ଶ୍ରମିକ ମୃତ୍ୟୁ ନେଇ ଟାଟା ଷ୍ଟିଲ ବିଏସଏଲରେ ଉତ୍ତେଜନା, ମୃତ୍ୟୁର କାରଣ ଅସ୍ପଷ୍ଟ!

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ପୁଣି ଶିଳ୍ପ ସଂସ୍ଥାରେ ଶ୍ରମିକ ମୃତ୍ୟୁ। ଏଥର ଅନୁଗୋଳ ଟାଟା ଷ୍ଟିଲ୍ ବି.ଏସ୍.ଏଲ କାରଖାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଟାଟା ଷ୍ଟିଲ ପ୍ଲାଣ୍ଟର ସନଟେକ୍ ଇଞ୍ଜିନିୟରିଂ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା ଶ୍ରମିକର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଅଁରପାଳ ଥାନା ଅରାହାଟ ଗାଁର ଗଣେଶ୍ଵର ଭୋଇଙ୍କ ପୁଅ ପ୍ରଫୁଲ୍ଲ ଭୋଇ। ତେବେ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ହୃତଘାତ ଯୋଗୁଁ ମୃତ୍ୟୁ ହୋଇଥିବା କମ୍ପାନୀ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି।

ଘଟଣା ଅନୁସାରେ, ଶନିବାର ପ୍ରଫୁଲ୍ଲ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ପ୍ଲାଣ୍ଟର ଆଶୁ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାର ପ୍ରତିବାଦରେ ପ୍ଲାଣ୍ଟରେ ଉତ୍ତେଜନା ଦେଖାଦେଇଥିଲା। ମୃତ ପ୍ରଫୁଲ୍ଲଙ୍କ ପରିବାର ଲୋକ ଓ ପ୍ଲାଣ୍ଟର ଶ୍ରମିକମାନେ କ୍ଷତିପୂରଣ ଦାବିରେ ମୁଖ୍ୟ ଫାଟକରେ ଆନ୍ଦୋଳନ କରିଥିଲେ। ଏପରିକି ବ୍ୟବଚ୍ଛେଦ ଲାଗି ମୃଦଦେହକୁ କମ୍ପାନୀର ଆମ୍ବୁଲାନ୍ସରେ ନେବା ବେଳେ ଆନ୍ଦୋଳନକାରୀ ଗାଡ଼ିକୁ ଅଟକାଇ ଥିଲେ। ଦୀର୍ଘ ସମୟ ଧରି ଫାଟକରେ ଆନ୍ଦୋଳନ ଜାରି ରହିଥିଲା।

ତେବେ ଏହାର ସମାଧାନ କରିବା ପାଇଁ ଶ୍ରମିକ ନେତା, ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ କମ୍ପାନୀ କର୍ତ୍ତୃପକ୍ଷ। ସନଟେକ୍ ଠିକା ସଂସ୍ଥା ପକ୍ଷରୁ ମୃତ ପ୍ରଫୁଲ୍ଲଙ୍କ ପରିବାରକୁ କ୍ରୀୟାକର୍ମ ପାଇଁ ୧ ଲକ୍ଷ ଟଙ୍କା, ସ୍ତ୍ରୀକୁ ମାସିକ ସହାୟତା ଓ ବଡ଼ ପୁଅକୁ ନିଯୁକ୍ତି ଦିଆଯିବା ନେଇ ଏକ ଚୁକ୍ତିନାମା ହେବା ପରେ ରାତି ୧୦ଟାରେ ଆନ୍ଦୋଳନ ହଟିଥିଲା। ହେଲେ କେଉଁ କାରଣରୁ ଶ୍ରମିକର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନି।ହୃତଘାତରେ ମୃତ୍ୟୁ ହୋଇଥିବା କମ୍ପାନୀ କର୍ତ୍ତୃପକ୍ଷ କହୁଥିଲେ ବି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି। ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ଯଦି ହୃତଘାତରେ ମୃତ୍ୟୁ ହୋଇଛି ତାହେଲେ କମ୍ପାନୀ କର୍ତ୍ତୃପକ୍ଷ ମୃତ୍ୟୁର କାରଣ ସ୍ପଷ୍ଟ କରୁ ନାହାନି କାହିଁକି? ଦୁର୍ଘଟଣାକୁ ଲୁଚାଇବା ପାଇଁ ଅଘଟଣର ରୂପ ଦିଆ ଯାଉନି ତ!

ଏହା ପୂର୍ବରୁ ଡାଲମିଆ ସିମେଣ୍ଟ କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଶ୍ରମିକ ଆହତ ହୋଇଥିଲେ। ବ୍ଳାଷ୍ଟ୍ ଫର୍ଣେସରୁ ଉତ୍ତପ୍ତ ଚୂନ ପଥର ଗୁଣ୍ଡ ପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଥିଲା। କେବଳ ଡାଲମିଆ କାରଖାନା ନୁହେଁ,ପୂର୍ବରୁ ନାଲକୋ, ବେଦାନ୍ତ, ଭୂଷଣ, ଏମସିଏଲ ଭଳି ଶିଳ୍ପ କାରଖାନାରେ ଅନେକ ନିରୀହ ଶ୍ରମିକଙ୍କ ଜୀବନ ଯାଇଛି। ତେବେ ଶିଳ୍ପ ସଂସ୍ଥାରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ଖଣି, ଶିଳ୍ପ ଓ ଶ୍ରମ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାଁନ୍ତି। ଯା ଫଳରେ ଶିଳ୍ପ ସଂସ୍ଥାରେ ଘଟଣାର ପୁନରାବୃତ୍ତି ଘଟୁଛି। ସବୁ ଜାଣି ଚୁପ ରହୁଥିବାରୁ ବିଭାଗର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି ହେଉଛି!