ନବନୀତା ବ୍ୟୁରୋ। ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ୱ। ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ଵ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଞ୍ଜୟଙ୍କୁ ନୂଆ ଦାୟିତ୍ବ ସହ କ୍ୟାବିନେଟ୍ ପାହ୍ୟା ମିଳିଛି। ଆଜି ନବୀନ ନିବାସକୁ ଯାଇଥିଲେ ସଂଜୟ। ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ପାଇଁ ପ୍ରସ୍ତାବ ଦେଇଥିଲେ ବି ସେ ସାଂସଦ ପଦ ପାଇଁ ଆଗ୍ରହ ନଥିବା କହିଥିଲେ। ଏହା ପରେ ସଂଜୟଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସଞ୍ଜୟ ଦାସବର୍ମା ନୂଆ ଦାୟିତ୍ବ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ଯେତେବେଳେ ତାଙ୍କୁ ଯେଉଁ ଦାୟିତ୍ଵ ଦିଆଯାଇଛି, ସେ ତାକୁ ସଠିକ୍ ଭାବେ ନିର୍ବାହ କରିଛନ୍ତି। ତେବେ ରାଜ୍ୟ ଯୋଜନା ବୋର୍ଡ଼କୁ କିଭଳି ଅଧିକ କ୍ରିୟାଶୀଳ କରାଯାଇ ପାରିବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ପଦକ୍ଷେପ ନେବାକୁ କହିଛନ୍ତି ସଂଜୟ।
୨୦୦୦ରୁ କ୍ରମାଗତ ଭାବରେ ଜିତି ଆସୁଥିବା ସଂଜୟ ଗତ ୨୦୧୯ ସାଧାରଣ ନିର୍ବାଚନରେ ପରାଜୟବରଣ କରିଥିଲେ। ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ନେତା ସଞ୍ଜୟ ଦାସବର୍ମାଙ୍କୁ ଦୁଇ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ୨୦୦୦, ୨୦୦୪, ୨୦୦୯, ୨୦୧୪ ନିର୍ବାଚନରେ ବିଜୟୀ ହୋଇ ଦବଦବା ଜାହିର ରଖିଥିବା ସଂଜୟ ୨୦୧୯ରେ ହାରିବା ପରେ ପ୍ରଭାବଶୂନ୍ୟ ହୋଇ ପଡ଼ିଥିଲେ। ହେଲେ ବିଜେଡ଼ି ସଂଗଠନକୁ ମଜବୁତ୍ କରିବା ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବାରୁ ତାଙ୍କୁ ଥଇଥାନ କରିବା ନେଇ ଚର୍ଚ୍ଚା ଧରିଥିଲା। ତାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ପାୱାର କରିଡ଼ରରେ ଚର୍ଚ୍ଚା ହେଉଥିଲା। ଆଜି ଡକରା ପାଇ ନବୀନ ନିବାସକୁ ଆସିଥିଲେ ସଂଜୟ। ତାଙ୍କୁ ରାଜ୍ୟସଭା ପାଇଁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ଏଥିପାଇଁ ଆଗ୍ରହୀ ଥିବା କହିବାରୁ ତାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
