ମିଲର୍ସର ମନମାନୀ, ଚିନ୍ତାରେ ଚାଷୀ

ଓଡ଼ିଶାବଡ଼ ଖବରସ୍ପେଶାଲ

ଏନ୍‌ଏନ୍ ବ୍ୟୁରୋ । ମଣ୍ଡି ଅଚଳ । ଧାନ କିଣା ବନ୍ଦ । ବିକ୍ରି ନ ହୋଇ ପଡ଼ି ରହିଛି ଶହ ଶହ ବସ୍ତା ଧାନ । ମିଲର୍ସ ଧାନ ଉଠାଇବା ପାଇଁ ଆସୁନଥିବାରୁ ବଲାଙ୍ଗିର ଜିଲ୍ଳା ପୁଇଁନ୍ତଲା ବ୍ଲକ ବିଲାଇସର୍ଡା ପ୍ୟାକ୍ସରେ ଦେଖା ଦେଇଛି ଏଭଳି ପରିସ୍ଥିତି । ମିଲର୍ସର ମନମାନୀ ଯୋଗୁଁ ସପ୍ତାହେ ହେଲା ମଣ୍ଡି ବନ୍ଦ ରହିଛି । ମଣ୍ଡି ଖୋଲିବା ଦିନଠାରୁ ଅଚଳାବସ୍ଥା ଦେଖା ଦେଇଥିବାରୁ ଚିନ୍ତାରେ ଚାଷୀ ।
ସବୁ ବର୍ଷ ପରି ପୁଣି ଏହି ଘଟଣା ଚାଷୀ ଶୋଷଣର ଶିକାର ପଦାରେ ପକାଇଛି । ସାତ ଦିନ ହେଲା ମଣ୍ଡି ଖୋଲି ଥିଲେ ମଧ୍ୟ ମିଲର୍ସର ମନମାନୀ ଯୋଗୁଁ ଚାଷୀର ଧାନ କିଣା ହୋଇ ପାରୁନି । ମିଲର୍ସ ଏଫଏକ୍ୟୁର ଆଳ ଦେଖାଇ ଛଟନୀ କରୁଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଯେଉଁଥି ପାଇଁ ମଣ୍ଡିକୁ ସଂପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି ଚାଷୀ । ଫଳରେ ମଣ୍ଡିରେ ସାଢ଼େ ୪ ଶହ କୁଇଂଟାଲ ଧାନ ବିକ୍ରି ନ ହୋଇ ପଡି ରହିଛି ।
ଚାଷୀଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ୪ ବର୍ଷ ହେଲା ମିଲର୍ସ ବିଭିନ୍ନ ଆଳ ଦେଖାଇ ପ୍ୟାକ୍ସରେ କ୍ୱିଣ୍ଟାଲ ପିଛା ୫ କେଜି ଧାନ ଛଟନୀ କରି କିଣାଯାଉଛି । ଏଥିସହ ପ୍ୟାକେଟରେ ମପା ଯାଉଥିବା ଧାନର ସଠିକ ଓଜନର ହିସାବ କି ପରଚେଜ୍ ସ୍ଲିପ୍ ବି ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଚାଷୀ । କେବଳ ଏତିକି ନୁହେଁ, ଏଫଏକ୍ୟୁ ଧାନର ବାହାନା ଦେଖାଇ ଚାଷୀଙ୍କୁ ଶୋଷଣ କରାଯାଉଛି । ତେଣୁ ଏହାର ପ୍ରତିବାଦରେ ବିଲାଇସର୍ଡା ଗାଁର ଚାଷୀମାନେ ପ୍ୟାକ୍ସକୁ ବନ୍ଦ କରିଛନ୍ତି । ପ୍ରଥମେ ସମସ୍ୟାର ସମାଧାନ, ପରେ ଧାନ କିଣିବାକୁ ଚାଷୀ ଅଡ଼ି ବସିଛନ୍ତି । ସମସ୍ୟାର ସମାଧାନ ନ ହେବା ଯାଏ ପ୍ୟାକ୍ସକୁ ସଂପୂର୍ଣ୍ଣ ଅଚଳ ରଖିବାକୁ ନିଷ୍ପତି ନିଆଯାଇଛି । ଏପରିକି ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ମଧ୍ୟ ଚାଷୀ ଚେତାବନୀ ଦେଇଛନ୍ତି ।
ଅନ୍ୟପଟେ ଧାନ କିଣା ବନ୍ଦ କଥାକୁ ସ୍ୱୀକାର କରିଛନ୍ତି ପ୍ୟାକ୍ସର ସଂପାଦକ କୁବେର ପୁଟେଲ । ଧାନ କିଣିବା ପାଇଁ ବାରମ୍ବାର ଫୋନ କରାଯାଉଥିଲେ ବି ମିଲର୍ସ ତାଙ୍କ ଫୋନ ଉଠାଉନଥିବା ସେ କହିଛନ୍ତି । ତେଣୁ ସେ ନିରୂପାୟ ହୋଇ ହାତବାନ୍ଧି ବସି ରହିଛନ୍ତି । ସେପଟେ ମଣ୍ଡିର ଅଚଳାବସ୍ଥା ନେଇ କିନ୍ତୁ ଜିଲ୍ଲା ଯୋଗାଣ ଅଧିକାରୀ ଦିଲିପ କୁମାର ପାତ୍ରଙ୍କ ପାଖରେ କୌଣସି ସୂଚନା ନାହିଁ । ମଣ୍ଡିର ଅବ୍ୟବସ୍ଥା ନେଇ ଚାଷୀ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଜାଣି ପାରିଲେ ନାହିଁ କେମିତି? ପ୍ରଶ୍ନ ଉଠୁଛି, ସବୁ ଜାଣି ନ ଜାଣିବା ଭଳି ଅଭିନୟ କରୁ ନାହାନ୍ତି ତ ସିଏସଓ । ମିଲର୍ସ ଓ ଯୋଗାଣ ବିଭାଗର ମଧୁଚନ୍ଦ୍ରିକାରେ କିଣା ଯାଉନି ତ ଧାନ? ମଣ୍ଡି ଅଚଳ ନେଇ ଯୋଗାଣ ଅଧିକାରୀଙ୍କୁ ଜଣାଇବା ପରେ ବି କିଛି ଜାଣିନଥିବା ବାହାନା ତାଙ୍କୁ ଏହି ଗୋଳକଧନ୍ଦା ଭିତରକୁ ଟାଣି ଆଣୁଛି। ଦେଖାଯାଉ ମଣ୍ଡି କେବେ ଖୋଲିବ ଓ ଚାଷୀ ତାର ବର୍ଷକର ଉତ୍ପାଦିତ ଧାନ ବିକ୍ରି କରିବ।