ଡାକ୍ତରଙ୍କୁ ଆକ୍ରମଣ ନେଇ ମେଡିକାଲରେ ଉତ୍ତେଜନା

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ମେଡ଼ିକାଲରେ ଉତ୍ତେଜନା। କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ନେଇ ତାତିଲେ ଡାକ୍ତର। ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ଜଲଦି ଗିରଫ ଦାବିରେ ଡାକ୍ତର ସମୂହ ଆନ୍ଦୋଳନକୁ ଓହ୍ଲାଇଥିଲେ । ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନା ପରିସରରେ ଧାରଣା ଦେବା ସହ କାର୍ଯ୍ୟବନ୍ଦ କରିଛନ୍ତି। ଏପରିକି ଡାକ୍ତରଖାନାରେ ସବୁ ଗେଟ ବନ୍ଦ କରି ତୀବ୍ର ଆନ୍ଦୋଳନ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥଲା। ଡାକ୍ତରଖାନା ଭିତରକୁ ଆମ୍ବୁଲାନ୍ସ ନ ଛାଡିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ନେଇ ପବ୍ଲିକ ଓ ଡାକ୍ତରଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ହୋଇଥିଲା। ପରେ ପୋଲିସ ଓ ମେଡ଼ିକାଲ କଲେଜ ଡାକ୍ତରଖାନା ଅଧିକ୍ଷକଙ୍କ ହସ୍ତକ୍ଷେପ ପରେ ମାମଲା ଶାନ୍ତ ହୋଇଥିଲା। ଖବର ପାଇ ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଡାକ୍ତରଙ୍କ ସହ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସେପଟେ ପୋଲିସ ତିନୋଟି ଟିମ ଗଠନ କରି ଆକ୍ରମଣକାରୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।

ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟା ପଞ୍ଚଟାରେ ଆଉଟ ଡୋର ଡ୍ୟୁଟି ସାରି କଲେଜକୁ ଫେରୁଥିଲେ ଡାକ୍ତର ବିଶ୍ୱରଂଜନ ସାହୁ। ହେଲେ ଲାଲଟିକ୍ରାଠାରେ ତାଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଓ ପୋଲିସ ଉଦ୍ଧାର କରି ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥଲେ । ଗୁରୁତର ଡାକ୍ତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ସେପଟେ ଆକ୍ରମଣ ଘଟଣାକୁ ଗୁରୁତର ଭାବେ ନେଇଛି ବଲାଙ୍ଗିର ପୋଲିସ। ଏକାଧିକ ଟିମ ଗଠନ କରି ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଚାଲିଥିବା କହିଛନ୍ତି ବଲାଙ୍ଗିର ଏସପି ରିଷିକେଶ ଖିଲାରୀ। ଘଟଣାରେ ଜଡ଼ିତ ସମସ୍ତ ଅଭିଯୁକ୍ତକୁ ଶୀଘ୍ର ଧରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଏସପି ସୂଚନା ଦେଇଛନ୍ତି । ଅନ୍ୟପଟେ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମେଡିକାଲ ଅଧିକ୍ଷକ ମାନସୀ ପଣ୍ଡା । ଏଭଳି କାରଣ ଯୋଗୁ ଡାକ୍ତରମାନେ ଭୟଭୀତ ଥିବାରୁ ରୋଗୀ ସେବା ଉପରେ ପ୍ରଭାବ ପଡିବ ବୋଲି ସେ କହିଛନ୍ତି। ହେଲେ ସ୍ୱାସ୍ଥ୍ୟ ସେବା ଯେମିତି ବିପର୍ଯ୍ୟସ୍ତ ନ ହେବ ସେଦିଗରେ ପଦକ୍ଷେପ ନିଆଯିବାକୁ କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ତେବେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଘଟଣା ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଅଭିଯୁକ୍ତ ବିରୋଧରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ସେ ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply