ନବନୀତା ବ୍ୟୁରୋ। ଘୋଷଣା ହେଲା ପଦ୍ମ ପୁରସ୍କାର। ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ (ଶନିବାର) ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ସରକାର। ମୋଟ ୧୪୧ ଜଣଙ୍କ ନା ଘୋଷଣା କରାଯାଇଥିବା ବେଳେ ସେ ମଧ୍ୟରୁ ୧୧ ଜଣ ଓଡ଼ିଆକୁ ସାମିଲ କରାଯାଇଛି।
୭ ଜଣଙ୍କୁ ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ପ୍ରଦାନ କରାଯିବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ, ସୁଷମା ସ୍ୱରାଜ ଓ ଅରୁଣ ଜେଟଲି (ମରଣୋତ୍ତର), କ୍ରୀଡ଼ାବିତ ଏମସି ମେରିକମ, ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥ, କଳା ପାଇଁ ଚିନ୍ନୁଲାଲ ମିଶ୍ର, ଆଧ୍ୟାତ୍ମିକ ଗୁରୁ ବିଶ୍ୱେସ ତୀର୍ଥ ସ୍ୱାମୀଜିଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ।
ଏଥର ପଦ୍ମଭୂଷଣ ପୁରସ୍କାର ୧୬ ଜଣଙ୍କୁ ପ୍ରଦାନ କରାଯିବ । ଏମ.ମୁମତାଜ ଅଲ୍ଲୀ (ଆଧ୍ୟାତ୍ମିକତା) , ସୟଦ ମୁଆଜିମ ଅଲ୍ଲୀ, ମୁଜାଫର ହୁସେନ ବେଗ୍, ଅଜୟ ଚକ୍ରବର୍ତ୍ତୀ, ଓଡ଼ିଆ ସାହିତ୍ୟ ପାଇଁ ଲେଖକ ମନୋଜ ଦାସ, ବାଳକୃଷ୍ଣ ଦୋଶି,କ୍ରିଷ୍ଣାମାଲ ଜଗନ୍ନାଥନ,ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ.ସି.ଜମିର, ଅନୀଲ ପ୍ରକାଶ ଜୋଷୀ, ଡ.ସେରିଂ ଲାଣ୍ଡୋଲ, ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ନୀଳକଣ୍ଠ ରାମକ୍ରିଷ୍ଣ ମେନନ, ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପରିକର, ପ୍ରଫେସର ଜଗଦୀଶ ସେଠ, ପି.ଭି.ସିନ୍ଧୁ, ଶିଳ୍ପପତି ବେନୁ ଶ୍ରୀନିବାସନ ।
ସେହିପରି ୧୧୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଶର ମୋଟ ୧୧୮ ଜଣଙ୍କୁ ଚୟନ କରା ଯାଇଥିବା ବେଳେ ଏଥର ୧୧ଜଣ ଓଡ଼ିଆଙ୍କୁ ମନୋନୀତ କରାଯାଇଛି। ଓଡ଼ିଶାରୁ ୯ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ଓଡ଼ିଶା ବାହାରେ ରହୁଥିବା ଦୁଇ ଜଣ ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯିବ।

ବିଶିଷ୍ଠ ସମାଜସେବୀ ରାଧାମୋହନ ଓ ତାଙ୍କ ଝିଅ ସାବରମତୀ, ଖ୍ୟାତି ସଂପନ୍ନ ସାନ୍ତାଳୀ ଲେଖିକା ଡକ୍ଟର ଦମୟନ୍ତୀ ବେଶ୍ରା, କଳା ପାଇଁ ଉତ୍ସବ ଚରଣ ଦାସ, ‘ରଂଗବତୀ’ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ, ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର, ଗାଳ୍ପିକା ବୀଣାପାଣି ମହାନ୍ତି ଓ ପଶୁପାଳନ ପାଇଁ ବଟକୃଷ୍ଣ ସାହୁ ଓଡ଼ିଶାରୁ ପଦ୍ମଶ୍ରୀ ସମ୍ମାନ ପାଇବା ଲାଗି ମନୋନୀତ କରାଯାଇଛି। ଏଥିସହ ଓଡ଼ିଶା ବାହାରେ ରହୁଥିବା ଦୁଇ ଓଡ଼ିଆ ଚିକିତ୍ସା ବିଜ୍ଞାନ ପାଇଁ ଡ. ଦିଗମ୍ବର ବେହେରା ଓ ଶିକ୍ଷା ଓ ସାହିତ୍ୟ ଲାଗି ଡକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ ପଦ୍ମଶ୍ରୀ ପୁରସ୍କାର ପାଇବେ।
