ନବନୀତା ବ୍ୟୁରୋ। ଜୀବନ ଯୁଦ୍ଧରେ ହାତିଗଲା ଉନ୍ନାଓ ଦୁଷ୍କର୍ମ ପୀଡ଼ିତା। ଶୁକ୍ରବାର ରାତି ୧୧.୪୦ ମିନିଟରେ ସଫଦରଜଙ୍ଗ ମେଡ଼ିକାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛି। ମେଡିକାଲ ପକ୍ଷରୁ ପୂର୍ବରୁ କୁହାଯାଉଥିଲା କି, ପୀଡ଼ିତା ୯୦ ପ୍ରତିଶତ ପୋଡି ଥିବାରୁ ଆସନ୍ତା ୪୮ ଘଣ୍ଟା ତାଙ୍କ ଲାଗି ବହୁତ୍ ଗୁରୁତ୍ୱପୂର୍ଣ୍ଣ ସମୟ।
ଗୁରୁବାର ବିଳମ୍ବିତ ରାତିରେ ପୀଡ଼ିତାଙ୍କୁ ଏୟାରଲିଫ୍ଟରେ ଲକ୍ଷ୍ନୌରୁ ସଫଦରଜଂ ମେଡିକାଲକୁ ଅଣାଯାଇଥିଲା। ତେବେ ପୀଡ଼ିତା ଚିକିତ୍ସା ସମୟରେ ଭାଇ ସହ ଶେଷ ଥର ପାଇଁ କଥା ହୋଇଥିଲା। ସେ ଭାଇକୁ କହି ଥିଲା ଯେଉଁମାନେ ମୋର ଏଭଳି ସ୍ଥିତି କରିଛନ୍ତି ସେମାନଙ୍କୁ କଦାପି ଛାଡ଼ିବୁ ନାହିଁ। ତା ସହ ଆହୁରି କହିଥିଲା ଯେ, ଏବେ ସେ ମାରିବାକୁ ଚାହୁଁ ନାହିଁ।

ଦୁଷ୍କର୍ମ ଅଭିଯୁକ୍ତ ତାଙ୍କୁ ଜଳାଇ ପୋଡି ମାରିବାକୁ ଉଦ୍ୟମ କରିଥିଲେ। ଯେତେବେଳେ ସେ ଘରୁ ଷ୍ଟେସନକୁ ଯାଉଥିଲା ସେତେବେଳେ ଏଭଳି କାଣ୍ଡ ଭିଆଇଥିଲେ ଅଭିଯୁକ୍ତ। ପାଖାପାଖି ୯୦ ପ୍ରତିଶତ ପୋଡି ଦିଆ ଯାଇଥିବାରୁ ତାଙ୍କ ଅବସ୍ଥା ସାଙ୍ଘାତିକ ହୋଇ ଯାଇଥିଲା। ତେଣୁ ତାଙ୍କୁ ଏୟାରଲିଫ୍ଟରେ ଲକ୍ଷ୍ନୌରୁ ଦିଲ୍ଲୀ ଅଣାଯାଇଥିଲା। ଡାକ୍ତରଙ୍କ କହିବା କଥା ହେଲା ରାତି ସାଢ଼େ ୮ଟାରୁ ପୀଡ଼ିତାଙ୍କ ଅବସ୍ଥା ବିଗିଡିବାକୁ ଲାଗି ଥିଲା। ଚିକିତ୍ସା ପରେ ଅବସ୍ଥା ଟିକେ ସୁଧୁରି ଥିଲା। ହେଲେ ରାତି ୧୧.୧୦ ରେ ପୁଣି ଥରେ ଅବସ୍ଥା ବିଗିଡି ଥିଲା। ଡାକ୍ତରୀ ଟିମ୍ ତୁରନ୍ତ ଇଞ୍ଜେକସନ ଦେଇଥିଲେ। କିନ୍ତୁ ୧୧.୩୦ରେ ହୃତଘାତ ଆସିବାରୁ ତାଙ୍କ ଶ୍ୱାସର ଗତି ଓ ବ୍ଲଡ୍ ପ୍ରେସର ବି କମି ଗଲା। ଏବଂ ୧୧.୪୦ ମିନିଟରେ ପୀଡ଼ିତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ସେପଟେ ଗଣ ଦୁଷ୍କର୍ମ ଓ ପୀଡ଼ିତାଙ୍କୁ ପୋଡି ମାରିବା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ତେବେ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି।
