ନବନୀତା ବ୍ୟୁରୋ। ବହୁରୂପୀ ରାଜନେତା। ସ୍ୱାର୍ଥ, ସୁବିଧା ପାଇଁ ଏଣ୍ଡୁଅ ପରି ରଙ୍ଗ ବଦଳାଉଛନ୍ତି ନେତା। ସତରେ ରାଜନୀତି କେତେ ବିଚିତ୍ର। ପୁଅ ଦଳ ଛାଡୁଛି ହେଲେ ବାପାଙ୍କୁ କିଛି ଜଣା ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ।
ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଘମାଘଟ ପ୍ରଚାର ଚାଲିଛି। ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ଦିଲ୍ଲୀ ସିଂହାସନ ଲାଗି ପ୍ରଚାର ମଇଦାନରେ ଜୋରସୋର୍ ଲଢେଇ ଚାଲିଛି। ହେଲେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି।
ବରିଷ୍ଠ କଂଗ୍ରେସ ନେତା ଜନାର୍ଦ୍ଦନ ଦ୍ବିବେଦୀଙ୍କ ପୁଅ ସମୀର ଦ୍ବିବେଦୀ ବିଜେପିରେ ସାମିଲ ହୋଇଛନ୍ତି। ହେଲେ ଏନେଇ ଜନାର୍ଦ୍ଦନ କହିଛନ୍ତି ଯେ ଏଭଳି କିଛି ସୂଚନା ତାଙ୍କ ପାଖରେ ନାହିଁ। ଯଦି ଏଭଳି ହୋଇଛି ତାହେଲେ ସେଇଟା ତାଙ୍କ ବ୍ୟକ୍ତିଗତ ନିଷ୍ପତି ବୋଲି କହିଛନ୍ତି ଜନାର୍ଦ୍ଦନ।
ଜନାର୍ଦ୍ଦନ କଂଗ୍ରେସର ମହତ୍ୱପୂର୍ଣ୍ଣ ନେତାଙ୍କ ମଧ୍ୟରେ ଜଣେ। ହେଲେ ବିଗତ କିଛି ଦିନ ହେଲା ପାର୍ଟି ହାଇ କମାଣ୍ଡ ସହ ତାଙ୍କର ଆଉ ଆଗଭଳି ସଂପର୍କ ନଥିଲା। ବିଶେଷ କରି ସେ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିବା ପରେ ଦଳରେ ତାଙ୍କର ଗୁରୁତ୍ବ ହ୍ରାସ ପାଇଥିଲା। ଏହାକୁ ନେଇ ଦଳ ମଧ୍ୟରେ ଖୁଲମଖୁଲ୍ଲା ଆଲୋଚନା ବି ହେଇଥିଲା। ସୂଚନାଯୋଗ୍ୟ ଯେ, ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅତି ଘନିଷ୍ଠ ବୋଲି କୁହାଯାଉଛି।
