ଏନ୍ଏନ୍ ନ୍ୟୁଜ। ପୌରାଧ୍ୟକ୍ଷାଙ୍କ ପ୍ରଦୂଷଣ ଚିନ୍ତା। ଦୁର୍ଗା ପୂଜା ପରେ ମେଢ଼ ବିସର୍ଜନ ଯୋଗୁଁ ସହରର ବିଭିନ୍ନ ପୋଖରୀ ଓ ଗାଡିଆ ପ୍ରଦୂଷିତ ହୋଇଥାଏ। ତେବେ ଏଥର ପ୍ରଦୂଷଣ ରୋକିବା ପାଇଁ ପୌର ପରିଷଦ ପକ୍ଷରୁ ନିଆରା ପଦକ୍ଷେପ ନିଆଯାଇଛି। ମହାରାଣୀ ସାଗର ନିକଟରେ ଏକ ଅସ୍ଥାୟୀ ଗାଡିଆ କରାଯାଇଛି। ଯେଉଁଠି ସହରର ସମସ୍ତ ମେଢ଼ ବିସର୍ଜନ କରାଯିବ। ଏନେଇ ସହରର ସମସ୍ତ ପୂଜା କମିଟିକୁ ଜଣାଇବା ସହ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଛି।
ଆଜି ଦୁର୍ଗାଙ୍କ ମହାଦଶମୀ ପୂଜା ଶେଷ ହେବା ସହ ପୂର୍ଣ୍ଣାହୁତି ମଧ୍ୟ ସରି ଯାଇଛି। ଦିନେ ଦୁଇ ପରେ ସହରର ପ୍ରାୟ ସମସ୍ତ ପୂଜା କମିଟି ପକ୍ଷରୁ ମାଙ୍କୁ ମେଲାଣି ଦିଆଯିବ। ବିରାଟ ପଟୁଆରରେ ମାଙ୍କ ବିସର୍ଜନ କରାଯିବ। ଏଥିପାଇଁ ପୌର ପରିଷଦ ପକ୍ଷରୁ ମହାରାଣୀ ସାଗର ନିକଟରେ ଏକ ଅସ୍ଥାୟୀ ଗାଡିଆ ନିର୍ମାଣ କରାଯାଇଛି। ଏହିଠାରେ ହିଁ ମାଙ୍କୁ ବିସର୍ଜନ କରିବା ପାଇଁ ସମସ୍ତ ପୂଜା କମିଟିକୁ ନିବେଦନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ। ତେବେ ପ୍ରଦୂଷଣ ରୋକିବା ପାଇଁ ଏଥର ପୌର ପରିଷଦ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଲିକା ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ବଲାଙ୍ଗିର ସହରରେ ୨୧ଟି ମଣ୍ଡପ ଓ ୩ ଟି ଦେବୀ ପୀଠରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଛି।
