ଗଣତନ୍ତ୍ର ଦିବସରେ ଆସାମ ଦିବ୍ରୁଗଡ ଗୁରୁଦ୍ୱାର ନିକଟରେ ବିସ୍ଫୋରଣ

ଅପରାଧଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଗଣତନ୍ତ୍ର ଦିବସରେ ଦୋହଳିଲା ଆସାମ। ଦିବ୍ରୁଗଡ ଓ ଚରାଇଦେବ ଜିଲ୍ଲାରେ ଚାରି ଚାରିଟି ଗ୍ରେନେଡ୍ ବିସ୍ଫୋରଣ ଘଟିଛି। ରବିବାର ସକାଳେ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ପୁଲିସ୍ ସୂଚନା ଅନୁସାରେ ଦିବ୍ରୁଗଡରେ ୩ ଓ ଚରାଇଦେବରେ ଗୋଟିଏ ବିସ୍ଫୋରଣ ହୋଇଛି। ଏ ବିସ୍ଫୋରଣ ଏମିତି ସମୟରେ ଘଟିଛି ଯେତେବେଳେ ଦେଶ ଗଣତନ୍ତ୍ର ଦିବସ ପାଳନ କରୁଛି।

ଦିବ୍ରୁଗଡ ଜିଲ୍ଲା ଗ୍ରାହମ ବଜାରରେ ଏକ ବିସ୍ଫୋରଣ ହୋଇଥିବା ବେଳେ ଦ୍ଵିତୀୟ ବିସ୍ଫୋରଣ ଏଟି ରୋଡ ସ୍ଥିତ ଗୁରୁଦ୍ୱାର ପଛ ପଟେ ଘଟିଛି। ଉଭୟ ବିସ୍ଫୋରଣ ସ୍ଥଳ ଦିବ୍ରୁଗଡ଼ ପୁଲିସ୍ ଥାନା ଅଧୀନରେ ଆସୁଛି। ପୁଲିସ ସୂଚନା ଅନୁସାରେ ଅନ୍ୟ ବିସ୍ଫୋରଣ ଘଟିଛି ଦୁଲିଆଜନ ସହରରେ। ତେବେ ଏଠାରୁ ସଠିକ୍ ସୂଚନା ଆସି ନାହିଁ।

ପୁଲିସ୍ ସୂଚନା ଦେଇ କହିଛନ୍ତି ଯେ, ଅନ୍ୟ ବିସ୍ଫୋରଣ ଚରାଇଦେବ ଜିଲ୍ଲା ସୋନାରି ପୁଲିସ ଥାନା ଅଧୀନରେ ଆସୁଛି। ତିଓକେ ଘାଟ ନିକଟରେ ବିସ୍ଫୋରଣ ଘଟିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ ଚାରିଟି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲେ ମଧ୍ୟ କେହି ମୃତାହତ ହୋଇନଥିବା ଜଣାପଡିଛି।