ଏମପି ସିଟରେ ଲଢେଇ କରିବେ ଜିଲ୍ଲାପାଳ: ସାଲୁଜା

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଏମପି ସିଟରେ ଲଢେଇ କରିବେ ଜିଲ୍ଲାପାଳ! ଏଥିପାଇଁ ବିଜେଡ଼ି ସରକାର ବୋଧେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ କ୍ଷେତ୍ର ପ୍ରସ୍ତୁତ କରୁଛି। ଜିଲ୍ଲାରେ ବିଭିନ୍ନ ଯୋଜନାର ଫଣ୍ଡ ମନଇଚ୍ଛା ଖର୍ଚ୍ଚ ନେଇ ଜିଲ୍ଲାପାଳଙ୍କ ଉପରେ ଏଭଳି ଢଙ୍ଗରେ ବର୍ଷିଛନ୍ତି କଣ୍ଟାବାଞ୍ଜି ବିଧାୟକ। ବିଜୁ କେବିକେ, ଫାଇଭ୍ ଟି ସ୍କୁଲ ରୂପାନ୍ତକରଣ ଭଳି ବିଭିନ୍ନ ପ୍ରକଳ୍ପର ଟଙ୍କା ମନମୁଖୀ ଭାବେ ଖର୍ଚ୍ଚ କରୁଛନ୍ତି।ବିଜେଡ଼ି ଦଳ ତାଙ୍କୁ ବଲାଙ୍ଗିର ଏମପି ସିଟରେ ଠିଆ କରିବା ପାଇଁ କହିଥିବା ଅଭିଯୋଗ ଆଣିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା। ଯଦି ଏହା ସତ ହୁଏ ତେବେ ବଲାଙ୍ଗିର ଜିଲ୍ଲାରେ ରାଜନୀତିକ ସମୀକରଣ ବଦଳିଯିବ। ସେପଟେ କିନ୍ତୁ ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା।

ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ବେଆଇନ ଭାବେ ଅନୁଦାନ ଟଙ୍କା କାଟିବା ସହ ମନମୁଖୀ କାର୍ଯ୍ୟ ନେଇ ଜିଲ୍ଲାପାଳଙ୍କ ଉପରେ ବିଗିଡିଥିଲେ ବିଧାୟକ ସାଲୁଜା। ଏପରିକି ନିଜ ସିଟରୁ ଉଠି ଜିଲ୍ଲାପାଳଙ୍କ ନିକଟକୁ ଯାଇ କାହିଁକି ଅନୁଦାନ ଟଙ୍କା କାଟିଲେ ବୋଲି ପ୍ରଶ୍ନ କରିଥିଲେ। ତେବେ ସରକାରୀ ନିୟମ ଉଲଙ୍ଘନ କରି ଜିଲ୍ଲାପାଳ କ୍ଷମତା ବାହାରେ କାର୍ଯ୍ୟ କରୁଥିବାରୁ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁହାଁମୁହିଁ ହୋଇଥିଲେ।

ସୂଚନା ଅନୁସାରେ, ଦୀର୍ଘ ୭ ମାସ ପରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ବୈଠକ ବସିଥିଲା। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ମନ୍ତ୍ରୀ ଟୁକୁନି ସାହୁ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ଅନ୍ୟ ଜିଲ୍ଲା ପରିଷଦ ସଦସ୍ୟ ଓ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ। ହେଲେ ବୈଠକରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପରେ ଜିଲ୍ଲାପାଳଙ୍କ ମନମୁଖୀ କାର୍ଯ୍ୟକଳାପ ଓ ବିଜୁ କେବିକେ ଯୋଜନାରେ ଆସୁଥିବା ବ୍ଲକର ଅନୁଦାନକୁ ଜିଲ୍ଲାପାଳ କାଟି ଦେଉଥିବା ଅଭିଯୋଗ ଆଣିଥିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା। ଏହାକୁ ନେଇ କଥା କଟାକଟି ହେବା ସହ ସାଲୁଜା ଉକ୍ଷୀପ୍ତ ହୋଇ ନିଜ ସିଟ ଛାଡ଼ି ଜିଲ୍ଲାପାଳଙ୍କ ପାଖକୁ ଯାଇ ପାଟିତୁଣ୍ଡ କରିଥିଲେ। ଏବଂ ଜିଲ୍ଲାପାଳଙ୍କ ଉପରେ ଖୁବ୍ ବର୍ଷିଥିଲେ ସାଲୁଜା। ଏତିକି ନୁହେଁ, ମନ୍ତ୍ରୀ ଟୁକୁନି ସାହୁଙ୍କ ଉପରେ ମଧ୍ୟ ସେ ରାଗି ଥିବାର ଦେଖିବାକୁ ମିଳିଥିଲା। ଜିଲ୍ଲା ପରିଷଦ ବୈଠକରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା।

ତେବେ ବୈଠକ ପରେ ସନ୍ତୋଷ ସିଂହ ସାଲୁଜା ପ୍ରତିକ୍ରିୟା ରଖି କହିଥିଲେ ଯେ, ଜିଲ୍ଲାପାଳ ଚଞ୍ଚଳ ରାଣା ବିଭିନ୍ନ ପ୍ରକଳ୍ପ କାମରେ ନିଜର ମନମୁଖୀ କାର୍ଯ୍ୟ କରୁଥିବା ସହ ବର୍ଷ ବର୍ଷ ଧରି କାମ କରିଥିବା ଲୋକ ପ୍ରାପ୍ୟ ପାଉ ନ ଥିବା କହିଛନ୍ତି। ଏଥିସହ ଫାଇଵ ଟି ସ୍କୁଲ ରୂପାନ୍ତରଣରେ ମଧ୍ୟ ଅନଭିଜ୍ଞ ଯନ୍ତ୍ରୀମାନେ କାମ କରୁଥିବା ବେଳେ ଜିଲ୍ଲାପାଳ ବାରମ୍ବାର ସେଥିରେ ପରିବର୍ତ୍ତନ କରିବା ଦ୍ୱାରା କାମ କରୁଥିବା ବ୍ୟକ୍ତି ହରଡଘଣାରେ ପଡିଥିବା କହିଛନ୍ତି ବିଧାୟକ। ଏହା ବ୍ୟତୀତ ବିଜୁ କେବିକେ ଯୋଜନାରେ ଆସୁଥିବା ଅନୁଦାନ ଟଙ୍କାକୁ ଜିଲ୍ଲାପାଳ ବେଆଇନ ଭାବରେ ନିଜ ମନ ମୁତାବକ କାଟି ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସାଲୁଜା। ଏପରିକି ଏନେଇ ଜଣାଇଲେ ବି ଜିଲ୍ଲାପାଳ ଶୁଣୁନଥିବା କହିଛନ୍ତି ସାଲୁଜା। ସେହିପରି ଦୀର୍ଘ ସାତ ମାସ ପରେ ଜିଲ୍ଲା ପରିଷଦ ବୈଠକ ବସିଥିବା ଏଭଳି ପରିସ୍ଥିତିର ଅନ୍ୟ ଏକ କାରଣ ବୋଲି କହିଛନ୍ତି ବିଧାୟକ ସାଲୁଜା। ହେଲେ ଜିଲ୍ଲାପାଳ ନିଜର କ୍ଷମତା ବାହାରେ ମୁ ସବୁ କରି ପାରିବି ବୋଲି କହିବାରୁ ସେ ଉକ୍ଷିପ୍ତ ହୋଇଥିବା କହିଛନ୍ତି। ଏବଂ ବିଜେଡ଼ି ଦଳ ଜିଲ୍ଲାପାଳଙ୍କୁ ବଲାଙ୍ଗିର ଏମପି ସିଟରେ ଲଢେଇ କରିବା ପାଇଁ ବୋଧେ କହିଥିବା କହିଛନ୍ତି ସାଲୁଜା। ଯେଉଁଥିପାଇଁ ସେ ମନଇଚ୍ଛା ପ୍ରକଳ୍ପ କରି ଟଙ୍କା ଖର୍ଚ୍ଚ କରୁଥିବା ସେ କହିଛନ୍ତି।

ସେପଟେ ସାଲୁଜାଙ୍କ କଥାକୁ ଅତି ହାଲୁକା ଭାବରେ ନେଇଛନ୍ତି ଜିଲ୍ଲାପାଳ। ସେ କହିଛନ୍ତି, ସାଲୁଜା ଜଣେ ଲୋକ ପ୍ରତିନିଧି ଓ ତାଙ୍କର କହିବାର ଅଧିକାର ଅଛି। ସେହିପରି ବିଜୁ କେବିକେ ଯୋଜନାରେ ପ୍ରକଳ୍ପ କାମ ଧାର୍ଯ୍ୟ ଡିପିଶି ଓ ରାଜ୍ୟ ସରକାର ସ୍ଥିର କରିଥାନ୍ତି। ଏବଂ ଜିଲ୍ଲା ପ୍ରଶାସନ ତାକୁ କେବଳ କାର୍ଯ୍ୟକାରୀ କରିଥାଏ ବୋଲି ସେ କହିଛନ୍ତି। କେବଳ ବିଧାୟକ ନୁହନ୍ତି ୱାର୍ଡ ମେମ୍ବରଠାରୁ ଆରମ୍ଭ କରି ସାଂସଦ ଯାଏ ସମସ୍ତେ ତାଙ୍କ ପାଇଁ ଗୁରୁତ୍ଵ ରଖନ୍ତି ବୋଲି କହିଛନ୍ତି। ଏବଂ ବିଧାୟକ ଆଣିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା। ଏଠି ପ୍ରଶ୍ନ ଉଠୁଛି, ଯଦି ଜିଲ୍ଲାପାଳ ଏମପିରେ ଠିଆ ହୁଅନ୍ତି ତାହେଲେ ରାଜ ପରିବାର ସଦସ୍ୟଙ୍କ ଭାଗ୍ୟ କଣ ହେବ!

Leave a Reply