ବଲାଙ୍ଗିରରେ ଆରମ୍ଭ ହେଲା ଖରିଫ ଧାନ କିଣା

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ ହୋଇଛି। ୨୦୨୨-୨୩ ଖରିଫ ଋତୁ ପାଇଁ ଶୁକ୍ରବାରଠାରୁ ଧାନ ସଂଗ୍ରହ ଆରମ୍ଭ ହୋଇ ଯାଇଛି। ଖପ୍ରାଖୋଲରେ ଜିଲ୍ଲାପାଳ ଚଞ୍ଚଳ ରାଣା ମଣ୍ଡିର ଶୁଭାରମ୍ଭ କରିଛନ୍ତି। ଚାଷୀ ଯେମିତି ଠିକ୍ ଭାବେ ଧାନ ବିକିବା ସହ ସେମାନଙ୍କ ପାଉଣା ସଠିକ ସମୟରେ ପାଇବେ ସେନେଇ ଗୁରୁତ୍ବ ଦିଆଯାଇଛି। ହେଲେ ଟୋକନ ସମସ୍ୟା ଓ କଟନି ଛଟନି ଯେମିତି ନହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସେହିପରି ପୁଇନ୍ତଳା ବ୍ଲକ୍ ମହିମୁଣ୍ଡା ପ୍ୟାକସରେ ମଣ୍ଡିର ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ।

ତେବେ ଜିଲ୍ଲାରେ ଚଳିତ ବର୍ଷ ୩୦/୩୫ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରହିଛି। ହେଲେ ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାକୁ ୨୫ ଲକ୍ଷ କ୍ଵିଣ୍ଟାଲ ଧାନ କିଣା ଟାର୍ଗେଟ ଆସିଥିବା ମୁଖ୍ୟ ଯୋଗାଣ ଅଧିକାରୀ ମିର ରାଜା ଅଲ୍ଲୀ ସୂଚନା ଦେଇଛନ୍ତି। ଏଥର ୧୫୮ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୧୬ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କିଣା ଯାଉଛି। ସାଧାରଣ ଏଫଏକ୍ୟୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୦୪୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଗ୍ରେଡ ଏ’ ଏଫଏକ୍ୟୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୦୬୦ ଟଙ୍କା ଧାର୍ଯ୍ୟ କରାଯାଇଛି। ହେଲେ ଜିଲ୍ଲାରେ ମୋଟ ୭୪,୪୫୦ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିବେ ସମସ୍ତ ୬୪ ମିଲର।

ଏଥିରେ ଏଡିଏମ ଲମ୍ବୋଦର ଧରୁଆଙ୍କ ସହ ଡିସିସିବି ସଭାପତି ସ୍ମାରକ ରଞ୍ଜନ ମିଶ୍ର, ଏଆରସିଏସ୍ ପ୍ରଭାକର ନାଏକ, ପୁଇନ୍ତଲା ତହସିଲଦାର ରୋହିତ ଭୋଇ, ପୁଇନ୍ତଲା ବ୍ଲକ୍ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ସମିତି ସଭ୍ୟ ବବିତା ପୁଟେଲ, ପ୍ୟକସ୍ ସମ୍ପାଦକ ରୀଙ୍କୁ ସାହୁ, ସ୍ଥାନୀୟ ସରପଞ୍ଚଙ୍କ ସହ ବହୁ ଚାଷୀ ଉପସ୍ଥିତ ଥିଲେ।