ପଢନ୍ତୁ ଲେଖକ ତନ୍ମୟ ସାହୁଙ୍କ ଗପ ଗଣିତ ମାଷ୍ଟ୍ରେ

ଓଡ଼ିଶାସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ, ଭୁବନେଶ୍ୱର। ଶଙ୍କର ବାବୁ ଜଣେ ଅବସର ପ୍ରାପ୍ତ ହାଇସ୍କୁଲ ଶିକ୍ଷକ। ପୁରା ନାଁ ଶଙ୍କର ଚରଣ ମିଶ୍ର, ଘର ଯାଜପୁର ଜିଲ୍ଲା ର ଗୋଟିଏ ଛୋଟ ଅନାମଧେୟ ଗାଁରେ। ଗାଁ ସ୍କୁଲ ରେ କିଛିଦିନ ଚାକିରୀ କଲାପରେ କଟକ ହାଇସ୍କୁଲ କୁ ବଦଳି ହେଲା ଓ ଏକ ଲମ୍ବା ସମୟର ଚାକିରୀ ବ୍ୟବଧାନ ପରେ ସେହି ସ୍କୁଲରୁ ହିଁ 5 ବର୍ଷ ପୂର୍ବରୁ ଅବସର ନେଲେ ଗଣିତ ମାଷ୍ଟ୍ରେ। ଗଣିତ ମାଷ୍ଟ୍ରେ ନାଁ ରେ ସେ ଗାଁ ଆଉ ତାଙ୍କ ରହୁଥିବା ସାହି କଟକରେ ବହୁପରିଚିତ। ଗଣିତରେ ସେ ଗୋଟେ ପୋକ । ନିଦରେ ଶୋଇଥିବା ବେଳେ ମଧ୍ୟ ସେ ଅଙ୍କ କଷି ଦିଅନ୍ତି ବୋଲି ଲୋକ କୁହନ୍ତି। ପାଠୁଆ ପିଲାଙ୍କ ସେ ଭାରି ଫେବରାଇଟ । ସେ ସବୁବେଳେ କୁହନ୍ତି ପିଲା ଅଙ୍କରେ 100 ରୁ 100 ନ ରହିଲେ ସେ କି ଛାତ୍ର? ସ୍ୱଭାବରେ ଭାରି ସ୍ୱାଭିମାନୀ ଓ ଉଚ୍ଚାଭିଳାଶୀ। ତାଙ୍କର ସ୍ବପ୍ନ ହେଲା ଓଡିଶା ପିଲା ଦେଶ ବିଦେଶରେ ନାଁ କରନ୍ତୁ । ତେଣୁ ସେ ତାଙ୍କ ଛାତ୍ର ମାନଙ୍କୁ ଭଲ ପାଠ ପଢିବା ପାଇଁ ଓ ଭଲ ମଣିଷ ହେବା ପାଇଁ ପ୍ରବର୍ତାଇ ଥାଆନ୍ତି। କିନ୍ତୁ ଚଗଲା ଗଧ ପିଲାଙ୍କର ସେ ସବୁଠୁ ବଡ଼ ଶତ୍ରୁ। ଯେହେତୁ ମାଡ଼ର ପ୍ରଭାବ ସେମାନଙ୍କ ଉପରେ ଟିକେ ଅଧିକ । ଗଧ ପିଲା ମାନଙ୍କ ମତ ରେ ସେ ହେଲେ “..ଶଙ୍କରା ମାଷ୍ଟ୍ର” । ବହୁତ ପିଲାଙ୍କୁ ବଡ଼ ମଣିଷ କରିବାରେ ତାଙ୍କର ଅବଦାନ ରହିଛି ଓ ସେ ମଧ୍ୟ ଉଚ୍ଚବଦବୀରେ ଥିବା ଓଡ଼ିଆ ପିଲାଙ୍କୁ ଦେଖିଲେ ଖୁବ୍ ଗର୍ବ ଅନୁଭବ କରନ୍ତି । ସ୍କୁଲ ରେ ପଢ଼ୁଥିବା ବେଳେ ସିନା ସେ ଗଧ ପିଲାଙ୍କୁ ତାଙ୍କ ଉତ୍ତମ ମଧ୍ୟମ ରେ ଅତିଷ୍ଠ କରିଦେଉଥିଲେ କିନ୍ତୁ ପିଲା ସ୍କୁଲ ଛାଡିବା ପରେ ରାସ୍ତାରେ ଦେଖାହେଲେ ସେ ସବୁ ପୁରୁଣା ଛାତ୍ର ଙ୍କୁ ଗୋଟିଏ ନଜର ରେ ଦେଖୁଥିଲେ। କେବେ କେଉଁଠି ଦେଖା ହେଲେ ହାଲ ଚାଲ ପଚାରି ବୁଝିବେ ଓ 5 ମିନିଟ ନିଶ୍ଚୟ କଥା ହେବେ।

ମାଷ୍ଟ୍ରେଙ୍କ ପରିବାର କହିଲେ ସ୍ତ୍ରୀ ଓ ଦୁଇ ପୁଅ। ଚାକିରୀ ଜୀବନସାରା ଭଡ଼ା ଘରେ ରହୁଥିଲେ କିନ୍ତୁ ଅବସର ପରେ କିଛି ମୋଟା ଅଙ୍କ ପଇସା ପାଇବାରୁ ସେ କଟକ ତୁଳସୀପୁର ର ଗୋଟିଏ ଅପର୍ଟମେଂଟ ରେ 2 ବେଡ ରୁମ ଫ୍ଲାଟ କିଣି 2 ବର୍ଷ ହେବ ଶିଫ୍ଟ କରିଛନ୍ତି। ଦୁଇପୁଅ ବାହାରେ ରହନ୍ତି। ବଡ଼ପୁଅ ବାଙ୍ଗାଲୋର ଓ ସାନପୁଅ ଆମେରିକାରେ। ପୁଅଦୁଇଟା ସୁନା ଭଳିଆ ପାଇଛନ୍ତି। କେତେ ଦିନରୁ ପୁଅ ମାନେ ଲଗେଇଛନ୍ତି ବାପା ଭୁବନେଶ୍ୱର ରେ ଗୋଟେ ଘର କିଣ, ଆମେ ପଇସା ଦେବୁ । କିନ୍ତୁ ସେ ତାଙ୍କୁ କୁହନ୍ତି ତୋ ମାଁ ଆଉ ମୁଁ ରିଟାରର୍ମେଣ୍ଟ ପରେ ଗାଁ ରେ ରହିବୁ, ଆମର ଘର ଗାଁ ରେ ଅଛି ଆଉ କିଣିବା କ’ଣ ଦରକାର। ପ୍ରକୃତରେ ଏତେ ସ୍ୱାଭିମାନୀ ଲୋକ ହୋଇ ପୁଅମାନଙ୍କ ପଇସାରେ କେମିତି ଘର କିଣିବେ ସେ? ଘର କିଣିବା କୁ ମୂଳରୁ ବିରୋଧ କରୁଥିଲେ କିନ୍ତୁ ଯେହେତୁ ପୁଅ ମାନେ ଫ୍ଲାଇଟ ରେ ଯିବା ଆସିବା ସୁବିଧା ହେବ ସେଥିପାଇଁ କଟକ ରେ ଗୋଟେ ଘର କିଣି ରହିଲେ। ବଡ଼ପୁଅ ର ବାହାଘର ସରିଛି। ସାନପୁଅ IIT ଖଡ଼ଗପୁର ରେ ପଢିଲା ବେଳୁ ସେଇଠି ପଢ଼ୁଥିବା ଭୁବନେଶ୍ୱର ର ଗୋଟିଏ ଝିଅ କୁ ଭଲପାଉଛି ଓ ତାକୁ ବାହାହେବା ପାଇଁ ମନସ୍ଥ କରିଛି। ଝିଅ ବି ଆମେରିକା ରେ ଅଛି। ଉଭୟ ପରିବାର ଲୋକ ବାହାଘର ରେ ରାଜି ହେବାରୁ ମେ’ ମାସ 15 ତାରିଖ ରେ ବାହାଘର ଭୁବନେଶ୍ୱର ରେ ସ୍ଥିର ହେଇଛି। ପୁଅ ଝିଅ ଦୁଇଜଣ ଆମେରିକା ରୁ ଭୁବନେଶ୍ୱର ମେ’1 ତାରିଖ ରେ ଆସିବା ପାଇଁ ଟିକେଟ ହେଇସାରିଛି।

ଶଙ୍କର ବାବୁଙ୍କ ସହଧର୍ମିଣୀ “ରାଧିକା” ସବୁବେଳେ ଘର କାମ ଓ ପୂଜାପାଠ ରେ ବ୍ୟସ୍ତ। ଏଇ ବ୍ୟସ୍ତତା ମଧ୍ୟରେ ବି ସେ ପିଲାମାନଙ୍କ ସହ ପ୍ରତିଦିନ ଫୋନ୍ ରେ କଥାହେଇ ତାଙ୍କ ଭଲମନ୍ଦ ନ ବୁଝିଲେ ତାଙ୍କ ଦିନ ସରେନି। ଶଙ୍କର ବାବୁଙ୍କୁ ସେ ଭାରି ଭଲପାଆନ୍ତି । ଶଙ୍କର ବାବୁ କିନ୍ତୁ ଡାଇବେଟିସ ଥାଇ ବି ମିଠା ଖାଇବା, ଘଣ୍ଟା ଘଣ୍ଟା ପିଲାଙ୍କୁ ଅବସର ପରେ ମଧ୍ୟ ପାଠ ପଢେଇବା ଓ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ନଦେବା କଥାରେ ଟିକେ ଚିନ୍ତିତ ରହୁଛନ୍ତି ରାଧିକା ମ୍ୟାଡମ। ଆଜିକାଲି ମାଷ୍ଟ୍ରେଙ୍କର ଗୋଟେ ନୂଆ ଅଭ୍ୟାସ ଆରମ୍ଭ କରିଛନ୍ତି ।ଟିକେ ଖାଲି ସମୟ ମିଳିଲେ ସେ ହ୍ଵାଟସ୍ଆପ ରେ ଲାଗିଯାଉଛନ୍ତି। ପୁରୁଣା ଷ୍ଟୁଡେଣ୍ଟ ମାନେ ଥୋଡାଏ ଗ୍ରୁପ କରିଛନ୍ତି ଆଉ ସାରଙ୍କୁ ସେଥିରେ ଆଡ କରିଦେଇଛନ୍ତି। ବାସ୍, ସାର ସବୁ ପିଲାଙ୍କ କଥା ଦେଖି ପଢି ଭାରି ଖୁସି ହେଉଛନ୍ତି।

ସମ୍ପ୍ରତି ପରିସ୍ଥିତି ରେ ସ୍ୱାମୀ ସ୍ତ୍ରୀ ଦୁହେଁ ଘର ଭିତରେ ଲକ ହେବାରେ ବାଧ୍ୟ ହେଇଛନ୍ତି। କିନ୍ତୁ ମାଷ୍ଟ୍ରେ ଟିକେ ମଣିଙ୍ଗ ୱାକ କରିବାଟା ଛାଡିନାହାନ୍ତି। ରାଧିକା ମ୍ୟାଡ଼ମ ମନା କରିବା ସତ୍ୱେ ସକାଳ ସନ୍ଧ୍ୟା ରେ କିଛି ସମୟ ପାଇଁ ୱାକ ରେ ଚାଲିଯାଉଛନ୍ତି। ଶୁକ୍ରବାର ସନ୍ଧ୍ୟା ରେ ଚାଲି ଚାଲି ଅନ୍ୟମନସ୍କ ହୋଇ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ମାଡି ଯାଇଛନ୍ତି। ହାଠାତ ଆଖିପଡିଗଲା ଛକ ଉପରେ ଥିବା ମାଳ ମାଳ ପୋଲିସ ଉପରେ। ମୁଣ୍ଡ ରେ ଚେତା ପଶିଲା ଅନ୍ୟମନସ୍କ ହୋଇ ଚାଲିଆସିଛନ୍ତି ଏତେ ବାଟ। ଛିଡା ହେଇଗଲେ। ଲମ୍ବା ଲମ୍ବା ଲାଠି ଧରି କିଛି ପୋଲିସ ହୋମଗାର୍ଡ ମାଡ଼ିଆସିଲେ ତାଙ୍କ ଆଡକୁ। କିଂକର୍ତବ୍ୟବିମୁଢ ହେଇ ଆଖିବୁଜି ହାତ ଯୋଡ଼ିଦେଲେ ପୋଲିସ ଆଗରେ। ଉପରକୁ ଉଠିଥିବା ଲାଠି ତଳକୁ ଖସି ଆସିଲା, ଲାଠି ଛାଡି ଦୁଇଟି ପୋଲିସ ବାଲା ମୁଣ୍ଡ ନୁଆଇଁ ଗୋଡ଼ ଛୁଇଁ ନମସ୍କାର ହେଲେ। ଆଶ୍ଚର୍ଯ୍ୟ ରେ ଆଖିଖୋଲି ଦେଖିଲେ, ପୋଲିସ କୁ ଗୋଡ଼ ତଳୁ ଉଠାଇ ଭଲ କରି ତାଙ୍କ ମୁହଁକୁ ଦେଖିଲେ। କିଏ ତମେ ବାବୁ? ସାର, ମୁଁ ପ୍ରକାଶ ଓ ସେ ଦୀପକ, ଆମେ ଆପଣଙ୍କ ଛାତ୍ର। ଆମେ ଆପଣଙ୍କ ସେହି ଚଗଲା ଗଧ ଛାତ୍ର। ଖୁସି ରେ ଦୁଇଧାର ଲୁହ ଝରି ପଡିଲା “..ଶଙ୍କରା ମାଷ୍ଟ୍ର” ଙ୍କର ଆଖିରୁ।

ଦୀପକ କହିଲା ମୁଁ ସାରଙ୍କୁ ମୋଟରସାଇକେଲ ରେ ଛାଡ଼ିଦେଇ ଆସୁଛି। ମୋଟର ସାଇକେଲ ପଛରେ ବସି ଶଙ୍କର ବାବୁ ଭବୁଥାଆନ୍ତି ଜୀବନ ରେ ପଇସା ରୋଜଗାର କରିନି ସତ କିନ୍ତୁ ବହୁତ ଲୋକ ଅର୍ଜିଛି। ଭଲ ଛାତ୍ର ହୁଅ ବା ନ ହୁଅ ଜଣେ ଭଲ ମଣିଷ ହେବା ନିହାତି ଆବଶ୍ୟକ। ଘର ଆସିଗଲା। ଭଗବାନ ତମର ମଙ୍ଗଳ କରନ୍ତୁ କହି ବିଦାୟ ନେଲେ ଗଣିତ ମାଷ୍ଟ୍ରେ।

Leave a Reply