ଦିଲ୍ଲୀ/ଭୁବନେଶ୍ୱର: ସଂସଦରେ ସାଂସଦଙ୍କ ଶପଥ ଗ୍ରହଣ ସହ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ପ୍ରୋଟମ ସ୍ପିକର ଡା. ବୀରେନ୍ଦ୍ର କୁମାର ସାଂସଦଙ୍କୁ ଶପଥ କରାଇଛନ୍ତି । ଏହି ଅଧିବେଶନ ଆସନ୍ତା ଜୁଲାଇ ୨୬ ତାରିଖ ଯାଏ ଚାଲିବ । ସୂତ୍ର ଅନୁସାରେ, ୧୯ଜୁନରେ ଲୋକସଭା ଅଧ୍ୟକ୍ଷ ନିର୍ବାଚନ ହେବ । ୨୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ । ଜୁଲାଇ ୫ ତାରିଖରେ ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ ନୂଆ ସରକାର । ଏନେଇ ରାଜ୍ୟସଭା ବିଜେପି ନେତା ଥାବର ଚନ୍ଦ ଗେହଲତ ବିରୋଧୀ ଦଳଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଯେ କୌଣସି ସମସ୍ୟାର ସମାଧାନ ଚର୍ଚ୍ଚା ମାଧ୍ୟମରେ କରାଯାଇ ପାରିବ ।
ପ୍ରୋଟମ ସ୍ପିକର ବୀରେନ୍ଦ୍ର କୁମାର ସାଂସଦଙ୍କୁ ଶଗଥ ଗ୍ରହଣ କରାଇଛନ୍ତି । ସର୍ବ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେଇଛନ୍ତି । ଏହା ପୂର୍ବରୁ ମୋଦି ମୋଦି ନାରାରେ କଂପି ଉଠିଥିଲା ଲୋକସଭାରେ । ଏ ଅବସରରେ ମୋଦି କହିଛନ୍ତି, ନିର୍ବାଚନ ପରେ ୧୭ତମ ଲୋକସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ନୂଆ ସାଥୀଙ୍କ ସହ ପରିଚିତ ହେବା ସୌଭାଗ୍ୟପୂର୍ଣ୍ଣ ଅବସର ବୋଲି ମୋଦି କହିଥିଲେ । ଏଥିସହ ବିରୋଧୀ ନମ୍ବର ଚିନ୍ତା ଛାଡ଼ି ନିରପେକ୍ଷ ଭାବରେ ଜନକଲ୍ୟାଣ କାର୍ଯ୍ୟ ଉପରେ ପ୍ରାଥମିକତା ଦେବାକୁ କହିଥିଲେ । ଏ ଅବସର ସେ ଆହୁରି କହିଛନ୍ତି, ଚଳିତ ନିର୍ବାଚନ ହେଉଛି ବହୁ ବିଶେଷତାର ପରିପୂର୍ଣ୍ଣ । କେତେ ଦଶକ ପରେ ସେବା କରିବା ଲାଗି ସାଧାରଣ ଜନତା ସେବା ଦ୍ୱିତୀୟ ଥର ପାଇଁ ପୂର୍ଣ୍ଣ ବହୁମତ ସରକାର ଦେଇଛନ୍ତି । ୧୭ତମ ଲୋକସଭା ସମସ୍ତେ ଏକାସାଥିରେ ଚାଲିବା ସହ ବିରୋଧୀଙ୍କ ଗୋଟିଏ ଗୋଟିଏ ଶଦ୍ଦ ବହୁ ମୂଲ୍ୟବାନ ବୋଲି କହିଛନ୍ତି ମୋଦି । ଗଣତନ୍ତ୍ରରେ ବିରୋଧୀ ସକ୍ରିୟ ହେବା ଆବଶ୍ୟକ । ତେଣୁ ଚଳିତ ଅଧିବେଶନରେ ବିରୋଧୀ ସକରାତ୍ମକ ଭୂମିକା ନିଭାଇବାକୁ ମୋଦି ଆଶା ବ୍ୟକ୍ତ କରିଛନ୍ତି ।
ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, ରବି ଶଙ୍କର ପ୍ରସାଦ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, ସ୍ୱାସ୍ଥ୍ର୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଦନ, ପ୍ରହଲ୍ଲାଦ ଯୋଶୀ ପ୍ରମୁଖ ସାଂସଦ ଶପଥ ଗ୍ରହଣ କରିଛନ୍ତି ।
ମୌସୁମୀ ଅଧିବେଶନରେ କେନ୍ଦ୍ରୀୟ ବଜେଟ ସହ ତିନ ତଲାକ ବିଲ ପାରିତ କରାଇବା ସରକାରର ପ୍ରଥମ ପ୍ରାଥମିକତା ରହିବ । ଏଥିସହ ସରକାର ଏହି ଅଧିବେଶନ ଲାଗି ୧୦ ଅଧ୍ୟାଦେଶ ଘୋଷଣା କରିଥିଲେ । ଏଥିରେ ମୋଟ ୩୦ଟି ଅଧିବେଶନ ନିର୍ଦ୍ଧାରିତ ହୋଇଛି । ଆସନ୍ତା ଜୁଲାଇ ୫ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ ଜୁଲାଇ ୪ ତାରିଖରେ ବଜେଟ ପୂର୍ବରୁ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହେବ । ଏହା ପୂର୍ଣ୍ଣ ବଜେଟ ହେବ କାରଣ ଏହା ପୂର୍ବରୁ ସରକାର ଅନ୍ତରୀଣ ବଜେଟ ଉପସ୍ଥାପିତ କରିଥିଲେ ।
ମୌସୁମୀ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ବସିଥିଲା । ବୈଠକରେ ଜମ୍ମୁ-କଶ୍ମିରରେ ବିଧାନସଭା ନିର୍ବାଚନ ଶୀଘ୍ର କରିବାକୁ ଦାବି କରିଥିଲେ ବିରୋଧୀ ଦଳ । ଏ ଅବସରରେ ଗୁଲାମନବୀ ଆଜାଦ କହିଥିଲେ, ରାଷ୍ଟ୍ରପତି ଶାସନ ଜାରି ରହିଥିଲେ ମଧ୍ୟ ନିର୍ବାଚନ ହୋଇପାରିବ । ଏଥିପାଇଁ ସରକାର ଏ ଦିଗରେ ଗମ୍ଭୀରତାର ସହ ବିଚାର କରିବା ଆବଶ୍ୟକ । ଯଦି ସଂସଦୀୟ ନିର୍ବାଚନ ହୋଇ ପାରୁଛି, ତାହେଲେ ବିଧାନସଭା ନିର୍ବାଚନ କାହିଁକି ହୋଇ ପାରିବ ନାହିଁ ବୋଲି ଗୁଲାମନବୀ କହିଛନ୍ତି । ଗତ ସପ୍ତାହରେ ତିନି ଜୁଲାଇରୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ବଢ଼ାଇବାକୁ କ୍ୟାବିନେଟ ମଂଜୁରୀ ଦେଇଛି ।..
ନମ୍ବର ଚିନ୍ତା ଛାଡ଼ି ନିରପେକ୍ଷ ଭାବେ ଜନକଲ୍ୟାଣ କାମ କରିବାକୁ ବିରୋଧୀକୁ ଭରସା ଦେଲେ ମୋଦି
