ଦିଲ୍ଳୀ/ଭୁବନେଶ୍ୱର: ନରମିଲେ ଆନ୍ଦୋଳନରତ ଡାକ୍ତର । ପଶ୍ଚିମବଂଗରେ ଆନ୍ଦୋଳନରତ ଡାକ୍ତର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଶେଷରେ ରାଜି ହେଲେ । ଶନିବାର ବିଳମ୍ବିତ ରାତିରେ ବିକ୍ଷୋଭ ପ୍ରଦର୍ଶନ ଶେଷ କରିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥାବାର୍ତା ହେବାକୁ ପ୍ରସ୍ତୁତ ଅଛନ୍ତି । ହେଲେ ଆଲୋଚନା କେଉଁଠି ହେବ ତାହା ପରେ ନିଷ୍ପତି ନେବେ ବୋଲି ଡାକ୍ତରମାନେ କହିଛନ୍ତି । ଏହା ପୂର୍ବରୁ ସନ୍ଧ୍ୟାରେ ଡାକ୍ତରମାନେ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଲାଗି ମନା କରି ଦେଇଥିଲେ । ହେଲେ ଏହା ପରିବର୍ତେ ଖୋଲା ଆଲୋଚନା କରିବାକୁ ଏନଆରଏସ ମେଡିକାଲ କଜେଲ ହସ୍ପିଟାଲକୁ ଆସିବାକୁ କହିଥିଲେ । ଏହା ପରେ ରାତିରେ ଜୁନିୟର ଡାକ୍ତର ସଂଘ ପକ୍ଷରୁ ସମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା । ଏଥିରେ ସଂଘର ପ୍ରବକ୍ତା କହିଥିଲେ ଯେ, ଆମେ ଆଲୋଚନା କରିବାକୁ ସବୁବେଳେ ପ୍ରସ୍ତୁତ ଅଛୁ । ଯଦି ମୁଖ୍ୟମନ୍ତ୍ରୀ ଗୋଟିଏ ହାତ ବଢ଼ାଇବେ ଆମେ ୧୦ ହାତ ବଢ଼ାଇବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏଥିସହ ଆନ୍ଦୋଳନରତ ଡାକ୍ତରମାନେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଲାଗି ପ୍ରସ୍ତାବିତ ଜାଗା ପାଇଁ ସଂଗଠନର ନିଷ୍ପତିକୁ ଅପେକ୍ଷା କରିଛନ୍ତି ।
ଅନ୍ୟପଟେ ପଶ୍ଚିମବଂଗରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ଡାକ୍ତରମାନଙ୍କ ସମସ୍ତ ଦାବି ମାନିବାକୁ ରାଜି ହୋଇଥିଲେ ସରକାର । ହେଲେ ଡାକ୍ତରମାନେ କାମକୁ ଫେରନ୍ତୁ ବୋଲି ସେ ଅପିଲ କରିଥିଲେ । ସେ ଆହୁରି କହିଥିଲେ କୌଣସି ପରିସ୍ଥିତିରେ ବି ବଳ ପ୍ରୟୋଗ କରୁ ନାହୁଁ ।
ଗତ ୧୦ ତାରିଖରେ କୋଲକତାର ଏନଆରଏସ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅବହେଳା ଲାଗି ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଜୁନିୟର ଡାକ୍ତରଙ୍କୁ ମାରପିଟ କରିଥିଲେ । ଏଥିରେ କିଛି ଡାକ୍ତର ଗୁରୁତର ଆହତ ହୋଇଥିଲେ । ଏହାପରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏବଂ ଘଟଣା ନେଇ ହଜାରେରୁ ଅଧିକ ଡାକ୍ତର ମଧ୍ୟ ଇସ୍ତଫା ଦେଇ ସାରିଛନ୍ତି । ଦୀର୍ଘ ୫ ଦିନ ହେଲା ଆନ୍ଦୋଳନ ଜାରି ରଖିିଥିବାରୁ ମେଡ଼ିକାଲରେ ରୋଗୀସେବା ବ୍ୟାହତ ହୋଇଛି ।..
