ରାଧାଶ୍ୟାମ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଜରାସିଂହାକୁ ହରାଇ ଫାଇନାଲରେ ବରଗଡ଼

ଓଡ଼ିଶାଖେଳବଡ଼ ଖବର

ବଲାଙ୍ଗିର, ଏନ୍ଏନ୍ ବ୍ୟୁରୋ I ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ ବିଲାଇସର୍ଡା ମିନି ଷ୍ଟାଡିୟମରେ ଚାଲିଥିବା ଅଲ ଓଡିଶା ରାଧାଶ୍ୟାମ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ କଡା ଟକ୍କର l ସେମିଫାଇନାଲ ଟୁର୍ଣ୍ଣାମେଣ୍ଟରେ ବରଗଡ଼ ଓ ଜରାସିଂହା ଦଳ ମଧ୍ୟରେ ମ୍ୟାଚ ହୋଇଥିଲା I ଏଥିରେ ବରଗଡ଼ ଦଳ 2.0 ଗୋଲରେ ଜରାସିଂହା ଦଳକୁ ପରାସ୍ତ କରିଥିଲା I ଏହି ମ୍ୟାଚ ଜିତି ଫାଇନାଲ ଟୁର୍ଣ୍ଣାମେଣ୍ଟକୁ ପ୍ରବେଶ କରିଛି ବରଗଡ଼ ଦଳ I ସେମି ଫାଇନାଲ ମ୍ୟାଚ ପରିଚାଳନା ସଂଜୀବ ସାହୁ କଟିଥିବା ବେଳେ ତାଙ୍କୁ କରୁଣାକର ପଧାନ ଓ ସୁଧାଂଶୁ ସେଠ ସହଯୋଗ କରିଥିଲେ I

ସେମି ଫାଇନାଲ ଟୁର୍ଣ୍ଣାମେଣ୍ଟରେ ସମାଜସେବୀ ଦିଲୀପ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ I ଗତ 23 ତାରିଖରୁ ଆରମ୍ଭ ହୋଇଥିବା 36ତମ ଅଲ ଓଡିଶା ରାଧାଶ୍ୟାମ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୋଟ 8ଟି ଟିମ ସାମିଲ ହୋଇଛନ୍ତି I ସଭାପତି ଭରତ ଭୂଷଣ ପ୍ରଧାନ, ସମ୍ପାଦକ ଇଲାବ ବିଶ୍ଵାଳ ଓ କୋଷାଧ୍ୟକ୍ଷ ଜଗଦୀଶ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଟୁର୍ଣ୍ଣାମେଣ୍ଟ ଚାଲିଛି I ରବିବାର ଫାଇନାଲ ମ୍ୟାଚ ସୋନପୁର ଓ ବରଗଡ ଟିମ ମଧ୍ୟରେ ଖେଳାଯିବ I ତେବେ କେଉଁ ଦଳ ଫାଇନାଲ ମ୍ୟାଚ ଜିତି ଟ୍ରଫି ହାସଲ କରିବ ସେନେଇ ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି I