ଏନ୍ଏନ୍ ବ୍ୟୁରୋ। ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ପୋଲିସ ବାବୁ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିନ୍ଧେକେଲା ଥାନା ଅଧିକାରୀ। ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। ୨୦୨୦ ମସିହାର ଏକ ପୁରୁଣା ମାମଲାର ରଫାଦଫା କରିବା ପାଇଁ ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ହେଲେ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଟିମ୍ ଜାଲରେ ଛନ୍ଦି ହୋଇ ଯାଇଛନ୍ତି।
ସୂଚନା ଅନୁସାରେ, ୨୦୨୦ ମସିହାର ଏକ ପୁରୁଣା କେସକୁ ରଫାଦଫା କରିବାକୁ ୨୫ ହଜାର ଟଙ୍କା ଦାବି କରିଥିଲେ ଆଇଆଇସି ଆଲୋକ ବେହେରା। ପୁରୁଣା ମାମଲାର ଚାର୍ଜସିଟରୁ ନାମ କାଟିବା ପାଇଁ ବ୍ୟାଙ୍କ କର୍ମଚାରୀ ଅଜିତ କୁମାର ଘଡ଼େଇ ଏଥିରେ ରାଜି ହୋଇଥିଲେ। ଏବଂ ଏନେଇ ବ୍ୟାଙ୍କ କର୍ମଚାରୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଟିମର ପୂର୍ବ ଯୋଜନା ଅନୁସାରେ ଅଫିସ ଚ୍ୟାମ୍ବର୍ ଭିତରେ ଲାଞ୍ଚ ନେଉଥିବା ବେଳେ ଥାନା ଅଧିକାରୀ ଆଲୋକ ବେହେରା ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଏହାପରେ ସିନ୍ଧେକେଲା ଥାନା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ଉପରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି। ପୂର୍ବରୁ ଲୋଇସିଂହା ଥାନାର ଲାଂଚୁଆ ଅଧିକାରୀ ସଂଗ୍ରାମ ପଟ୍ଟନାୟକ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲେ।
