ଜେଇ ମୃତ୍ୟୁ ଘଟଣାର ନୂଆ ମୋଡ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅପରାଧବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁ ମୃତ୍ୟୁ ଘଟଣାର ନୂଆ ମୋଡ଼। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ। ଆଜି ସକାଳେ ପରିବାର ଲୋକ ବଲାଙ୍ଗିରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ସେମାନେ କହିଛନ୍ତି।

କେବଳ ଏତିକି ନୁହେଁ, ମିଥ୍ୟା ବିଲ କରିବାକୁ ତାଙ୍କୁ ବାରମ୍ବାର ଧମକ ମିଳୁଥିବା ସେ ଆଗରୁ ପରିବାର ଲୋକଙ୍କୁ ଜଣାଇଥିଲେ । ଏଥିପାଇଁ ତାଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ସେପଟେ ପୋଲିସ୍ ସବୁ ଦିଗକୁ ଧ୍ୟାନ ଦେଇ ତଦନ୍ତ ଜାରି ରଖିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢିବ ବୋଲି ପୋଲିସ କହିଛି।

ଗତକାଲି କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସେ କଟକ ନିଆଳିର ମୂଳ ନିବାସୀ ହୋଇଥିବା ବେଳେ ଦେଢ଼ ବର୍ଷ ହେବ ଏଠାରେ କାର୍ଯ୍ୟରତ ଥିଲେ। ହେଲେ ଗତକାଲି ସକାଳୁ ପାଟଣାଗଡ଼ ବନକାବିହାର ଗାଁ ନିକଟ ରାସ୍ତା କଡ଼ରେ ତାଙ୍କ ମୃତଦେହ ଉଦ୍ଧାର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହେଲେ ସ୍ଵାଭାବିକ ମୃତ୍ୟୁ ନା ହତ୍ୟା ତାହା ସ୍ପଷ୍ଟ ହୋଇ ନାହିଁ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ଏବେବି କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ଉଠି ନାହିଁ।