ସାଉନ୍ତମୁଣ୍ଡା କାଲିଝରନ ରାସ୍ତାର ଭିତ୍ତିପ୍ରସ୍ତର କଲେ ନରସିଂହ ମିଶ୍ର

ଓଡ଼ିଶାବଡ଼ ଖବରରାଜନୀତି

ଏନଏନ୍ ନ୍ୟୁଜ୍ । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସାଉନ୍ତମୁଣ୍ଡା ଠାରେ ସାଉନ୍ତମୁଣ୍ଡା କାଲିଝରନ ରାସ୍ତାର  ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର । ଦୀର୍ଘ ୧୧ କି.ମି. ରାସ୍ତାର ଅଟକଳ ମୂଲ୍ୟ ୭ କୋଟି ୬୧ ଲକ୍ଷ ଟଙ୍କା । ଅନେକ ଦିନରୁ ଦାବି ହେଇ ଆସୁଥିବା ଏହି ରାସ୍ତା ଯୋଗୁଁ ବ୍ଲକର ସିନଖମନ, କନକପୁର, ସାଉନ୍ତମୁଣ୍ଡା, ଖଇସାବାହାଲ, ଶିକାଛିଡା, କୁଡାସିଂହା, ପ୍ରତାପପୁର, ଚିକଲବାହାଲ, ବିଡିଘାଟ, ପରଧିଆପାଲି, କାଲିଝରନ, ଘୁସୁରାଡୁଙ୍ଗୁରି, ଚାଣ୍ଟିମୁଣ୍ଡା ଏବଂ ଫଟକରା ଗାଁର ପାଖାପାଖି ୧୨ ହଜାରରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ । ଭିତ୍ତିପ୍ରସ୍ତର ପରେ ଆୟୋଜିତ ସଭାରେ ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ଥିବା ଗାଁଲୋକଙ୍କୁ କହିଥିଲେ ଯେ, ଆପଣମାନଙ୍କ ଦାବି ଅନୁସାରେ ଦୀର୍ଘ ୧୧ କିମି ରାସ୍ତାର ଶୁଭ ଦିଆଯାଇଛି । ଏହା ଆସନ୍ତା ବର୍ଷ ଜୁନ ମାସ ସୁଦ୍ଧା ସଂପୁର୍ଣ୍ଣ ହେବ । ତେବେ ଏହି କାମ ପାଇଁ ଦାୟିତ୍ୱରେ ଥିବା ସଂସ୍ଥା ଯେପରି ଠିକ୍ ହିସାବରେ ଓ ଠିକ୍ ସମୟରେ କାମ ସମ୍ପୁର୍ଣ୍ଣ କରିପାରିବ ସେଦିଗରେ ଅଧିକାରୀମାନେ ଯତ୍ନବାନ ହେବା ସହ ଗାଁ ଲୋକମାନେ ମଧ୍ୟ ସହଯୋଗ କରିବା ଦରକାର ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଏ ଅଂଚଳ ପାଇଁ ଆବଶ୍ୟକ ହେଉଥିବା ରାସ୍ତା, ପାଣି ଓ ବିଜୁଳି ଯେମିତି ସମସ୍ତଙ୍କ ପାଇଁ ସୁନିଶ୍ଚିତ କରାଯିବ ସେଦିଗରେ ପ୍ରଚେଷ୍ଟା ଜାରି ରଖିଛନ୍ତି । କୌଣସି ଲୋକ ଯେମିତି କୌଣସି ପ୍ରକାର ସରକାରୀ ଯୋଜନାରୁ ବଂଚିତ ନ ହେବ ସେଥିପାଇଁ ସେ ବାରମ୍ବାର ସରକାରୀ ଅଧିକାରୀମାନଙ୍କୁ ଚେତେଇ ଦେଉଛନ୍ତି । ତେଣୁ ଲୋକେ ଏ ଦିଗରେ ତାଙ୍କ ଅଧିକାର ପ୍ରତି ନିହାତି ସଚେତନ ହେବା ଦରକାର । ଗାଁ ସ୍କୁଲରେ ଠିକ୍ ପାଠପଢା ହେଉଛି ନା ନାହିଁ ତା ଉପରେ ଗ୍ରାମବାସୀ ଓ ଅଭିଭାବକମାନେ ଧ୍ୟାନ ଦେବା ଉଚିତ ବୋଲି ନିଜ ବକ୍ତବ୍ୟରେ କହିଥିଲେ ନରସିଂହ । ଏଥିରେ ନିର୍ବାହୀ ଯନ୍ତ୍ରୀ ନିର୍ମଳ ଚନ୍ଦ୍ର ଜେନା, ସହକାରୀ ଯନ୍ତ୍ରୀ ଜ୍ଞାନ ରଂଜନ ରାଉତଙ୍କ ସମେତ ରାମ ପ୍ରସାଦ ମିଶ୍ର, ସରୋଜ କୁମାର ରଥ, ଜୁଲୁ ପଟ୍ଟନାୟକ, ଜୟ ସାହୁ, ରଙ୍ଗାଧର ବାଗ, ଗୋପାଳ ଧରୁଆ, ଉମାକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।