ଓଏସଏମସିଏଲକୁ ୫୫୦ ପଲସ ଅକ୍ସିମିଟର ଦାନ କଲେ ସବ୍ୟସାଚୀ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ଆମେରିକା ଓଡିଶା ସୋସାଇଟିର ହେଲଥ ଆଣ୍ଡ ୱେଲନେସ ଗ୍ରୁପ (ଏଚଡବ୍ଲ୍ୟୁଜି) ପକ୍ଷରୁ ଓଡିଶା ରାଜ୍ୟ ଔଷଧ ନିଗମ (ଓଏସଏମସିଏଲ)କୁ ୫୫୦ ପଲସ ଅକ୍ସିମିଟର ପ୍ରଦାନ କରାଯାଇଛି। ୮ ଲକ୍ଷ ଟଙ୍କା ବିନିଯୋଗରେ ପ୍ରଦାନ କରାଯାଇଥିବା ଏହି ଅକ୍ସିମିଟର ଗୁଡିକ ବିଶେଷ କରି ଗ୍ରାମାଞ୍ଚଳରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ବିଶେଷ ସହାୟକ ହେବ। ଯଦ୍ୱାରା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ ହେବା ସହିତ କୋଭିଡ ସହ ଲଢେଇରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଓଏସଏମସିଏଲର ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ ଏବଂ ଜେନେରାଲ ମ୍ୟାନେଜର (ଅପରେସନ) ଡ. ସୌଭାଗ୍ୟ ରଞ୍ଜନ ରଣସିଂହଙ୍କୁ ହେଲଥ ଆଣ୍ଡ ୱେଲନେସ ଗ୍ରୁପର ଗୁଡୱଲ ଆମ୍ବାସାଡାର ଅଭିନେତା ସବ୍ୟସାଚୀ ମିଶ୍ର ଏହି ଅକ୍ସିମିଟର ହସ୍ତାନ୍ତର କରିଛନ୍ତି। ଆଇଏଏସ ଅଧିକାରୀ ଯାମିନୀ ଷଡଙ୍ଗୀ, ଏଚଡବ୍ଲ୍ୟୁଜିର ଅଧ୍ୟକ୍ଷ ଡ. ଦେବାଶିଷ ରାୟ, ପ୍ରକଳ୍ପ ମୁଖ୍ୟ ଡ. ନିବେଦିତା ମହାନ୍ତି ଏବଂ ଭାରତରେ ଏଚଡବ୍ଲ୍ୟୁଜିର ସ୍ୱାସ୍ଥ୍ୟ ପରାମର୍ଶଦାତା ଡ. ସଲିଲ ମହାନ୍ତି ଏହି ପରିଯୋଜନାକୁ ସଫଳ କରାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଏହି ଅବସରରେ ବ୍ରାଣ୍ଡ ଆମ୍ବାସଡର ସବ୍ୟସାଚୀ ମିଶ୍ର କହିଛନ୍ତି ଯେ, ଏହା ହେଉଛି ଏଚଡବ୍ଲ୍ୟୁଜିର ଆଉ ଏକ ବଡ ସଫଳତା। ପୂର୍ବରୁ ହେଲଥ ଆଣ୍ଡ ୱେଲନେସ ଗ୍ରୁପ (ଏଚଡବ୍ଲ୍ୟୁଜି) ପକ୍ଷରୁ କୋଭିଡ ପରୀକ୍ଷା ପାଇଁ ଆଡ଼ଭାନ୍ସଡ ମୋବାଇଲ ଟେଷ୍ଟିଙ୍ଗ ଭ୍ୟାନ ପ୍ରଦାନ କରାଯାଇଥିଲା ଏବଂ ଆଜି ୫୫୦ଟି ଅକ୍ସିମିଟର ପ୍ରଦାନ କରାଗଲା, ଯାହାକି ଓଡିଶା ସ୍ୱାସ୍ଥ୍ୟ ବିଭାଗକୁ ବହୁମାତ୍ରାରେ ସାହାଯ୍ୟ କରିବ।

ହେଲଥ ଆଣ୍ଡ ୱେଲନେସ ଗ୍ରୁପ (ଏଚଡବ୍ଲ୍ୟୁଜି) ଆମେରିକାରେ କାର୍ଯ୍ୟରତ ଡାକ୍ତର ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଗଠିତ। ଏହି ଗ୍ରୁପର ଅଧ୍ୟକ୍ଷ ଡ. ଦେବାଶିଷ ରାୟ ସୂଚନା ଦେଇଛନ୍ତି ଯେ, ଆଗାମୀ ଦିନରେ ଏଚଡବ୍ଲ୍ୟୁଜି ସବ୍ୟସାଚୀଙ୍କ ସହ ମିଶି ଅନେକ ଗୁଡିଏ ଯୋଜନା ହାତକୁ ନେବ। ଏଥି ସହିତ ବିଶ୍ୱର କୋଣ ଅନୁକୋଣରେ କାର୍ଯ୍ୟରତ ଓଡ଼ିଆ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନେଇ ଏକ ଗ୍ଲୋବାଲ ନେଟୱର୍କ ଗଠନ କରାଯିବ ଯାହା ଓଡିଶାର ସର୍ବାଙ୍ଗୀନ ଉନ୍ନତି ତଥା ବିକାଶ ସହିତ ଏକ ସୁସ୍ଥ ଓଡିଶା ଗଠନ ଦିଗରେ କାର୍ଯ୍ୟ କରିବ।