ବିଡିସିସିରୁ ୮ ଲକ୍ଷ ଚୋରି ଘଟଣାର ପର୍ଦ୍ଦାଫାଶ, ୨ ଗିରଫ

ଅପରାଧଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ଧରା ପଡ଼ିଲା ବଲାଙ୍ଗିର ବିଡିସିସିରୁ ଟଙ୍କା ଉଠାଣ ଘଟଣା। ବ୍ୟାଙ୍କରୁ ଏଟିଏମ୍ ଓ ପାସୱାର୍ଡ ଚୋରି କରି ଲକ୍ଷାଧିକ ଟଙ୍କା ଉଠାଇଥିବା ଅଭିଯୋଗରେ ପୋଲିସ ୨ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୀଳମଣି ତ୍ରିପାଠୀ ଓ ସ୍ବାଗତ କୁମାର ମିଶ୍ର। ତେବେ ନୀଳମଣି ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ତାଙ୍କ ଠାରୁ ନଗଦ ୪ ଲକ୍ଷ ଟଙ୍କା ଜବତ କରାଯାଇଥିବା ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଏମ୍. ସନ୍ଦୀପ ସମ୍ପଦ ସୂଚନା ଦେଇଛନ୍ତି।

କେମିତି ଧରା ପଡ଼ିଲା ଟଙ୍କା ଚୋରି!

ବ୍ୟାଙ୍କର କିଛି ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ନେଇ ଜମାକାରୀ ବିଏମଙ୍କୁ ଅବଗତ କରିଥିଲେ। ଏନେଇ ବିଭାଗୀୟ ଅଧିକାରୀଙ୍କ ଅନୁସନ୍ଧାନ ପରେ ୧୨ ଟି ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଥିବା ଜଣା ପଡ଼ିଥିଲା। ଏହା ପରେ ଅକ୍ଟୋବର ୪ ତାରିଖରେ ବିଡିସିସି ବିଏମ୍ ଜ୍ୟୋସ୍ନାମୟୀ ପ୍ରଧାନ ଟାଉନ୍ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ହେଲେ ବିନା ଏଟିଏମ୍ ଓ ପାସୱାର୍ଡରେ କେମିତି ଭାବରେ ଟଙ୍କା ହେଲା ସେନେଇ ଅନୁସନ୍ଧାନ ଚଳାଇଥିଲା ପୋଲିସ। ଏହା ପରେ ବ୍ୟାଙ୍କର ଅସ୍ଥାୟୀ ଡାଟା ଅପରେଟର ନୀଳମଣି ତ୍ରିପାଠୀ ହିଁ ଘଟଣାର ମୁଖ୍ୟ ଆସାମୀ ବୋଲି ବ୍ୟାଙ୍କ୍ କର୍ମଚାରୀ ସନ୍ଦେହ କରିଥିଲେ। ଏନେଇ ତଦନ୍ତ କରିବା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ନୀଳମଣି ତ୍ରିପାଠୀ ଓ ତା ସହଯୋଗୀ ସ୍ବାଗତ କୁମାର ମିଶ୍ରଙ୍କୁ ପୋଲିସ ଗିରଫ କରିଛି।

ଏଟିଏମରୁ କେମିତି ଉଠାଉଥିଲେ ଟଙ୍କା!

ମୁଖ୍ୟ ଅଭିଯୁକ୍ତ ନୀଳମଣି ତ୍ରିପାଠୀ ବ୍ୟାଙ୍କରୁ ଏଟିଏମ୍ ଓ ପାସୱାର୍ଡ ଚୋରି କରି ଆଣିଥିଲା। ଯେହେତୁ ସେ ବ୍ୟାଙ୍କରେ ଅସ୍ଥାୟୀ ଡାଟା ଅପରେଟର ଭାବେ କାର୍ଯ୍ୟ କରୁଥିଲା ତେଣୁ ତା ପାଖରେ ଏନେଇ ଟିକନିକ୍ ଖବର ଥିଲା। ଫଳରେ ଏଟିଏମ୍ ଓ ପାସୱାର୍ଡ ଆଣିବାରେ ଅତି ସହଜସାଧ୍ୟ ହୋଇଥିଲା। ଟଙ୍କା ଚୋରି ଧରା ପଡ଼ିଯିବା ଆଶଙ୍କାରେ ସୁରକ୍ଷା କର୍ମୀ ନଥିବା ଏଟିଏମ୍ ଉପରେ ଟାର୍ଗେଟ କରୁଥିଲେ। ମୁଖ୍ୟ ଅଭିଯୁକ୍ତ ନୀଳମଣିଙ୍କ ଇସାରାରେ ଶିଷ୍ୟ ସ୍ବାଗତ ହେଲମେଟ ପିନ୍ଧି ଏଟିଏମରୁ ଟଙ୍କା ଉଠାଉଥିଲା। କେବଳ ଏତିକି ନୁହେଁ, ଆକାଉଣ୍ଟକୁ ମୋଡ଼ିଫାଇ କରି ବି ଟଙ୍କା ଉଠାଇଛନ୍ତି। ଘଟଣାରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଏମ୍. ସନ୍ଦୀପ ସମ୍ପଦ। ତାସହ ଉଭୟଙ୍କୁ ରିମାଣ୍ଡରେ ଆଣି ଘଟଣାର ଖୋଳତାଡ କରିବାକୁ ଏସପି କହିଛନ୍ତି। ତେବେ ୧୨ ଟି ଆକାଉଣ୍ଟରୁ ଉଠା ଯାଇଥିବା ୮ ଲକ୍ଷ ୩୧ ହଜାର ଟଙ୍କା ମଧ୍ୟରୁ ୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଅବଶିଷ୍ଟ ଟଙ୍କା ମଧ୍ୟ ମିଳିବା ନେଇ ଆଶାବ୍ୟକ୍ତ କରିଛନ୍ତି ଆରକ୍ଷୀ ଅଧିକ୍ଷକ। ତେବେ ଏହି ଘଟଣାରେ ଆଉ କାହାର ସମ୍ପୁକ୍ତି ଅଛି କି ନାହିଁ ସେନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।