ନାଗସାପର ଦାନ୍ତ କାଟି ନିର୍ଯାତନା ଘଟଣାର ଅଭିଯୁକ୍ତ ବୀର ଗିରଫ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ନାଗରାଜର ଦାନ୍ତ କାଟିବା ମହଙ୍ଗା ପଡିଲା। ନେଲ କଟରରେ ନାଗ ସାପର ଦାନ୍ତ କାଟି ନିର୍ଯାତନା ଘଟଣାର ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ୍ ବିଲାଇସର୍ଡା ଗାଁର ବୀର ବିଶ୍ଵାଳ। ନିଶାସକ୍ତ ଅବସ୍ଥାରେ ନାଗ ସାପର ଦାନ୍ତ କାଟି ଥିବା ସ୍ବୀକାର କରିଛି ଅଭିଯୁକ୍ତ। ୱାଇଡ ଲାଇଫ ଏକ୍ଟର ଉଲଂଘନ ଅଭିଯୋଗରେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ବଲାଙ୍ଗିର ରେଞ୍ଜର କେଶବ ନାଏକ। ୫୧, ୧ ଓ ୫୧, ୧ (ଏ) ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।

ବନ ବିଭାଗ ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ବିକାଇସର୍ଡା ଗାଁର ସାପ ଧରାଳି ବୀର ବିଶ୍ଵାଳ ଏକ ବିଷଧର ସାପ ଧରିଥିଲା। ପରେ ସାପକୁ ଗାଁକୁ ଆଣି ଲୋକଙ୍କ ସମ୍ମୁଖରେ ପ୍ରଦର୍ଶିତ କରିବା ସହ ନେଲ କଟରରେ ସାପର ଦାନ୍ତ କାଟି ଥିବା ଦୃଶ୍ୟ ଭାଇରାଲ ହୋଇଥିଲା। ହେଲେ ଘଟଣାକୁ ବନ ବିଭାଗ ଗୁରୁତର ଭାବେ ନେଇ ତଦନ୍ତ ଚଳାଇଥିଲା। ଗତକାଲି ଉକ୍ତ ଗାଁକୁ ଯାଇ ବନ ବିଭାଗ ଛାନଭିନ କରିଥିଲେ ବି ଅଭିଯୁକ୍ତ ଫେରାର ମାରି ଥିବାରୁ ଧରିବାରେ ସଫଳ ହୋଇନଥିଲେ। ହେଲେ ରାତି ୧୨ ବଜେ ଅଭିଯୁକ୍ତ ବୀର ବିଶ୍ଵାଳକୁ ବିଲାଇସର୍ଡା ଗାଁରୁ ଗିରଫ କରିବାରେ ସଫଳ ହୋଇଛି ବନ ବିଭାଗ। ନାଗ ସାପର ଗରଳ ସଂଗ୍ରହ ଘଟଣାରେ ଅଭିଯୁକ୍ତର ସମ୍ପର୍କ ନ ଥିବା ବେଳେ ଯଦି ସେମିତି ଲିଙ୍କ ଆସେ ତାହେଲେ ସେନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ରେଞ୍ଜର। ଏବଂ ଘଟଣାରେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ରେଞ୍ଜର।