ନବନୀତା ବ୍ୟୁରୋ, ଭୁବନେଶ୍ୱର/ଦିଲ୍ଲୀ: ବଦଳିଲେ ରାଜ୍ୟପାଳ । ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ କେତେ ରାଜ୍ୟର ରାଜ୍ୟପାଳଙ୍କୁ ପରିବର୍ତ୍ତନ କରିଛନ୍ତି । ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ଉତ୍ତର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ ଏଠାରେ ରାମ ନାଇକ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ । ସେହିପରି ଲାଲଜି ଟଣ୍ଡନଙ୍କୁ ମଧ୍ୟପ୍ରଦେଶର ରାଜ୍ୟପାଳ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ସେ ବିହାରର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ ।
ଏଥିସହ ଜଗଦୀପ ଧନକଡ଼ଙ୍କୁ ପଶ୍ଚିମବଂଗ ଓ ରମେଶ ବୈସଙ୍କୁ ତ୍ରିପୁରା ରାଜ୍ୟପାଳ ନିଯୁକ୍ତ କରାଯାଇଛି । ସେହିପରି ଫାଗୁ ଚୌହାନଙ୍କୁ ବିହାର ଓ ଆରଏନ ରବିଙ୍କୁ ନାଗାଲାଣ୍ଡର ରାଜ୍ୟପାଳ ନିଯୁକ୍ତ କରାଯାଇଛି ।
ଏହା ପୂର୍ବରୁ ଗତ ୧୫ ତାରିଖରେ ରାଷ୍ଟପ୍ରତି ହିମାଚଳ ପ୍ରଦେଶ ଓ ଗୁଜୁରାଟ ରାଜ୍ୟର ନୂଆ ରାଜ୍ୟପାଳ ନିଯୁକ୍ତି କରିଥିଲେ । ହିମାଚଳ ପ୍ରଦେଶର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଗୁଜରାଟର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ସେଠାରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କଳରାଜ ମିଶ୍ରାଙ୍କୁ ହିମାଚଳ ପ୍ରଦଶେର ରାଜ୍ୟପାଳ ପଦ ଦିଆଯାଇଥିଲା ।
୧୯୩୫ ମସିହା ଅପ୍ରେଲ ୧୨ ତାରିଖରେ ଜନ୍ମଗ୍ରହଣ କରିଥିବା ଲାଲଜୀ ଟଣ୍ଡନ ବିଜେପିର ବରିଷ୍ଠ ରାଜନେତା ଭାବେ ଜଣାଶୁଣା । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଲ ବିହାରୀ ବାଜପେୟୀ ୨୦୦୯ରୁ ରାଜନୀତିରୁ ସନ୍ୟାସ ନେବା ପରେ ଲାଲଜୀ ଲକ୍ଷେ୍ନøରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଉତ୍ତରପ୍ରଦେଶର ରାଜନୀତିରେ ସକ୍ରିୟ ରହିଥିବା ଟଣ୍ଡନଙ୍କୁ ବିଜେପି ସରକାରରେ ମନ୍ତ୍ରୀ ମଧ୍ୟ କରାଯାଇଥିଲା ।
୧୯୬୦ରେ ଲାଲଜୀ ଟଣ୍ଡନ ରାଜନୀତିରେ ପ୍ରବେଶ କରିଥିଲେ । ମାୟାବତୀ ଓ କଲ୍ୟାଣ ସିଂହଙ୍କ କ୍ୟାବିନେଟରେ ସେ ନଗର ଉନ୍ନୟନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । କିଛି ବର୍ଷ ଲାଗି ସେ ବିପକ୍ଷ ନେତା ମଧ୍ୟ ଥିଲେ । ଟଣ୍ଡନ ଜେପି ଆନ୍ଦୋଳନରେ ସାମିଲ ହୋଇଥିଲେ ।
୧୯୪୧ ମସିହା ୨୧ ଜାନୁୟାରୀରେ ଜନ୍ମିତ ଆନନ୍ଦୀବେନ ପଟେଲ ଜାନୁୟାରୀ ୨୦୧୮ରେ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଇଥିଲେ । ସେ ରାଜ୍ୟର ଦ୍ୱିତୀୟ ମହିଳା ରାଜ୍ୟପାଳ ଥିଲେ । ଏହା ପୂର୍ବରୁ ମାର୍ଚ୍ଚ ୧୯୮୯ରୁ ଫେବୃୟାରୀ ୧୯୯୦ ପର୍ଯ୍ୟନ୍ତ ସରଳା ଗ୍ରୋୱାଲ ରାଜ୍ୟର ରାଜ୍ୟପାଳ ଥିଲେ । ଆନନ୍ଦୀବେନ ୧୯୮୮ ମସିହାରେ ବିଜେପିରେ ସାମିଲ ହୋଇଥିଲେ । ୧୯୯୫ରେ ସେ ନରେନ୍ଦ୍ର ମୋଦିଙ୍କ ସହ କାମ କରିଥିଲେ ।
୧୯୯୮ରେ ଗୁଜୁରାଟ ମନ୍ତ୍ରିମଣ୍ଡଳରେ ସେ ଶି୪ା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହୋଇଥିଲେ । ମଇ ୨୦୧୪ରୁ ଅଗଷ୍ଟ ୨୦୧୬ ପର୍ଯ୍ୟନ୍ତ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଗୁଜୁରାଟ ବିଧାନସଭା ନିର୍ବାଚନ ନ ଲଢ଼ିବାକୁ ନିଷ୍ପତି ନେବା ପରେ ଗତ ବର୍ଷ ତାଙ୍କୁ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା ।
ବଦଳିଲେ ୬ ରାଜ୍ୟର ରାଜ୍ୟପାଳ
