ନବନୀତା ବ୍ୟୁରୋ, ଭୁବନେଶ୍ୱର/ଦିଲ୍ଲୀ: ଆରପାରିରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ । ୮୧ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିବା ଜଣାପଡ଼ିଛି । ଗତ କିଛି ଦିନ ହେଲା ସେ ରୋଗରେ ପୀଡ଼ିତ ଥିଲେ । ଶନିବାର ସକାଳେ ବାନ୍ତି ହେବାରୁ ତାଙ୍କୁ ଏକ୍ସୋର୍ଟସ ମେଡ଼ିକାଲରେ ଭର୍ତି କରାଯାଇଥିଲା । ମେଡ଼ିକାଲର ନିର୍ଦ୍ଦେଶକ ଅଶୋକ ସେଠଙ୍କ କହିବାନୁସାରେ, ଅପରାହ୍ନ ୩.୧୫ରେ ଶୀଲା ଦୀକ୍ଷିତଙ୍କୁ ହାର୍ଟ ଆଟାକ୍ ହୋଇଥିଲା । ତାଙ୍କୁ ଭେନଟିଲେଟରରେ ରଖା ଯାଇଥିଲା । ହେଲେ ୩.୫୫ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଶେଷ ଦର୍ଶନ ଲାଗି ନିଜାମୁଦ୍ଦିନ ସ୍ଥିତ ଘରରେ ତାଙ୍କର ପାର୍ଥିବ ଶରୀରକୁ ରଖାଯିବ । ରବିବାର ୨.୩୦ଟା ସମୟରେ ନିଗମ ବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଲୋକସଭା ନିର୍ବାଚନ ସମୟରେ ତାଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷା କରାଯାଇଥିଲା । ଏହା ପୂର୍ବରୁ କିଛି ସମୟ ଲାଗି ସେ କେରଳର ରାଜ୍ୟପାଳ ମଧ୍ୟ ଥିଲେ । ଶୀଲା ଦୀକ୍ଷିତ କଂଗ୍ରେସ ଦଳର ବରିଷ୍ଠ ନେତା ଥିଲେ ଏବଂ ସେ ୧୯୯୮ରୁ ୨୦୧୩ ଯାଏ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । କ୍ରମାଗତ ୩ ଥର ସେ କଂଗ୍ରେସ ସରକାର ଅମଳରେ ମୁଖ୍ୟମନ୍ତ୍ରୀ ରହିଥିଲେ । ଦିଲ୍ଲୀ ବିଧାନସଭାରେ ସେ ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିଲେ ।
୧୯୩୮ ମସିହା ମାର୍ଚ୍ଚ ୩୧ ତାରିଖରେ ପଂଜାବର କପୁରଥଳାରେ ଶିଲା ଦୀକ୍ଷିତ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀ ଜିଏସଏସ ଆଣ୍ଡ ମେରୀ କନଭେଂଟ ସ୍କୁଲରେ ପାଠ ପଢ଼ିଥିଲେ । ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ହାସିଲ କରିଥିଲେ ।
ଉତ୍ତର ପ୍ରଦେଶ ରାଜ୍ୟର ଉନ୍ନାଓ ଜିଲ୍ଲାର ଆଇଏଏସ ବିନୋଦ ଦୀକ୍ଷିତଙ୍କୁ ବିବାହ କରିଥିଲେ । ବିନୋଦ କଂଗ୍ରେସର ବରିଷ୍ଠ ନେତା ତଥା ବଂଗାର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଉମାଶଙ୍କର ଦୀକ୍ଷିତଙ୍କ ପୁତ୍ର ଥିଲେ । ଶୀଲା ଦୀକ୍ଷିତଙ୍କ ଦୁଇଟି ସନ୍ତାନ ଅଛନ୍ତି । ତାଙ୍କ ପୁଅ ସଂଦୀପ ଦୀକ୍ଷିତ ମଧ୍ୟ ସାଂସଦ ରହିଛନ୍ତି ।
ଶୀଲା ଦୀକ୍ଷିତ ରାଜନୀତିକୁ ପ୍ରବେଶ କରିବା ପୂର୍ବରୁ ଅନେକ ସଂଗଠନ ସହ ଜଡ଼ିତ ଥିଲେ । ସେ ୱାକିଂ ମହିଳାଙ୍କ ଲାଗି ଦିଲ୍ଳୀରେ ଦୁଇଟି ହୋଟେଲ ମଧ୍ୟ ନିର୍ମାଣ କରିଥିଲେ । ୧୯୮୪ରୁ ୮୯ ପର୍ଯ୍ୟନ୍ତ ସେ ଉତ୍ତରପ୍ରଦଶେର କନ୍ନୌଜରୁ ସାଂସଦ ଥିଲେ । ଲୋକସଭାରେ କେନ୍ଦ୍ରୀୟ ମନ୍ତ୍ରୀ ରହିଥିବା ଶୀଲା ଦୀକ୍ଷିତ ଜାତିସଂଘରେ ଭାରତକୁ ପ୍ରତିନିଧିିତ୍ୱ କରିଥିଲେ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ
