ଉପମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ଜଳ ଯୋଗାଣ ପ୍ରକଳ୍ପ ଫେଲ୍: ଯନ୍ତ୍ରୀ, ଠିକାଦାର ବେଫିକର

ଓଡ଼ିଶାବଡ଼ ଖବରସ୍ପେଶାଲ

ବଲାଙ୍ଗିର, ଏନ୍ଏନ୍ ବ୍ୟୁରୋ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଞ୍ଚଳରେ ଜଳ ଯୋଗାଣ ପ୍ରକଳ୍ପ ଫେଲ୍ । ବର୍ଷ ବର୍ଷ ହେଲା ଚାଲିଛି କାମ। କିନ୍ତୁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ଯାହା ବି କରାଯାଇଛି ତାହା ଅତି ନିମ୍ନମାନର l ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ମହାଦୁର୍ନୀତିର ଗନ୍ଧ। କୂଅ ଉପରେ ଛାତ ନିର୍ମାଣ କରା ଯାଇନାହିଁ। ଦୂର୍ବଳିଆ କୂଅ କାମ ପାଇଁ ଭୂଷୁଡ଼ିବାରେ ଲାଗିଲାଣି। କିନ୍ତୁ ଅସାଧୁ ଠିକାଦାର ସହ ହାତ ମିଳାଇ ବିଭାଗୀୟ ଅଧିକାରୀ ଚୁପ୍। ପାଟଣାଗଡ ଆରଡବ୍ଲୁଏସଏସ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଅସାଧୁ ଠିକାଦାରଙ୍କ ମନମାନି ଯୋଗୁ ଲୋକେ ଦଶା ଭୋଗୁଛନ୍ତି।

ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକର କେରବେଡା ଗାଁରେ ନିର୍ମାଣାଧୀନ ଜଳ ଯୋଗାଣ ପ୍ରକଳ୍ପ ଅଧପନ୍ତରିଆ। କୂଅ ଓ ଓଭରହେଡ ଟାଙ୍କି ପାଇଁ ପ୍ରକଳ୍ପ ଚାଲୁ ରହିଥିଲେ ବି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନାହିଁ। କୂଅ ଉପରେ ଛାତ ନିର୍ମାଣ ହୋଇନଥିବା ବେଳେ ନିମ୍ନମାନର କାମ ଯୋଗୁଁ କୂଅ ଭୁଷୁଡି ଗଲାଣି। ଦୀର୍ଘ ୩ ବର୍ଷରୁ ଅଧିକ ସମୟ ହୋଇଥିଲେ ମଧ୍ୟ ସେଠାରେ ପରକ୍ପ ନେଇ ସୂଚନା ଫଳକ ଲଗା ଯାଇ ନାହିଁ। ଫଳରେ କାମ କେବେ ଆରମ୍ଭ ହୋଇଥିଲା ଓ କେବେ ଶେଷ ହେବ ତାହା ଲୋକେ ଜାଣି ପାରୁ ନାହାନ୍ତି।

ପ୍ରକଳ୍ପ ନେଇ ପାଟଣାଗଡ ଆରଡବ୍ଲୁଏସଏସ ଏସଡିଓ ଗଗନ ବିହାରୀ କିଷାନଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ ତଥ୍ୟ ଦେବାକୁ ନାରାଜ। ବଲାଙ୍ଗିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ତଥ୍ୟ ପାଇ ପାରିବେ ବୋଲି କହିଥିଲେ। କିନ୍ତୁ ଏନେଇ ଠିକାଦାରଙ୍କୁ ବାରମ୍ବାର ଚିଠି କଲା ସତ୍ତ୍ୱେ ସମ୍ପୃକ୍ତ ଠିକାଦାର କଥା ଶୁଣୁନ ଥିବା କହିଛନ୍ତି ଏସଡିଓ । ଆଶ୍ଚର୍ଯ୍ୟର କଥା ଯଦି ଠିକାଦାର ବିଭାଗୀୟ ଅଧିକାରୀଙ୍କୁ ଖାତିର କରୁନାହାନ୍ତି ତାହେଲେ ସେ ଅଞ୍ଚଳରେ ପ୍ରକଳ୍ପ କାର୍ଯ୍ୟ କିଭଳି ଚାଲିଥିବ। ସେପଟେ ବଲାଙ୍ଗିର ଜଳ ଯୋଗାଣ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରୌପ୍ୟ ରଞ୍ଜନ ବେହେରା ମଧ୍ୟ ସଠିକ ତଥ୍ୟ ଦେଇ ପାରୁ ନାହାନ୍ତି। ହେଲେ ପ୍ରକଳ୍ପ ମରାମତି କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି, ବିଭାଗୀୟ ଅଧିକାରୀ ଏବଂ ଅସାଧୁ ଠିକାଦାର ପ୍ରକଳ୍ପ କାର୍ଯ୍ୟ ନେଇ କେତେ ତତ୍ପର। ଏନେଇ ଡିଆରଡିଏ ବୈଠକରେ ମଧ୍ୟ ଜିଲ୍ଲା ପରିଷଦ ସଦସ୍ୟ କଥା ଉଠାଇଥିଲେ। କିନ୍ତୁ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ସେଭଳି ତତ୍ପରତା ଦେଖାଉ ନାହାନ୍ତି ବିଭାଗୀୟ ଅଧିକାରୀ। ଏଥିରୁ ସ୍ପଷ୍ଟ ଯେ, ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାରଙ୍କ ସମ୍ପର୍କ କେତେ। ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ଯଦି ସ୍ଥିତି ଏଭଳି ତାହେଲେ ଜିଲ୍ଲାର ଅନ୍ୟ ଅଞ୍ଚଳରେ କାର୍ଯ୍ୟ କେମିତି ଚାଲିଥିବ। ତେଣୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଦୁର୍ନୀତିଖୋର ଅଧିକାରୀ ଓ ଅସାଧୁ ଠିକାଦାର ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସେ ଉପରେ ରହିଛି ଜିଲ୍ଲାବାସୀଙ୍କ ନଜର।