ଅଲଗ କୋସଲ୍ ରାଜ୍ୟ ଦାବିର ଅଭିନବ ଉଦ୍ୟମ: ଏପ୍ରିଲ୍ ୧ କୁ କଲାଦିନ ପାଳନ

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ଅଲଗା ରାଜ୍ୟ ଗଠନ ଦାବିରେ ଏପ୍ରିଲ୍ ୧କୁ କଲାଦିନ ଭାବେ ପାଳନ କଲା କୋସଲ୍ ରାଜ୍ୟ ସମନ୍ୱୟ ସମିତି। କରୋନା ଯୋଗୁଁ ଲକ୍ ଡାଉନ୍ ଥିବାରୁ ଅଭିନବ ଢଙ୍ଗରେ ଏହାକୁ ପାଳନ କରାଯାଇଛି। ନିଜ ଘରେ କଳା ପତାକା ଲଗାଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜାଗାରେ କଳା ଦିନ ଭାବରେ ପାଳନ କରାଯାଇଛି। ସମିତିର ମହାସଚିବ ପ୍ରମୋଦ ମିଶ୍ର ମଧ୍ୟ ନିଜ ଘରେ କଳା ପତାକା ଲଗାଇ ଏପ୍ରିଲ୍ ୧କୁ କଳା ଦିବସ ଭାବେ ପାଳନ କରିଛନ୍ତି।


ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର କୋସଲ ରାଜ୍ୟ ଦାବିରେ ଦୀର୍ଘଦିନରୁ ଦାବି କରି ଆସୁଛି କୋସଲ୍ ରାଜ୍ୟ ସମନ୍ୱୟ ସମିତି। ଏଥିପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବା ନଜିର ରହିଛି। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଆନ୍ଦୋଳନର ସ୍ବର ଉଠିଛି।


ତେବେ କଣ ପାଇଁ ଅଲଗା କୋସଲ୍ ରାଜ୍ୟ ଦାବି। ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ କି ପର୍ଯ୍ୟଟନ କୌଣସି ଦିଗରେ ବିକାଶ ହେଉନି। ଯଥା ପୂର୍ବମ୍ ତଥା ପରମ୍। ବିକାଶ ନାଁରେ ନିରୀହ ଗରିବ ଲୋକ ଶୋଷଣର ଶିକାର ହେଉଛନ୍ତି। କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା କିନ୍ତୁ ଅଧ୍ୟାପକ ମରୁଡ଼ି। ବରଗଡ ଜିଲ୍ଲାରେ ଅଧିକାଂଶ କ୍ୟାନସର ରୋଗୀ ହେଲେ ମେଡିକାଲ୍ କଟକରେ। କେବଳ ଏତିକି ନୁହେଁ, ଏଠାରେ ହାଇକୋର୍ଟ ବେଞ୍ଚ ନାହିଁ, ଜଳସେଚନ ମାତ୍ରା ନ କହିବା ଭଲ। ଚାଷ ପାଇଁ ଉଦ୍ଧିଷ୍ଟ ପାଣିକୁ ଦିଆ ଯାଉଛି ଶିଳ୍ପ କାରଖାନାକୁ। ପଶ୍ଚିମ ଓଡ଼ିଶାର କୌଣସି ମେଡିକାଲରେ ଏଯାଏ କରୋନା ରୋଗୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଗଠିତ ଡବ୍ଲୁଓଡିସି ଅଫିସ୍ ପଶ୍ଚିମ ଓଡ଼ିଶାରେ ନରହି ଭୁବନେଶ୍ୱରରେ ରହୁଛି। ସ୍ଥାନୀୟ ଲୋକଙ୍କୁ କେତେ ନିଯୁକ୍ତି ମିଳୁଥିବ ଏଥିରୁ ସହଜେ ଅନୁମେୟ। ଏଥିପ୍ରତି ନେତା କି ଜନତା କାହାରି ଦରଦ୍ ନାହିଁ। ପଶ୍ଚିମ ଓଡ଼ିଶାର କୌଣସି ନେତା ଏ ବାବଦରେ ମୁହଁ ବି ଖୋଲୁ ନାହାନ୍ତି। କେବଳ ରାଜନୈତିକ ଦୃଷ୍ଟି କୋଣରୁ ବେଳେ ବେଳେ ଆଞ୍ଚଳିକ ବୈଷମ୍ୟବାଦ କଥା କହି ଉଠାଇ ପୁଣି ଚୁପ୍ ରହୁଛନ୍ତି ନେତାଏ। ୩୫ ବିଧାୟକ ଓ ୫ ସାଂସଦ ଥିବା ଏ ଅଞ୍ଚଳର ଲୋକ ପ୍ରତିନିଧି ଏନେଇ କେହି ପଦୁଟିଏ କହୁ ନାହାନ୍ତି। ଯେଉଁଠି ସ୍ଥାନୀୟ ନେତା ଚୁପ୍ ସେଠି ସରକାର ବା କି ପଦକ୍ଷେପ ନେବେ ନା ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିବେ। ଦେଖାଯାଉ ସ୍ଥାନୀୟ ଲୋକଙ୍କ ସ୍ବାର୍ଥ ଲାଗି କେବେ ଏକଜୁଟ ହେଉଛନ୍ତି ନେତା ନା ସବୁଦିନ ପାଇଁ ଲାଙ୍ଗୁଡ ଯାକି ରହୁଛନ୍ତି।


ସେ ଯାହା ହେଉନା କାହିଁକି କୋସଲ୍ ରାଜ୍ୟ ଗଠନ ଦାବିରେ କିଛି ଲୋକ ଓ ସଂଗଠନ ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି। ଆନ୍ଦୋଳନର ରୂପ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଅଧିକାଂଶ ଜିଲ୍ଲାକୁ ବ୍ୟାପୀ ଗଲାଣି କୋସଲ ସମିତିର ନେଟୱର୍କ। ଅନ୍ଦୋଳନର ଉଦ୍ଧେଶ୍ୟ ସଂପର୍କରେ ଆପଣାଛାଏଁ ବୁଝିଗଲେଣି ଲୋକେ। ଏହାର ନେତୃତ୍ୱ ନେଉଛନ୍ତି ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର। ଅଧିକାଂଶ ସମୟରେ କୋସଲ୍ ରାଜ୍ୟ ଦାବି ନେଇ ତାଙ୍କ ଉପସ୍ଥିତି ଜାହିର ରଖିଛନ୍ତି। କେତେବେଳେ ମହାବନ୍ଦ ତ ଆଉ କେତେବେଳେ ଚକା ଜାମ। ପୁଣି କେତେବେଳେ ସ୍ଥାନୀୟ ଲୋକଙ୍କ ସ୍ବାର୍ଥ ପାଇଁ ଆନ୍ଦୋଳନ। ଏଭଳି କିଛି ନା କିଛି କାର୍ଯ୍ୟକ୍ରମ ଜାରି ରଖିଛନ୍ତି ପ୍ରମୋଦ ମିଶ୍ର। ଆଜି ଏପ୍ରିଲ୍ ୧ କୁ କଲାଦିନ ଭାବେ ପାଳନ କରିଛନ୍ତି ସେ। ତାଙ୍କ ସହ ପଶ୍ଚିମ ଓଡ଼ିଶାର ଅନେକ ଜାଗାରେ ଘରେ କଳା ପତାକା ଲଗାଇ କଲାଦିନ ପାଳନ କରାଯାଇଛି।