ବଲାଙ୍ଗିର କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର। ଭୁବନେଶ୍ୱର ଲୋକସେବା ଭବନ କନଫରେନ୍ସ ହଲଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ସଂସ୍ଥାକୁ ପ୍ରକୃତି ମିତ୍ର ଆୱାର୍ଡରେ ସମ୍ମାନିତ କରିଛନ୍ତି। ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସମ୍ପାଦକ ତଥା କରାଟେ କୋଚ ଅସୀମ କୁମାର ଭୋଇ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କଠାରୁ ଏହି ପୁରସ୍କାରଓ ୨୦ ହଜାର ଟଙ୍କା ଅର୍ଥ ରାଶି ଗ୍ରହଣ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ରାଜଧାନୀରେ ଏକ ଭବ୍ୟ ସମାରୋହରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଦ୍ୱାରା ଉଦ୍‌ଘାଟନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ରାଜ୍ୟ ଜଙ୍ଗଲ ବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଲ ପ୍ରମୁଖ ଯୋଗ ଦେଇଥିଲେ। ଏ ଅବସରରେ କରାଟେ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ, ଝିଅମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ, ଜଳ ସଂରକ୍ଷଣ, ଜଙ୍ଗଲ ବଞ୍ଚାଅ ସଚେତନତା, ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ତଥା ଅନେକ ସାମାଜିକ କାର୍ଯ୍ୟକ୍ରମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି।