ଟିଟିଲାଗଡ ଶ୍ରାବଣୀ ମାଝୀର ଦୁଃଖ
ଦେଢ଼ ବର୍ଷ ହେଲା ଅଜଣା ରୋଗରେ ଆକ୍ରାନ୍ତ
ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା
ଏମିତି ଶିଶୁ ବିକାଶ କରୁଛନ୍ତି ମନ୍ତ୍ରୀ
ଟୁକୁନୀ ସାହୁଙ୍କ କେବେ ଶୁଭ ଦୃଷ୍ଟି ପଡ଼ିବ!
କୌଣସି ବଦାନ୍ୟ ବ୍ୟକ୍ତିର ସହାୟତାକୁ ଅପେକ୍ଷା
ନବନୀତା ବ୍ୟୁରୋ। ଖେଳିବା ବୁଲିବା ସମୟରେ ଦାଉ ସାଧିଛି ଅଜଣା ରୋଗ। ତିନି ବର୍ଷର ଶିଶୁ ଏବେ ଚଳାଇଛି ଜୀବନ ସହ ସଂଗ୍ରାମ। ମାସେ କି ଅଧେ ନୁହେଁ ଦୀର୍ଘ ୧୮ ମାସରୁ ଅଧିକ ସମୟ ହେଲା ଏହି ରୋଗରେ ପଡ଼ି ଛଟପଟ ହେଉଛି। ପରିବାର ଲୋକ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଶିଶୁର ଚିକିତ୍ସା କରି ପାରୁନାହାଁନ୍ତି। ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଖୋଦ୍ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁଙ୍କ ନିର୍ବାଚନୀ ଅଞ୍ଚଳ ଟିଟିଲାଗଡରୁ।
ଟିଟିଲାଗଡ ବ୍ଲକ୍ ଡଙ୍ଗରପଡା ଗାଁର ୩ ବର୍ଷିୟା ଶିଶୁ ଶ୍ରାବଣୀ ମାଝୀ। ତାର ଉଭୟ ହାତର ଆଙ୍ଗୁଠି ଅସ୍ବାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେବେ ହାତ ଆଙ୍ଗୁଠି କଣ ପାଇଁ ଏମିତି ଫୁଲୁଛି ତାହା କିଛି ଜାଣି କି ବୁଝି ପାରୁନି ଏହି ନିଷ୍ପାପ ଶିଶୁ। ମା ବାପାଙ୍କୁ ପଚାରୁଛି କେବେ ଭଲ ହେବ। ଏବେ ତାର ଖେଳିବା ବୁଲିବା ସମୟ। ହେଲେ ହାତ ଆଙ୍ଗୁଠି ଫୁଲିଥିବାରୁ ସେ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛି।
ପିତା ଅଙ୍ଗଦ ମାଝୀଙ୍କ ଆର୍ଥିକ ସ୍ଥିତି ସେମିତି ଭଲ ନ ଥିବାରୁ ଝିଆର ଚିକିତ୍ସା କରାଇ ପାରୁ ନାହାଁନ୍ତି। ଶ୍ରାବଣୀକୁ ଏବେ ତିନି ବର୍ଷ ହେଉଥିବା ବେଳେ ଗତ ଦେଢ଼ ବର୍ଷ ହେବ ସେ ଅଜଣା ରୋଗରେ ପୀଡିତ। ଉଭୟ ହାତର ଆଙ୍ଗୁଠି ଅସ୍ବାଭାବିକ ଭାବେ ବୃଦ୍ଧି ଯୋଗୁଁ ଚିନ୍ତାରେ ପରିବାର ଲୋକ। ଏପରିକି ଟଙ୍କା ଅଭାବରୁ ଝିଅର ଚିକିତ୍ସା କରାଇ ପାରୁ ନାହାଁନ୍ତି ପିତାମାତା। ଗୋଟିଏ ପଟେ ପରିବାର ପ୍ରତିପୋଷଣ ଓ ଅନ୍ୟପଟେ ଝିଅର ଚିକିତ୍ସା ଚିନ୍ତା ଏହାକୁ ନେଇ ପୁରା ଭାଙ୍ଗି ପଡିଛନ୍ତି ପରିବାର। କେବଳ ଖୋଲାନ ସ୍ବାସ୍ଥ୍ୟ କେନ୍ଦ୍ରରେ ଝିଅକୁ ଦେଖାଇ ଭଗବାନ ଭରସାରେ ଛାଡ଼ି ଦେଇଛନ୍ତି।
ଶ୍ରାବଣୀର ଅଜଣା ରୋଗ ବାବଦରେ ସିଡିଏମଓ ଏଟମ୍ ସାହୁଙ୍କ ଉତ୍ତର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଦୁଃଖୀ ପରିବାର ପ୍ରତି ଟିକେ ବି ଦରଦ ନାହିଁ। ସେ କହିଲେ, ଯଦି ସେମାନେ ଏଠାକୁ ଆଣିବେ ତାହେଲେ ତାର ପରୀକ୍ଷା ନିରୀକ୍ଷା କରାଯିବ। ଚିକିତ୍ସା ସମ୍ଭବ ହେଲେ ଏଠି ହେବ ନଚେତ୍ ଅନ୍ୟ ସ୍ଥାନକୁ ରେଫର୍ କରାଯିବ ବୋଲି କହିଛନ୍ତି ସିଡିଏମଓ। ତେବେ ସରକାରୀ ସହାୟତା କଥା ପଚାରିବାରୁ ଉପଯୁକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରି ତାର ଚିକିତ୍ସା ପାଇଁ ପଦଷେପ ନିଆଯିବାକୁ କହିଛନ୍ତି ଏଟମ୍ ସାହୁ।
ସେପଟେ ରାଜ୍ୟରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ନେଇ ବାହାବା ମାରୁଛନ୍ତି ରାଜ୍ୟ ସରକାର। କେବଳ ଏତିକି ନୁହେଁ, ଲୋକେ ଯେମିତି ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ନହେବେ ସେଥି ପାଇଁ ସ୍ବାସ୍ଥ୍ୟ ବିଭାଗକୁ ମୋ ସରକାରରେ ସାମିଲ୍ କରାଯାଇଛି। ଏହା ସତ୍ୱେ ବି ଶ୍ରାବଣୀ ମାଝୀଙ୍କ ଉପରେ କାହାରି ଦୃଷ୍ଟି ପଡୁନି। ଶ୍ରାବଣୀ ମାଝୀ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁଙ୍କ ନିର୍ବାଚନୀ ମଣ୍ଡଳୀ ଅଞ୍ଚଳର ହୋଇଥିଲେ ବି ତା ଚିକିତ୍ସା ପାଇଁ କେହି ଆଗେଇ ଆସି ନାହାନ୍ତି। ତେବେ ପ୍ରଶ୍ନ ଉଠୁଛି ମନ୍ତ୍ରୀ ନିଜ ଅଞ୍ଚଳର ଶିଶୁଙ୍କ ଯତ୍ନ ନେଇ ପାରୁନଥିବା ବେଳେ ରାଜ୍ୟର ଅନ୍ୟ ଶିଶୁଙ୍କ ବିକାଶ ଉପରେ କିଭଳି ପଦକ୍ଷେପ ନେଇ ପାରିବେ। ଦେଖାଯାଉ ସ୍ବାସ୍ଥ୍ୟ ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଶୁଭ ଦୃଷ୍ଟି ଏ ଉପରେ କେବେ ପଡ଼ୁଛି ଓ ନିଷ୍ପାପ ଶିଶୁ ଏହି ଅଜଣା ରୋଗରୁ କେବେ ଭଲ ହୋଇ ସ୍ଵାଭାବିକ ଜୀବନ ଯାପନ କରୁଛି। ତେବେ ବିଭାଗ କଥା ଛାଡ଼ନ୍ତୁ ଯଦି କୌଣସି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାଇଲେ ଶ୍ରାବଣୀ ନିଶ୍ଚିତ ଭାବରେ ଏହି ଅଜଣା ରୋଗରୁ ଶୀଘ୍ର ମୁକୁଳିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।
