ଛତିଶଗଡି ମାଓବାଦୀଙ୍କୁ ଶକ୍ତ ଝଟକା: ଅମିତାଭ ଠାକୁର

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ଗୁଳି ବିନିମୟରେ ଦୁଇ ମହିଳା ମାଓବାଦୀ ନିହତ ପରେ ଛତିଶଗଡି ମାଓକୁ ଶକ୍ତ ଝଟକା ଲାଗିଛି। ଏସଓଜି ଗୁଳିରେ ମୃତ ଦୁଇ ମାଓ ଛତିଶଗଡ଼ ଏସିଏମ କ୍ୟାଡ଼ରର। ମୃତକ ମାଓବାଦୀ ଗୀତା ଓ ରଜିତାଙ୍କ ନାମରେ ୪ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏନେଇ ଆଜି ବଲାଙ୍ଗିର ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଜିପି ଅପରେସନ ଅମିତାଭ ଠାକୁର। ଏଥିସହ ଓଡ଼ିଶା ସହ ଜିଲ୍ଲାରେ ମାଓ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା କହିଛନ୍ତି ଅମିତାଭ। ମୃତ ମାଓବାଦୀଙ୍କ ଶବ ଉଦ୍ଧାର ସହ ଜବତ ମାଓ ସମାଗ୍ରୀକୁ ପ୍ରଦର୍ଶିତ କରିବା ସହ ଗୁଳ ବିନିମୟ ବାବଦରେ ବିସ୍ତୃତ ସୂଚନା ଦେଇଥିଲେ ଅମିତାଭ ଠାକୁର।

ପୋଲିସ ସୂଚନା ଅନୁସାରେ, ଗୁରୁବାର ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦୀର୍ଘ ଅଧ ଘଣ୍ଟା ସମୟର ଗୁଳି ବର୍ଷା ପରେ ପୋଲିସ ଗୁଳିରେ ଦୁଇ ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ନିକଟରୁ ୨ଟି ଇନସାଫ ରାଇଫଲ୍, ଜୀବନ୍ତ ଗୁଳି, ଦୁଇଟି ମାଗାଜିନ ସହ ବିପୁଳ ପରିମାଣର ମାଓ ସମାଗ୍ରୀ ଜବତ କରାଯାଇଛି। ମୃତ ମାଓବାଦୀଙ୍କ ପରିଚୟ ମିଲିଥବା ବେଳେ ଉଭୟେ ଛତିଶଗଡି କ୍ୟାଡରର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ବିବିଏମ୍ ଡିଭିଜନର କ୍ୟାଡର ଭାବେ ଗନ୍ଧମାର୍ଦ୍ଦନ ଓ ଚାନ୍ଦେଲ ପାହାଡ଼ରେ ସକ୍ରିୟ ରହିଥିଲେ। ତେବେ ମୃତ ଜଣଙ୍କ ନାଁ ଗୀତା ଓ ଅନ୍ୟ ଜଣଙ୍କ ନାଁ ରଜିତା ଏବଂ ଏମାନଙ୍କ ଉପରେ ୪ ଲକ୍ଷ ଲେଖାଏଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା।ଘଟଣା ପରେ ୪/୫ ମାଓବାଦୀ ଫେରାର ମାରିଥିବାରୁ ଏବେ ମଧ୍ୟ କମ୍ବିଂ ଅପରେସନ ଜାରି ରହିଛି। ଘଟଣାସ୍ଥଳରେ ୫ଟି ଏସଓଜି ଟିମ ନିୟୋଜିତ ରହି ସର୍ଚ୍ଚ ଅପରେସନ ଚଳାଇଛନ୍ତି। ଏପରିକି ମାଓବାଦୀମାନେ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ସେମାନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଥଇଥାନ ବ୍ୟବସ୍ଥା ଥିବା କହିଛନ୍ତି ଅମିତାଭ ଠାକୁର।

ସାମ୍ବାଦିକ ସମ୍ମିଳନୀରେ ଏଡିଜି ସିଆରପିଏଫ୍ ଭିତୁଲ କୁମାର, ଡାଇରେକ୍ଟର ଇଣ୍ଟେଲିଜେନ୍ସ ସଞ୍ଜୀବ ପଣ୍ଡା, ଜେଡି ଏସଆଇବି ଆର୍‌ ସୁବର୍ଣ୍ଣୋ, ଆଇଜିପି ଅପରେସନ ଅମିତାଭ ଠାକୁର, ଡିଆଇଜିପି (ଏସଆଇଡବ୍ଲୁ), ଏ. ସିଂ, ଆଇଜି ସିଆର୍‌ପିଏଫ୍‌ ଏସ୍‌.କେ ମହାନ୍ତି, ଓଏସ୍‌ଏସ୍‌ଏଫ୍‌ ଏମ୍‌ଏମ୍‌ ଦାଶ, ଡିଆଇଜି ଦୀପକ କୁମାର, ବଲାଙ୍ଗିର ଏସ୍‌ପି ନୀତିନ କୁଶଲକରଙ୍କ ସହ ଏସଡିପିଓ ତୁଫାନ ବାଗ ଏବଂ ଜିଲ୍ଲା ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଏସ୍ଓଜି ଯବାନମାନେ ଉପସ୍ଥିତ ରହିଥିଲେ।