ନବନୀତା ବ୍ୟୁରୋ। ଆଶା ସାଥୀ ନିରାଶ। କେନ୍ଦ୍ର ଯାହା ଦେଉଛି ତାର ଅଧା ଦେଉଛି ରାଜ୍ୟ। ଆଶା ସାଥିଙ୍କୁ ଏଭଳି ତାରତମ୍ୟ କାହିଁକି। ଏନେଇ ବାରମ୍ବାର ଅଭିଯୋଗ ପରେ ବି କେହି ତାଙ୍କ କଥା ଶୁଣୁ ନାହାନ୍ତି। ଏପରିକି ଦୀର୍ଘ ୧୩ ବର୍ଷ ଧରି ଆଶା ଓ ଆଶା ସାଥୀ ଭାବରେ କାର୍ଯ୍ୟ କରି ଆସୁଥିଲେ ବି କେନ୍ଦ୍ର ନିଷ୍ପତ୍ତିର ପୁରା ଦରମା ପାଉନାହାନ୍ତି।
ସୂଚନା ଅନୁସାରେ ୨୦୧୮-୧୯ରେ ପିଆଇପିରେ ଆଶା ସାଥିଙ୍କୁ ୫୦୦୦ ଟଙ୍କା ଘୋଷଣା କରିଥିଲା କେନ୍ଦ୍ର। ପରେ ଅକ୍ଟୋବର ୨୪ ୨୦୧୯ରେ ୫ ରୁ ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ହେଲେ ବିଡ଼ମ୍ବନାର ବିଷୟ ରାଜ୍ୟ ସରକାର ଏମାନଙ୍କୁ କେବଳ ୩ ହଜାର ଟଙ୍କା ଦେଉଛନ୍ତି। ବାକି ଅଧା ଟଙ୍କା ଜଣ ପାଇଁ ଦେଉନାହାନ୍ତି ତାହା ସମସ୍ତଙ୍କୁ ଚକିତ କରିଛି।
ତେଣୁ ଏହାର ପ୍ରତିବାଦରେ ଆଶା ସାଥୀ ସଂଘ ପକ୍ଷରୁ ୫ ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି। ଆଶା ସାଥିଙ୍କୁ ସରକାରୀ ମାନ୍ୟତା, ୬ ହଜାର ଟଙ୍କା ଦରମା, ଆଶା ସାଥିଙ୍କ ୟୁନିଫର୍ମ ଲାଗୁ, କାର୍ଯ୍ୟ ଦକ୍ଷତା ପାଇଁ ତାଲିମ ଓ ଜୀବନ ବୀମା ଏବଂ ମୃତ୍ୟୁକାଳୀନ ସହାୟତା ଦାବି ଭଳି ୫ ଦଫା ସମ୍ବଳିତ ଦାବିପତ୍ର ସିଡିଏମଓଙ୍କୁ ପ୍ରଦାନ କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ରୂପ ଧାରଣ କରିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
