ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ‘ପାଇକ ବିଦ୍ରୋହ’କୁ ସ୍ୱତନ୍ତ୍ର ଜୁରି ପୁରସ୍କାର

ଦେଶ ଓ ବିଦେଶମନୋରଞ୍ଜନ

ଏନ୍ଏନ୍ ବ୍ୟୁରୋ। ଉଚ୍ଚମାନର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡିଶା ପାଇଁ ଅନେକ ସମ୍ମାନ ଓ ସ୍ୱୀକୃତି ଆଣିଦେଇଥିବା ଅକ୍ଷୟ ପରିଜା ପ୍ରଡକ୍ସନକୁ ଆଉ ଏକ ବଡ ସଫଳତା ମିଳିଛି। ୯ମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଅକ୍ଷୟ ପରିଜା ପ୍ରଡକ୍ସନ ଦ୍ୱାରା ନିର୍ମିତ ‘ପାଇକ ବିଦ୍ରୋହ’ ସ୍ୱତନ୍ତ୍ର ଜୁରି ପୁରସ୍କାର ହାସଲ କରିଛି। ଭାରତୀୟ ପ୍ରଥମ ମୁକ୍ତି ସଂଗ୍ରାମର ମାନ୍ୟତା ଲାଭ କରିଥିବା ୧୮୧୭ର ପାଇକ ବିଦ୍ରୋହ ଉପରେ ଏହା ଆଧାରିତ। ପାଇକ ବିଦ୍ରୋହର କାହାଣୀକୁ ଏହି ଚିତ୍ରରେ ଚମତ୍କାର ରୂପ ଦିଆଯାଇଛି। ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଏହି ଐତିହାସିକ ଚଳଚ୍ଚିତ୍ରରେ ମନୋଜ ମିଶ୍ର ଜୟୀ ରାଜଗୁରୁ ଏବଂ ସମରେଶ ରାଉତରାୟ ବକ୍ସି ଜଗବନ୍ଧୁ ଭୂମିକାରେ ଅଭିନୟ କରିଛନ୍ତି। ନିର୍ଦ୍ଦେଶନା ଦେଇଛନ୍ତି ନିଶ୍ଚୟ ରାଉତ ଓ ଅନୁଜ ତ୍ୟାଗୀ।

ସିନେମୋଟୋଗ୍ରାଫିରେ ପ୍ରତାପ ରାଉତ ଓ ଏଡିଟିଂରେ ଅର୍ଚ୍ଚିତ ଡି. ରସ୍ତୋଗୀ ଥିବାବେଳେ କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତଥା ଚିନ୍ତକ ହରପ୍ରସାଦ ଦାସ। ଐତିହାସିକ ପୃଷ୍ଠଭୂମିର ଏହି ଚଳଚ୍ଚିତ୍ର ପାଇଁ ପୋଷାକ ଡିଜାଇନ କରିଛନ୍ତି ସହ ପ୍ରଯୋଜିକା ବର୍ଣ୍ଣାଳୀ ରଥ। ପୂର୍ବରୁ ଏହା ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ଚିତ୍ରୋତ୍ତଳନ, ଶ୍ରେଷ୍ଠ ସମ୍ପାଦନା ଓ ଶ୍ରେଷ୍ଠ ଚଳଚ୍ଚିତ୍ର(ଜୁରି) ଆଦି ୪ଟି ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲା।