ଭୁବନେଶ୍ୱର: ଚଳିତ ବର୍ଷ କିଭଳି ରହିବ ରାଜ୍ୟ ବଜେଟର ରୂପରେଖ । ପୂର୍ବ ବର୍ଷ ଅପେକ୍ଷା ବଜେଟକୁ ଅଧିକ ଲୋକାଭିମୁଖୀ କରିବାକୁ ଚାଲିଛି ଜୋରସୋର ପ୍ରସ୍ତୁତି । ଏନେଇ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକ । ନିର୍ବାଚନ ପରେ ରାଜ୍ୟରେ ଷୋଡ଼ଶ ବିଧାନସଭା ଅଧିବେସନ ସହ ପୂର୍ଣ୍ଣାଂଗ ବଜେଟ ଉପସ୍ଥାପିତ ହେବ । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ସଚିବ ଓ ଅର୍ଥ ବିଷାରଦ ଉପସ୍ଥିତ ଥିଲେ । ଚଳିତ ବର୍ଷ ଅର୍ଥ ବିଭାଗ ରାଜ୍ୟ ବଜେଟ ନେଇ ସାଧାରଣ ଲୋକଙ୍କ ମତାମତ ଲୋଡ଼ିଥିଲା । ଏଥିରେ ଅର୍ଥ ବିଭାଗକୁ ତିନି ହଜାରରୁ ଅଧିକ ମତାମତ ମିଳିଛି । ଚଳିତ ବଜେଟ କେମିତି ଲୋକାଭିମୁଖୀ ହୋଇ ପାରିବ ସେନେଇ ଅର୍ଥ ବିଷାରଦଙ୍କ ସହ ଆଲୋଚନା କରାଯାଉଛି । ଗତ ୨୦୦୫ରୁ ଏଯାଏ ରାଜ୍ୟ ବଜେଟ ୫ ଗୁଣା ବୃଦ୍ଧି ହୋଇଛି । ତେବେ ଏଥର କାଳିଆ ଯୋଜନା, ମିଶନ ଶକ୍ତି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବଜେଟର ଆକାର ବଢ଼ାଇପାରେ ।
ଆସନ୍ତା ଜୁନ ୨୫ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଷୋଡ଼ଶ ବିଧାନସଭାର ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ପ୍ରଥମ ଅଧିବେଶନ ବସିବ । ଦୁଇଟି ପର୍ଯ୍ୟାୟରେ ବସିବାକୁ ଥିବା ଏହି ମୌସୁମୀ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି । ଜୁନ୍ ୨୫ରୁ ଜୁଲାଇ ୩ ଯାଏ ପ୍ରଥମ ପର୍ଯ୍ୟାୟ ଅଧିବେଶନ ବସିବ । ସେହିପରି ଜୁଲାଇ ୧୧ରୁ ଅଗଷ୍ଟ ୮ ଯାଏ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ବସିବ । ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଜୁନ ୨୭ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ । ତା ପରଦିନ ୨୮ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ତେବେ ଚଳିତ ବର୍ଷ ପ୍ରଥମ କରି ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ପରେ ଜୁଲାଇ ୩୧ ତାରିଖରେ ବ୍ୟୟମଂଜୁରୀ ବିଲ ଗୃହୀତ ହେବ ।
ବଜେଟର ରୂପରେଖ ନେଇ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ସଚିବ ଓ ଅର୍ଥ ବିଷାରଦଙ୍କ ସହ ଅର୍ଥମନ୍ତ୍ରୀଙ୍କ ଆଲୋଚନା
