରରେ ଗ୍ରୀଷ୍ମ ପ୍ରବାହ ସମୟରେ ଦାଉ ସାଧିଛି ପିଇବା ପାଣି ସମସ୍ୟା । ସହରର ଅନେକ ସ୍ଥାନକୁ ଏବେବି ପାଇପ ଯୋଗେ ପାଣି ପହଞ୍ଚି ପାରିନାହିଁ। ଯେଉଁଠି ପାଇପ ଲାଇନ୍ ଅଛି ସେଠି ମଧ୍ୟ ଲୋକେ ନିୟମିତ ପାଣି ପାଉ ନାହାନ୍ତି। ଏପରିକି ଚାରି ଦିନରେ ଥରେ ଏକ ଘଣ୍ଟା ପାଇଁ ଦିଆ ଯାଉଥିବାରୁ ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ସେପଟେ ଏହାର ସମାଧାନ ପାଇଁ ଘନ୍ ଘନ ବୈଠକ ସତ୍ତ୍ୱେ ପରିସ୍ଥିତିରେ ସୁଧାର ଆସି ପାରୁ ନାହିଁ। ତେଣୁ ପାଣି ସମସ୍ୟା ଉପରେ ଅଧିକ ଗୁରୁତ୍ବ ଦେବା ସହ ନବ ନିର୍ବାଚିତ ପୌରାଧକ୍ଷା ଲିକା ସାହୁ ନିଜେ ସ୍ଥିତି ପରିଖିଛନ୍ତି। ବଲାଙ୍ଗିର ସହରକୁ ପାଣି ଆସୁଥିବା ଲିଫ୍ଟ ପଏଣ୍ଟକୁ ଯାଇ ସ୍ଥିତି ପରଖିଛନ୍ତି।
ବଲାଙ୍ଗିର ସହରକୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବୁନ୍ଦେଲ ବାହାଳ ଠାରୁ ପାଣି ଆସିଥାଏ। ହେଲେ ଏବେ ସେଠାରେ ପାଣି ସ୍ତର କମିଥିବ। ବେଳେ ବିଦ୍ୟୁତ୍ କାଟ ମୁଖ୍ୟ ସମସ୍ୟା ବୋଲି ଜଣା ପଡ଼ିଛି। ହେଲେ ଏହାର ସମାଧାନ ପାଇଁ ବଲାଙ୍ଗିର ପୌର ପରିଷଦ ଦେଢ଼ କୋଟି ଟଙ୍କାର ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍ ଜେନେରେଟର ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଛି । ଏବଂ ଏହାର ମଞ୍ଜୁରୀ ପାଇଁ ସରକାରଙ୍କ ପାଖକୁ ଏହି ପ୍ରସ୍ତାବ ପଠାଯିବ ବୋଲି ପୌରାଧାକ୍ଷା ଲିକା ସାହୁ କହିଛନ୍ତି। ଏହାଦ୍ବାରା ବଲାଙ୍ଗିର ସହରରେ ଆଉ ପିଇବା ପାଣିର ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି। ଏଥିରେ ତାଙ୍କ ସହ ବଲାଙ୍ଗିର ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ ଥିଲେ।
