ନବନୀତା ବ୍ୟୁରୋ। ଓପିଜିସିକୁ ଏନଜିଟି ଝଟକା। ହୀରାକୁଦ ଜଳଭଣ୍ଡାର ନିକଟରେ ଝାରସୁଗୁଡାର ବିଜୁଳି ଉତ୍ପାଦନ ଅଜେନ୍ସି ଓପିଜିସି ଆଶ ପଣ୍ଡର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ପରିବେଶ ମଞ୍ଜୁରୀର ମାନଦଣ୍ଡ ଉଲ୍ଲଂଘନ କରି ବେଆଇନ ଭାବେ ପାଉଁଶ ପୋଖରୀ ନିର୍ମାଣ କରାଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଗାଁରେ ରହିବା ପାଇଁ ଅଡ଼ୁଆ ପରିସ୍ଥିତି ଉପୁଜିଥିଲା। ଏଥିପାଇଁ ହୀରାକୁଦ ଜଳଭଣ୍ଡାର ନିକଟରେ ନିର୍ମାଣ ହୋଇଥିବା ପାଉଁଶ ପୋଖରୀର ନିରୀକ୍ଷଣ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ଏନଜିଟି।
ଏନଜିଟିର ମୁଖ୍ୟ ପୀଠ ପକ୍ଷରୁ ଭିଡିଓ କନଫରେନ୍ସ ମାଧ୍ୟମରେ କୋଲକାତାର ପୂର୍ବ ଶାଖାରେ ଏହି ମାମଲାର ଶୁଣାଣି କରିଥିଲେ। ଏଥିରେ ଜିଲ୍ଲାପାଳ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଉଛସ୍ତରୀୟ ସମିତି ଗଠନ କରିବା ପାଇଁ କହିଛନ୍ତି। ଏହି ସମିତି ଘଟଣାସ୍ଥଳର ନିରୀକ୍ଷଣ କରି ଟ୍ରୀବୁନାଲରେ ରିପୋର୍ଟ ଦାଖଲ କରିବେ। ତେବେ ବେଆଇନ ନିର୍ମାଣ ହୋଇଥିଲେ ଓପିଜିସି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଅଧିକାରୀଙ୍କୁ କୁହାଯାଇଛି।
ଝାରସୁଗୁଡ଼ା ଜିଲ୍ଲାପାଳ ଓ ଏସପିସିବି ସଂଯୁକ୍ତ ସମିତି ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିବେ। ଜାନୟାରୀ ୨୦ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ସମିତିକୁ ନିର୍ଦ୍ଦେଶ ଦିଆଯାଇଛି। ଏନଜିଟି ସ୍ପଷ୍ଟ କରି ସୂଚାଇ ଦେଇଛନ୍ତି ଯେ, ମାମଲାରେ କୌଣସି ପ୍ରକାର ଉଲ୍ଲଂଘନ ହୋଇଥିଲେ ଆଇନ୍ ଅନୁସାରେ ଓପିଜିସି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀଙ୍କ ସ୍ଵତନ୍ତ୍ର କ୍ଷମତା ରହିଛି। ତେବେ ପଦକ୍ଷେପ ଗ୍ରହଣ କରାଯାଇଥିବା ସମ୍ପର୍କିତ ରିପୋର୍ଟ ମଧ୍ୟ ଏସପିସିବି ଦ୍ଵାରା ପୃଥକ୍ ଭାବେ ଦାଖଲ କରାଯିବା ଉଚିତ୍।
ଏହା ପୂର୍ବରୁ ଏନେଇ ଗାଁ ଲୋକେ ଅଭିଯୋଗ କରିଥିଲେ। ଓପିଜିସି ସଂସାରୀକରା ଗାଁ ରେ ଏକ ପାଉଁଶ ପୋଖରୀ ନିର୍ମାଣ କରିଥିଲା। ବିନା ଜନ ଶୁଣାଣି କରି ବେଆଇନ୍ ଭାବେ ଆଶ ପଣ୍ଡ ନିର୍ମାଣ କୁ ପରିବେଶ ମଞ୍ଜୁରୀ ଦିଆଯାଇଥିବା ଗାଁ ଲୋକେ ଅଭିଯୋଗ କରିଥିଲେ।
କେବଳ ଏତିକି ନୁହେଁ, ଏହା ହୀରାକୁଦ ଜଳଭଣ୍ଡାର ନିକଟରେ ନିର୍ମାଣ କରାଯାଇଛି। ଯାହା ପରିବେଶ ମଞ୍ଜୁରୀ ସ୍ବୀକୃତି ଅନୁସାରେ ଜଳାଶୟର ୫୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଅାଶ ପଣ୍ଡ ନିର୍ମାଣ ନ ହେବାର ନିୟମ ରହିଥିବା ବେଳେ ଏହା ସେହି ମାନଦଣ୍ଡ ବି ଉଲଂଘନ କରୁଛି । ଏପରିକି ପାଉଁଶ ପୋଖରୀ ଠାରୁ ମାତ୍ର ୪୮ ମିଟର ଦୂରରେ ଗାଁ ରହିଛି। ଯଦ୍ଵାରା ବସ୍ତି ବାସିନ୍ଦା ଜୀବନ ଜିଇଁବା ପାଇଁ ମୁସ୍କିଲ ହୋଇ ପଡୁଥିଲା।
