ଶିକ୍ଷାଗତ ଯୋଗ୍ୟତା ନେଇ ଅଡୁଆରେ ମନ୍ତ୍ରୀ ପଦ୍ମନାଭ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଗଣତନ୍ତ୍ର ଦିବସରେ ପିଏସଓ ଦ୍ଵାରା ଚପଲ ଉଠାଇବା ଘଟଣାର ବିବାଦ ଥମି ନଥିବା ବେଳେ ଏବେ ଶିକ୍ଷା ଗତ ଯୋଗ୍ୟତାକୁ ନେଇ ଅଡୁଆରେ ପଡିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ପଦ୍ମନାଭଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ମାଟ୍ରିକ ନା ଅଷ୍ଟମ ପାସ୍। ସେ ନିଜେ ସ୍ପଷ୍ଟ କରି ପାରି ନାହାଁନ୍ତି ଯେ, ସେ କେତେ ପାଠ ପଢ଼ିଛନ୍ତି। ଏ କଥା ଆମେ କହୁନୁ, ସେ ନିର୍ବାଚନୀ ସତ୍ୟପାଠରେ ଦର୍ଶାଇଥିବା ଶିକ୍ଷାଗତ ଯୋଗ୍ୟତା ତଥ୍ୟରୁ ଜଣାପଡିଛି। ଏପରିକି ଶିକ୍ଷାଗତ ଯୋଗ୍ୟତା ନେଇ ବାରମ୍ବାର ତଥ୍ୟ ବଦଳାଉଛନ୍ତି ପଦ୍ମନାଭ। ଏହି ଘଟଣାର ତଦନ୍ତ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୨୦୦୪ ନିର୍ବାଚନରେ ପଦ୍ମନାଭ ବେହେରା ଫୁଲବାଣୀ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ହେଲେ କନ୍ଧମାଳ ହିଂସା ଘଟଣା ପରେ ସେ ୨୦୦୮ ମସିହାରେ ଖଣି ଓ ଇସ୍ପାତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ୨୦୦୯, ୨୦୧୪ ଓ ୨୦୧୯ରେ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଆସୁଛନ୍ତି। ହେଲେ ଶିକ୍ଷାଗତ ଯୋଗ୍ୟତା ବାରମ୍ବାର ବଦଳାଉଥିବା ସତ୍ୟପାଠରେ ଦର୍ଶାଯାଇଛି।

୨୦୦୯ ସତ୍ୟପାଠରେ ୧୯୭୨ ମସିହାରେ ମାଟ୍ରିକ ପାସ କରିଥିବା ନେଇ ଦର୍ଶାଯାଇଥିବା ବେଳେ ୨୦୧୪ ରେ ୧୯୭୩ ମସିହାରେ ମାଟ୍ରିକ ପାସ କରିଥିବା ନେଇ ସତ୍ୟପାଠରେ ଉଲ୍ଲେଖ ରହିଛି। ହେଲେ ଆଶ୍ଚର୍ଯ୍ୟ କଥା ୨୦୧୯ ନିର୍ବାଚନୀ ସତ୍ୟପାଠରେ ଅଷ୍ଟମ ପାସ୍ ବୋଲି ଉଲ୍ଲେଖ କରିଛନ୍ତି ପଦ୍ମନାଭ ବେହେରା। ତା ଅର୍ଥ ସେ ମାଟ୍ରିକ ପାସ କରି ନାହାନ୍ତି। ହେଲେ ୨୦୦୯, ୧୪ ସତ୍ୟପାଠରେ ମାଟ୍ରିକ ପାସ ବୋଲି ମିଥ୍ୟା ଶିକ୍ଷାଗତ ଯୋଗ୍ୟତା ଉଲ୍ଲେଖ କରିବାର ଉର୍ଦ୍ଧେଶ୍ୟ କଣ? କାରଣ ଯାହା ବି ହେଉ ବାରମ୍ବାର ତଥ୍ୟ ବଦଳାଇ ଏବେ ଅଡୁଆରେ ପଡିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା।

ତେଣୁ ଏହି ଘଟଣାର ତଦନ୍ତ କରି ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୨୦୧୯ ଡିସେମ୍ବର ୧୩ ତାରିଖରେ ବୀରମହାରାଜପୁର ନିର୍ବାଚନୀ ମଣ୍ଡଳୀର ଭଗବାନ ବାଘ ନାମକ ଜଣେ ଭୋଟର ଥାନାରେ ଅଭିଯୋଗ କରିଥିଲେ। ହେଲେ ସେତେବେଳେ ମାମଲା ରୁଜୁ କରିବା ପାଇଁ ପୋଲିସ ମନା କରିଥିଲା। ଏହାପରେ ଭଗବାନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ଉପରେ ଶୁଣାଣି କରି ହାଇକୋର୍ଟ ବୀରମହାରାଜପୁର ଥାନା ଆଇଆଇସିଙ୍କୁ ଭଗବାନଙ୍କ ପୂର୍ବ ଏତଲାକୁ ଗ୍ରହଣ କରିବା ସହ ତଦନ୍ତ କରି ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ତେବେ ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।