ଗଣତନ୍ତ୍ର ଦିବସ ପରେଡ଼ରେ ପ୍ରଦର୍ଶିତ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ମିଳିଲା ଦ୍ବିତୀୟ ପୁରସ୍କାର

ଓଡ଼ିଶାଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଦୁଇ ବର୍ଷ ପରେ ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ସାମିଲ୍ ହୋଇଥିବା ଓଡ଼ିଶାକୁ ଅପୂର୍ବ ସଫଳତା ମିଳିଛି। ପରେଡରେ ଆୟୋଜିତ ପ୍ରଜ୍ଞାପନ ମେଢ଼ ପ୍ରତିଯୋଗିତାରେ ସାରା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ଓଡ଼ିଶା। ଏହି ପୁରସ୍କାର ପାଇବା ପରେ ମେଢ଼ ନିର୍ମାଣ ଓ ପ୍ରଦର୍ଶନରେ ସଂଶ୍ଳିଷ୍ଟ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଆୟୋଜିତ ପରେଡ଼ରେ ପ୍ରଦର୍ଶିତ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମୁଖ୍ୟ ଆକର୍ଷଣ ଥିଲା। ଏଥିରେ ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ ପଛରେ ଥିବା ପରମ୍ପରାକୁ ବେଶ୍ ନିଖୁଣ ଭାବରେ ପ୍ରଦର୍ଶିତ କରାଯାଇଥିଲା। ରାଜଧାନୀ ଦିଲ୍ଲୀରେ ଓଡିଶାର ନୃତ୍ୟଶିଳ୍ପୀମାନେ ଚିତ୍ତାକର୍ଷକ ନୃତ୍ୟ ମାଧ୍ୟମରେ ପ୍ରଦର୍ଶିତ କଳା ଓ ସଂସ୍କୃତି ପରେଡର ମୁଖ୍ୟ କେନ୍ଦ୍ର ବିନ୍ଦୁ ପାଲଟିଥିଲା।


ତେବେ ଆସାମର ପ୍ରଜ୍ଞାପନ ମେଢ଼ ପ୍ରଥମ ସ୍ଥାନ ହାସଲ କରିଛି। ଓଡ଼ିଶା ଓ ଉତ୍ତର ପ୍ରଦେଶର ମେଢ଼ ମିଳିତ ଭାବେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ତେଣୁ ସଫଳତା ଅର୍ଜନ କରିଥିବା ରାଜ୍ୟକୁ ପୁରସ୍କାର ପ୍ରଦାନ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦିଲ୍ଲୀ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଂଜୟ କୁମାର ସିଂହ।

୨ ବର୍ଷ ପରେ ଦିଲ୍ଲୀ ଗଣତନ୍ତ୍ର ଦିବସର ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାମିଲ୍ ହୋଇଥିଲା। ତେବେ ଏବର୍ଷ ସମଗ୍ର ଦେଶର ମୋଟ ୨୨ଟି ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା। ସେ ମଧ୍ୟରୁ ଓଡ଼ିଶା ଦ୍ବିତୀୟ ସ୍ଥାନ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।