ୟୁପି ହିନ୍ଦୁ ମହାସଭା ପ୍ରଦେଶ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଲକ୍ଷ୍ନୌରେ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା। ଅଖିଳ ଭାରତୀୟ ହିନ୍ଦୁ ମହାସଭା ପ୍ରଦେଶ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ରଣଜିତ୍ ବଚ୍ଚନ। ଗୁଳି ମାଡ଼ରେ ରଣଜିତଙ୍କ ଭାଇ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ରବିବାର ସକାଳ ପାଖାପାଖି ୬ଟା ସମୟରେ ହିନ୍ଦୁ ମହାସଭା ଅଧ୍ୟକ୍ଷ ରଣଜିତ ବଚ୍ଚନ ଭାଇ ସହ ମର୍ଣିଂ ଓ୍ୱାକରେ ଯାଇଥିଲେ। ହେଲେ ହଜରତଗଞ୍ଜ ଅଞ୍ଚଳ ସିଡିଆରଆଇ ନିକଟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ରଣଜିତଙ୍କ ମୁଣ୍ଡରେ ବାଜି ଥିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ହେଲେ ବଞ୍ଚାଇବାକୁ ଆସୁଥିବା ତାଙ୍କ ଭାଇଙ୍କୁ ମଧ୍ୟ ଗୁଳି ଲାଗିଛି। ଗୁଳି କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ତାଙ୍କ ଭାଇ ହାତରେ ଗୁଳି ଲାଗି ଥିବାରୁ ତାଙ୍କୁ ଟ୍ରାମାରେ ଭର୍ତ୍ତି କରାଯାଇଛି।

ଗୋରଖପୁରର ମୂଳ ବାସିନ୍ଦା ରଣଜିତ ବଚ୍ଚନ ହଜରତଗଞ୍ଜ ଓସିଆର୍ ବିଲ୍ଡିଂରେ ବି ବ୍ଲକରେ ରହୁଥିଲେ। ରଣଜିତ ସମାଜବାଦୀ ପାର୍ଟିର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରୁଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଚଳାଇଛି।

ସେପଟେ ଯୋଗୀ ସରକାର ଉପରେ ହମଲା କରିଛି ସମାଜବାଦୀ ପାର୍ଟି। ଲକ୍ଷ୍ନୌରେ ସ୍ପଷ୍ଟ ଦିବାଲୋକରେ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତେଣୁ ୟୁପି ସରକାର ତୁରନ୍ତ ଇସ୍ତଫା ଦେଇଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି।