ଏନ୍ଏନ୍ ବ୍ୟୁରୋ I ଜେଲ ଗଲେ କୁବେର ଅଧିକାରୀ I ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ସୋନପୁର ସିଏସଓ ସୁରେଶ କୁମାର ପାଣିଗ୍ରାହୀ ଜେଲ ଯାଇଛନ୍ତି I ତାଙ୍କ ଆୟଠାରୁ 280 ଗୁଣ ସମ୍ପତ୍ତି ଠୁଳ କରିଥବା ସୂଚନା ଦେଇଛନ୍ତି ସମ୍ବଲପୁର ଭିଜିଲାନ୍ସ ଏସ୍ପି ସରୋଜ ସାମଲ I କୁବେର ସିଏସ୍ଓଙ୍କ 19ଟି ପ୍ଲଟ, ଦୁଇଟି ବିଲ୍ଡିଂ, ଗୋଟିଏ ଫାର୍ମ ହାଉସ, 1କୋଟି 72 ଲକ୍ଷର ବ୍ୟାଙ୍କ ଜମା ଓ ନଗଦ 1 ଲକ୍ଷ 49 ହଜାର ଟଙ୍କା ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି। ଭିଜିଲାନ୍ସ ଏସ୍ପିଙ୍କ ସୂଚନା ଅନୁସାରେ, ବଲାଙ୍ଗିର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଆଦେଶରେ ସୋନପୁର ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ତଦନ୍ତ ହୋଇଥିଲା। ଏଥିପାଇଁ ଭିଜିଲାନ୍ସର ଚାରିରୁ ଅଧିକ ଟିମ ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲେ।
ସିଏସଓଙ୍କ ବଲାଙ୍ଗିରରେ ଦୁଇଟି ବିଲଡିଂ, ବରଗଡ଼ ଜିଲାରେ ଗୋଟିଏ ବିଲ୍ଡିଂ, ଏକ ଫାର୍ମ ହାଉସ, ବଲାଙ୍ଗିର , ବରଗଡ଼, ସମ୍ବଲପୁର ଓ ଭୁବନେଶ୍ୱରଠାରେ 19ଟି ପ୍ଲଟ ରହିଛି I ଏଥିସହ ତାଙ୍କଠାରୁ ବ୍ୟାଙ୍କ ଜମା 1 କୋଟି 72 ଲକ୍ଷ ଓ ନଗଦ ଏକ ଲକ୍ଷ 49 ହଜାର ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ଏସ୍ପି କହିଛନ୍ତି I ହେଲେ ଆୟର ଉତ୍ସର ତଥ୍ୟ ଦେଇ ପାରି ନଥିବା ବେଳେ ସେ 280 ଗୁଣ ସମ୍ପତ୍ତି ଠୁଳ କରିଥବା ଜଣା ପଡିଛି। ତେଣୁ ତାଙ୍କୁ ସମ୍ବଲପୁର କେସ ନମ୍ବର 27 ରେ ଦଫା 13(2) 13(1)(ବି) 12 ପିସିରେ କୋର୍ଟ ଚାଲାଣ କରାଯାଇଛି। କେବଳ ଏତିକି ନୂହେଁ, ବଲାଙ୍ଗିରର ଏକ ବ୍ୟାଙ୍କରେ ଲକର ଥିବା ଜଣା ପଡିଛି I ତାସହ ଟଙ୍କା ଠୁଳ କାରବାରରେ ସୋନପୁର ଜିଲ୍ଲାର କିଛି ମିଲର୍ସଙ୍କ ସମ୍ପୃକ୍ତି କଥା ମଧ୍ଯ ସାମ୍ନାକୁ ଆସୁଛି I ହେଲେ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଜାରି ରହିଥିବା ସମ୍ବଲପୁର ଭିଜିଲାନ୍ସ ଏସ୍ପି ସରୋଜ ସାମଲ କହିଛନ୍ତି I